ଭୁବନେଶ୍ୱର: ଓଡ଼ିଶାର ପଞ୍ଚମ କରୋନା ଆକ୍ରାନ୍ତ ସୂର୍ଯ୍ୟନଗରର ପ୍ରଦୀପ୍ତ ଦଳବେହେରାଙ୍କ ଟ୍ରାଭେଲ୍ ହିଷ୍ଟ୍ରିରେ ବିଦେଶ କିମ୍ବା ଅନ୍ୟ ରାଜ୍ୟ ଗସ୍ତ ନାହିଁ । ନିକଟ ଭବିଷ୍ୟତରେ ସେ ଭୁବନେଶ୍ୱରର କୁଆଡ଼େ ଯାଇଥିଲେ, କାହା କାହା ସହିତ ମିଶିଥିଲେ ସେହି ତଥ୍ୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଓ ଟ୍ରିଟମେଣ୍ଟ ହିଷ୍ଟ୍ରି ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଭୀଷଣ ସର୍ଦ୍ଦି ହେବାରୁ ସେ ମାର୍ଚ୍ଚ ୫ରେ ସୂର୍ଯ୍ୟନଗରସ୍ଥିତ ମହାଶକ୍ତି କ୍ଲିନିକ୍ ଯାଇଥିଲେ । ଔଷଧ ଖାଇ ସର୍ଦ୍ଦି କମିଥିଲେ ମଧ୍ୟ କାଶ ହେବାରୁ ମାର୍ଚ୍ଚ ୧୨ ତାରିଖରେ ମହାଶକ୍ତି କ୍ଲିନିକ୍ ପୁନଶ୍ଚ ଯାଇଥିଲେ । ତେବେ ଦେହ ଠିକ୍ ନ ହେବାରୁ ମାର୍ଚ୍ଚ ୨୭ ତାରିଖ ଅପରାହ୍ନରେ ସମ୍ ହସ୍ପିଟାଲ୍ ଓପିଡିକୁ ଯାଇଥିଲେ । ପରଦିନ ମାର୍ଚ୍ଚ ୨୮ ତାରିଖରେ ଏମସ୍ ଯାଇଥିଲେ ଏବଂ ଓପିଡିରେ ଡାକ୍ତରଙ୍କ ସହ ପରାମର୍ଶ କରି ଘରକୁ ଫେରି ଆସିଥିଲେ । ତେବେ ଶ୍ୱାସକ୍ରି୍ୟାରେ କଷ୍ଟ ଅନୁଭବ କରିବାରୁ ମାର୍ଚ୍ଚ ୩୧ ତାରିଖରେ ଏମସ୍ ରେ ଆଡମିଟ୍ ହୋଇଥିଲେ । ସେହିଦିନ ତାଙ୍କର ରକ୍ତ ଓ ସ୍ୱାବ୍ ନମୁନା ସଂଗ୍ରହ କରାଯାଇଥିଲା । ଏପ୍ରିଲ୍ ୧ ତାରିଖରେ ନମୁନା ପରୀକ୍ଷାରୁ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ।
ସେପଟେ ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମାବେଶରେ ଯୋଗଦେଇଥିବା ଓଡ଼ିଶାର ୨୭ ଜଣଙ୍କ ସମ୍ପର୍କରେ ଏ ଯାଏଁ ସନ୍ଧାନ ମିଳିଛି । ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କର ନମୁନା ଆଜି ପରୀକ୍ଷା ହୋଇଥିଲା । ସମସ୍ତଙ୍କର ରିପୋର୍ଟ ନେଗେଟିଭ୍ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି ।
ତିନି ହସ୍ପିଟାଲ୍ ରେ କୋଭିଡ୍ ଟେଷ୍ଟ ପାଇଁ ଅନୁମତି ମଗାଗଲା: ବ୍ରହ୍ମପୁରର ଏମକେସିଜି, ବୁର୍ଲାର ଭୀମସାର୍ ଏବଂ ରାଉରକେଲାର ଆଇଜିଏଚ୍ ରେ କୋଭିଡ୍-ଟେଷ୍ଟ୍ ପାଇଁ ମୁଖ୍ୟମନ୍ତ୍ରୀ ଇଣ୍ଡିଆନ୍ କାଉନସିଲ୍ ଅଫ ମେଡ଼ିକାଲ ରିସର୍ଚ୍ଚ, ନୂଆଦିଲ୍ଲୀଙ୍କଠାରୁ ଅନୁମତି ଲୋଡିଛନ୍ତି । ୫୦୦୦ ସାମ୍ପଲ୍ ଟେଷ୍ଟ୍ ପାଇଁ ଆବଶ୍ୟକ ଅତିରିକ୍ତ କିଟସ୍ ଯୋଗାଡ଼ ପ୍ରକ୍ରିୟା ଆରମ୍ଭ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରିଛି ।