ଭୁବନେଶ୍ୱର: ଭୁବନେଶ୍ୱରରେ ଅନ୍ୟାନ୍ୟ ବିପତ୍ତିଠାରୁ ବଳିପଡ଼ିଛି ଚୋରି, ଛିନତାଇ, ଡକାଏତି ବିପତ୍ତି । ରାସ୍ତାଘାଟରେ ଗଲେ ଯେତିକି ବିପଦ, ଘରେ ରହିଲେ ବି ସେତିକି ବିପଦ । ଟ୍ରେନଡ୍ ଡକାଏତ ଗୋଷ୍ଠୀର କମିଶନରେଟ୍ ପୁଲିସକୁ ଆଦୌ ଡର ନାହିଁ । ପୁଲିସ ବି ଚୋରି, ଡକାଏତି ଭଳି ଘଟଣାରେ ନିଜକୁ ଅସହାୟ ଦେଖାଇ ହାତ ଟେକିଦେଉଛି । ମୋଟାମୋଟି ଭାବେ ରାଜଧାନୀବାସୀ ନିଜ ଘରେ ଯେ ସୁରକ୍ଷିତ ନୁହଁନ୍ତି ତାହା କିଛି ଘଟଣାରୁ ସ୍ପଷ୍ଟ ହୋଇଛି ।
ଗଲା ଗୁରୁବାର ରାତିରେ ପାତ୍ରପଡ଼ା ଏମଆଇଜି କଲୋନି କଲୋନି କେ-୯ ଏ-୧୦ସ୍ଥିତ ଏଲ.ଏନ୍.ମିଶ୍ରଙ୍କ ଘର ଡକାଏତି ଉଦ୍ୟମର ଲାଇଭ୍ ଭିଜୁଆଲ୍ କମିଶନରେଟ୍ ପୁଲିସର ନିଦ ହଜାଇଦେଇଛି । ସେହି ଘରେ ଏକ ଫିଜିଓଥେରାପି କ୍ଲିନିକ୍ ଚଲାଉଥିବା ଡାକ୍ତର ଅମ୍ଲାନ୍ କେଶରୀ ମହାନ୍ତିଙ୍କ ସର୍ବସ୍ୱ ଲୁଟିବାକୁ ଡକାଏତି ଦଳର କସରତ ଦୃଶ୍ୟ କଏଦ ହୋଇଛି ସିସିଟିଭି କ୍ୟାମେରାରେ । ରାତି ୩.୧୫ରେ ୬ ଜଣିଆ ହୃଷ୍ଟପୃଷ୍ଟିଆ ଡକାୟତ ଦଳ ଘରର ଗେଟ୍ ଡେଇଁ ଭିତରକୁ ପଶୁଛନ୍ତି । କିଛି ଡକାୟତଙ୍କ ଦେହରେ କେବଳ ଚଡ଼ି ଓ ଗଞ୍ଜି ଥିଲା ବେଳେ ଆଉ କିଛି ଲୁଙ୍ଗି ପିନ୍ଧିଛନ୍ତି । ହାତରେ ଶାବଳ ଓ ବିଭିନ୍ନ ମାରଣାସ୍ତ୍ର । ପ୍ରଥମେ ଶାବଳ ଲଗାଇ ଗ୍ରୀଲ୍ ତାଡ଼ିବା ସହ କବାଟ ତାଲା ଭାଙ୍ଗୁଛନ୍ତି । ହେଲେ ଭିତରପଟ ଗ୍ରୀଲ୍ ଭାଙ୍ଗିପାରୁନାହାନ୍ତି । ଆରାମ୍ ରେ ଚାରିପଟ ଚକ୍କର ମାରି ଅଲଗା ବାଟ ଖୋଜୁଛନ୍ତି । ଆଖି ଆଗରେ ସିସିଟିଭି କ୍ୟାମେରା ପଡ଼ିବାରୁ ତାକୁ ଭାଙ୍ଗି ଚୁରମାର୍ କରୁଛନ୍ତି । ସବୁ ପରେ ବି ନିରାଶ ହୋଇ ଫେରିଯାଉଛନ୍ତି ।
ସଶସ୍ତ୍ର ଡକାୟତ ଦଳ ଘରେ ପଶି ଖାଲି ଲୁଟ୍ କରିନଥାଆନ୍ତେ । ଯିଏ ସାମନାକୁ ଆସିଥାଆନ୍ତା ଗୁଳି ମାରିଥାଆନ୍ତେ ନହେଲେ ହାଣି ପକାଇଥାଆନ୍ତେ । ସୌଭାଗ୍ୟକୁ ଘରର ଷ୍ଟ୍ରଙ୍ଗ ଗ୍ରୀଲ୍ ଭାଙ୍ଗି ନ ପାରି ଚାଲିଗଲେ । ଡାକ୍ତର ମହାନ୍ତିଙ୍କ ଏତଲାକ୍ରମେ ତମାଣ୍ଡୋ ପୁଲିସ ଘଟଣାର ଛାନଭିନ୍ କରିଥିଲେ ମଧ୍ୟ କାହାରିକୁ ଗିରଫ କରିନାହିଁ । ସବୁଠାରୁ ବଡ଼କଥା ହେଉଛି, ଖୋଦ୍ ଥାନା ଆଇଆଇସି କହିଛନ୍ତି ୬ ଜଣ ଡକାୟତଙ୍କ ମଧ୍ୟରୁ ୩ ଜଣଙ୍କୁ ପୁଲିସ ଚିହ୍ନିଛି । ହେଲେ ୩ ଦିନ ବିତିଗଲା ପରେ ବି ସେମାନେ ଧରା ନ ପଡ଼ିବା ପୁଲିସର ଅପାରଗପଣିଆକୁ ଅଙ୍ଗୁଳି ଉଠାଇଛି ।
ଖାଲି ଏହି ଗୋଟିଏ ଘଟଣା ନୁହେଁ । ରାଜଧାନୀରେ ପ୍ରତିଦିନ ଏଭଳି ଘଟିଚାଲିଛି ଚୋରି, ଡକାଏତି । ଛିନତାଇ ଏକ ସାଧାରଣ ଘଟଣା ହୋଇଗଲାଣି । ରାସ୍ତାରେ ମହିଳାଙ୍କ ଯିବାଆସିବାରେ ବିପଦ ରହିଛି । ସ୍ୱାମୀ ଆଗରେ ସ୍ତ୍ରୀ ବେକରୁ ଚେନ୍ ଛିଣ୍ଡାଇ ନେଉଛନ୍ତି ଚୋର । ଗାଡ଼ିମଟର ଚୋରି ବି ସାଧାରଣ ହୋଇଗଲାଣି । ଚୋର, ଡକାୟତଙ୍କ ସହ ପୁଲିସର ସମ୍ପର୍କକୁ ନେଇ ସାଂଘାତିକ ଅଭିଯୋଗ ଉଠୁଥିବାରୁ ପୁଲିସ ପ୍ରତି ଭୁବନେଶ୍ୱରବାସୀଙ୍କ ସନ୍ଦେହଜାତ ହୋଇଛି । ଏହାକୁ କଡ଼ାହସ୍ତରେ ଦମନ ନ କଲେ ପୁଲିସ ପ୍ରତି ଲୋକଙ୍କର ଆସ୍ଥା ରହିବନି ତାହା ସ୍ପଷ୍ଟ ।