ଭୁବନେଶ୍ୱର: ବିଜେଡ଼ି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳୀୟସ୍ତରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଗଣମାଧ୍ୟମ ସଂଯୋଜକ ଦାୟିତ୍ୱରେ ଥିବା ବରିଷ୍ଠ ଯୁବନେତା ମାନସ ରଂଜନ ମଙ୍ଗରାଜଙ୍କୁ ଦଳର ସାଧାରଣ ସମ୍ପାଦକ ପଦବୀକୁ ଉନ୍ନୀତ କରିଛନ୍ତି । ଶ୍ରୀ ମଙ୍ଗରାଜ ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ଦାୟିତ୍ୱ ତୁଲାଇବେ । ବିଜେଡ଼ି ସଭାପତିଙ୍କ ଏହି ନିଷ୍ପତ୍ତିକୁ ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।
ସାମ୍ବାଦିକତାରୁ ରାଜନୀତିକୁ ଆସିଥିବା ମାନସ ମଙ୍ଗରାଜଙ୍କ ବ୍ୟକ୍ତିତ୍ୱ ଓ ଦକ୍ଷତା ବିଜେଡ଼ି ମହଲରେ ବେଶ୍ ଆଦୃତ ଲାଭ କରିଛି । ବିଗତ କିଛି ମାସ ଧରି ଗଣମାଧ୍ୟମ ସଂଯୋଜକ ଭାବେ ସେ ତାଙ୍କର ଦାୟିତ୍ୱ ନିଖୁଣ ଭାବେ ତୁଲାଇ ସୁପ୍ରିମୋଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଗଣମାଧ୍ୟମ ବ୍ୟାପାରର ସ୍ୱତନ୍ତ୍ର ଦାୟିତ୍ୱ ସହ ଦଳର ସାଧାରଣ ସମ୍ପାଦକ ଭଳି ଗୁରୁଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଇଥିବାରୁ ବିଜେଡ଼ି ମହଲରେ ଆନନ୍ଦ ପ୍ରକାଶ ପାଇଛି । ଦଳର ସବୁବର୍ଗର ନେତା ଶ୍ରୀ ମଙ୍ଗରାଜଙ୍କ ନୂତନ ନିଯୁକ୍ତିକୁ ସ୍ୱାଗତ କରିଛନ୍ତି ।