ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ରାଜ୍ୟ ସରକାର ବହୁତ ଦରଦ ଦେଖଉଛନ୍ତି । ଏହାର ସୁରକ୍ଷା ଓ ବିକାଶ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ଏହାର ସୁରକ୍ଷା ଓ ସମ୍ମାନ କେମିତି ହେଉଛି, ତାହା ଏବର୍ଷର ସରକାରୀ ଡାଏରୀ ଧରାପକେଇ ଦେଇଛି । ଓଡ଼ିଶାର କିମ୍ବଦନ୍ତୀ ସାହିତ୍ୟ ଓ ଏହାର ସ୍ରଷ୍ଟାମାନଙ୍କୁ ସମ୍ମାନ ଦେବା ପରିବର୍ତ୍ତେ ସାଂଘାତିକ ବିକୃତ କରାଯାଇଛି । କେଉଁଠି ସ୍ରଷ୍ଟାଙ୍କ ନାଁ ବଦଳିଯାଇଛି ତ କୋଉଠି କାଳଜୟୀ କବିତାଗୁଡ଼ିକୁ ମୋଡ଼ି ମକଚି ଦିଆଯାଇଛି । ଏକ ସରକାରୀ ବ୍ୟବସ୍ଥାରେ ଦାୟିତ୍ୱବୋଧତା କେଉଁଭଳିସ୍ତରକୁ ଯାଇପାରେ ତାହାର ଏକ ନଗ୍ନ ଉଦାହରଣ ଆଣିଛି ଏହି ଡାଏରୀ । ଓଡ଼ିଆ ସାହିତ୍ୟ ଓ ବରପୁତ୍ରମାନଙ୍କୁ ଏହା ଅସମ୍ମାନିତ କରିବା ସହ ଓଡ଼ିଶାବାସୀଙ୍କ ପାଇଁ ଲଜ୍ଜାକର ବିଷୟ ହୋଇଛି ।
“ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ କର୍ମେ ଜୀଏଁ ନର, କର୍ମ ଏକା ତା’ର ଜୀବନର ମାନଦଣ୍ଡ ।” ଏହି କବିତା ପଂକ୍ତିଟି ଶୁଣିଲେ ମନକୁ ଆପେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନାଁ ଚାଲିଆସେ । ସ୍କୁଲରେ ପାଠ ପଢ଼ିଥିବା ସବୁ ଓଡ଼ିଆଙ୍କ ମନରେ ଏହା ପିଲାବେଳୁ ଛାପ ହୋଇ ରହିଯାଏ । ମାତ୍ର ଓଡ଼ିଶା ସରକାରଙ୍କ ୨୦୧୯ ଡାଏରୀରେ ଏହାର ରଚୟିତା କବିବର ରାଧାନାଥ ରାୟ ବୋଲି ଦର୍ଶାଯାଇଛି । କବିବରଙ୍କ ଫଟୋ ବି ଦିଆଯାଇଛି । କେଉଁ ପଣ୍ଡିତ ମହାଶୟ ଡାଏରୀ ପୃଷ୍ଠା ପ୍ରସ୍ତୁତ କରିଛନ୍ତି ତାହା ଭାବି ହେଉନାହିଁ । ହୁଏତ ଓଡ଼ିଆ ସାହିତ୍ୟ ଉପରେ ତାଙ୍କର ସାମାନ୍ୟତମ ଜ୍ଞାନ ନାହିଁ ନଚେତ୍ ଗଂଜେଇ ଟାଣି ଲେଖିଛନ୍ତି । ଖାଲି ଏଇ ଗୋଟିକ ନୁହଁ, ଡାଏରୀ ପୃଷ୍ଠାରୁ ଏମିତି ଅଧଡର୍ଜନ ଭୁଲ୍ ବାହାରିିଲାଣି । ବରପୁତ୍ରମାନଙ୍କ କବିତାଗୁଡ଼ିକୁ ନିଜ ଢ଼ଙ୍ଗରେ ସଜେଇଛନ୍ତି ସେହି ପଣ୍ଡିତ ମହାଶୟ । ଡାଏରୀ ଛାପାଖାନାକୁ ଯିବା ପୂର୍ବରୁ ଏଭଳି ଗୁରୁଚଣ୍ଡାଳ ଦୋଷ,ତ୍ରୁଟି କାହା ଆଖିରେ ନପଡ଼ିବା ସମସ୍ତଙ୍କୁ ବିସ୍ମିତ କରିଛି ।
ପ୍ରତିବର୍ଷ ଏହି ଡାଏରୀ ପ୍ରକାଶନର ଦାୟିତ୍ୱ ରାଜ୍ୟ ସରକାରଙ୍କ ବାଣିଜ୍ୟ ବିଭାଗ ଉପରେ ନ୍ୟସ୍ତ ରହିଛି । ବାଣିଜ୍ୟ ବିଭାଗ ଏହାକୁ ଛପାଇଲା ପରେ ସୂଚନା ଓ ଲୋକସମ୍ପର୍କ ବିଭାଗ ସମେତ ଅନ୍ୟାନ୍ୟ ବିଭାଗ ଜରିଆରେ ଏହାର ବିକ୍ରୀ ଓ ବଣ୍ଟନ ହୋଇଥାଏ । ଚଳିତବର୍ଷ ଡାଏରୀରେ ଅକ୍ଷମଣୀୟ ତ୍ରୁଟି ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକାର ବ୍ୟବସ୍ଥା ଜଣାପଡ଼ିନାହିଁ । ଏହି ଅକ୍ଷମଣୀୟ ତ୍ରୁଟି ପାଇଁ ରାଜ୍ୟ ସରକାର କ୍ଷମା ମାଗିବା ସହ ଡାଏରୀଗୁଡ଼ିକୁ ତୁରନ୍ତ ପ୍ରତ୍ୟାହାର କରିନେବା ପାଇଁ ଦାବି ହେଉଛି ।
ଆଶ୍ଚର୍ଯ୍ୟର କଥା, ଓଡ଼ିଆ ଅସ୍ମିତାର ପ୍ରଶ୍ନ ଜଡ଼ିତ ଥିବା ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ତଥାକଥିିତ ଭାଷା ସଂଗଠନଗୁଡ଼ିକ ପାଟି ଖୋଲିନାହାନ୍ତି । ଗତକାଲି ବିଜେପି ପକ୍ଷରୁ ଭୁବନେଶ୍ୱରରେ ଏକ ପ୍ରତିବାଦ ଶୋଭାଯାତ୍ରା ହୋଇଥିଲା । ଦଳଗତ ନିର୍ବିଶେଷରେ ଏହି ବିରୋଧରେ ସ୍ୱର ଉଠାଇବାକୁ ବିଭିନ୍ନ ମହଲରୁ ଦାବି ଉଠିଛି ।