ଭୁବନେଶ୍ୱର: ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି କଠୋର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ସରକାରର ଭାବମୂର୍ତ୍ତି ଓ ଦଳୀୟ ବିଶୃଙ୍ଖଳା ସଜାଡ଼ି ନିର୍ବାଚନ ମଇଦାନକୁ ଓହ୍ଲାଇବା ତାଙ୍କର ଲକ୍ଷ୍ୟ ରହିଛି । ୩ କ୍ୟାବିନେଟ୍ ସହଯୋଗୀଙ୍କୁ ମନ୍ତ୍ରୀମଣ୍ଡଳରୁ ହଟାଇ ମୁଖ୍ୟମନ୍ତ୍ରୀ ତାଙ୍କର ଅଭିଯାନ ଆରମ୍ଭ କରିବେ । ଦିନେ ଦୁଇ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯେ କୌଣସି ମୁହୁର୍ତ୍ତରେ ୩ ବରିଷ୍ଠ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ କୁହାଯିବ । ସେମାନଙ୍କୁ ସାଂଗଠନିକ କାର୍ଯ୍ୟରେ ଲଗାଯିବ ।
ସୂଚନା ଅନୁଯାୟୀ, ବାଦ୍ ପଡ଼ିବାକୁ ଯାଉଥିବା ଏହି ୩ ମନ୍ତ୍ରୀଙ୍କ ମଧ୍ୟରୁ ଦୁଇଜଣ ଉପକୂଳ ଜିଲ୍ଲାର ହୋଇଥିବା ବେଳେ ଜଣେ ଦକ୍ଷିଣ ଓଡ଼ିଶାର । ବିଭିନ୍ନ ପ୍ରସଙ୍ଗରେ ଦଳ ଓ ସରକାରଙ୍କ ପାଇଁ ସେମାନେ ଅଡୁଆ ହୋଇଛନ୍ତି । ସେମାନଙ୍କ କାର୍ଯ୍ୟକଳାପ ମୁଖ୍ୟମନ୍ତ୍ରୀଙ୍କୁ ପ୍ରବଳ କ୍ଷୁବ୍ଧ କରିଛି । ସେମାନଙ୍କୁ ସରକାରରେ ରଖି ଆଗକୁ ବଢ଼ିଲେ ବିପଦ । ବିରୋଧୀ ଦଳ ପାଇଁ ଖୋରାକି ହେବ । ସରକାର ଆହୁରି ବଦନାମ ହେବେ । ଦଳ ପାଇଁ ଅପବାଦ ବଢ଼ିବ । ଏହାକୁ ମୁଖ୍ୟମନ୍ତ୍ରୀ ହୃଦୟଙ୍ଗମ କରିସାରିଲେଣି । ଦଳ ଓ ସରକାରର ଭାବମୂର୍ତ୍ତି ରକ୍ଷା କରିବାକୁ ହେଲେ ଏମାନଙ୍କୁ ହଟାଇବା ଛଡ଼ା ଅନ୍ୟ ବାଟ ନାହିଁ । ତେବେ ସେମାନଙ୍କ ଅସନ୍ତୋଷକୁ ପ୍ରଶମିତ କରି ଦଳୀୟ ସନ୍ତୁଳନ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଚିନ୍ତା କରିଛନ୍ତି । ନିର୍ବାଚନ ପରିପ୍ରେକ୍ଷୀରେ ସେମାନଙ୍କୁ ଦଳୀୟ ସଂଗଠନ ଦାୟିତ୍ୱ ଦେଇ ଥଇଥାନ କରାଯିବ ।
ସେହିଭଳି ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ଓ ବିରୋଧୀଙ୍କ କଡ଼ା ମୁକାବିଲା ପାଇଁ ଦଳୀୟସ୍ତରରେ ଗୋପନ ରଣନୀତି ପ୍ରସ୍ତୁତ ହୋଇଛି । ଏହିକ୍ରମରେ କିଛି ନେତାଙ୍କ ହାତରେ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯିବ । ମୁଖ୍ୟମନ୍ତ୍ରୀ ନିଜେ ଏସବୁର ତଦାରଖ କରିବେ । ପଞ୍ଚମ ଥର ପାଇଁ କ୍ଷମତା ଫେରିବା ଆଶାରେ ରହିଥିବା ମୁଖ୍ୟମନ୍ତ୍ରୀ ପୂର୍ବର ସବୁ ନିର୍ବାଚନଠାରୁ ଏଥର ନିର୍ବାଚନକୁ ଅଧିକ ଚାଲେଂଜ ଭାବେ ଗ୍ରହଣ କରିଛନ୍ତି । ସେହି ଅନୁଯାୟୀ ନିଜର ଆଭିମୁଖ୍ୟକୁ ଟାଣ କରିଥିବା ତାଙ୍କ ନିକଟତମ ମହଲରୁ ସୂଚନା ମିଳିଛି ।