ଭୁବନେଶ୍ୱର: ଆମ ରାଜ୍ୟରେ ତିନୋଟି ପ୍ରମୁଖ ଦଳ । ବିଜେଡ଼ି, ବିଜେପି ଏବଂ କଂଗ୍ରେସ । ମିଡ଼ିଆରେ ଦଳକୁ ସୁରକ୍ଷା ଦେବା ପାଇଁ ସମସ୍ତଙ୍କର ଅଛି ବିଶାଳ ଯୋଦ୍ଧା ବାହିନୀ । ଏହି ଯୋଦ୍ଧାମାନେ ହେଲେ ଦଳର ମୁଖପାତ୍ର/ ମିଡ଼ିଆ ପ୍ୟାନେଲିଷ୍ଟ । ଦଳର କାର୍ଯ୍ୟକ୍ରମ, ଆଭିମୁଖ୍ୟ ଲୋକଙ୍କୁ ଜଣାଇବାର ଗୁରୁ ଦାୟିତ୍ୱ ଏମାନଙ୍କର । ଏଥିସହ ଶତ୍ରୁ ପକ୍ଷ ଆକ୍ରମଣ କଲେ ଏମାନଙ୍କ କାମ ଶତ୍ରୁକୁ ଜବାବ ଦେବେ । ଶତ୍ରୁ ଯାହା କହୁଛନ୍ତି ତାହା ଭୁଲ୍ ବୋଲି ପ୍ରମାଣିତ କରିବେ ।
ତିନୋଟି ଯାକ ଦଳର ଘୋଷିତ ତୁଣ୍ଡ ବା ଯୋଦ୍ଧା ତାଲିକା ବେଶ୍ ଲମ୍ବା ଓ ଚଉଡ଼ା । ଯେମିତି କି ବିଜେଡ଼ିରେ ଜଣେ ମିଡ଼ିଆ ସଂଯୋଜକ, ୫ ଜଣ ଜାତୀୟ ମୁଖପାତ୍ର, ୧୪ ଜଣ ରାଜ୍ୟ ମୁଖପାତ୍ର ଏବଂ ୧୦ ଜଣ ପ୍ୟାନେଲିଷ୍ଟ । କଂଗ୍ରେସରେ, ନିରଞ୍ଜନ ପଟ୍ଟନାୟକ ପିସିସି ଦାୟିତ୍ୱ ନେଲା ପରେ ୩୧ ଜଣିଆ ମୁଖପାତ୍ର ଟିମ୍ ଗଠନ କରିଥିଲେ । ନିର୍ବାଚନ ପରଠାରୁ ତାହା ଭାଙ୍ଗିଗଲାଣି । କାମଚଳା ପିସିସି ସଭାପତି କୁହାଯାଉଥିବା ନିରଞ୍ଜନ ପଟ୍ଟନାୟକ ଏବେ ହାଇକମାଣ୍ଡଙ୍କ ବିନା ଅନୁମୋଦନରେ ଗଢ଼ିଛନ୍ତି ୧୬ ଜଣିଆ ମିଡ଼ିଆ ଯୋଦ୍ଧା । ବିଜେପିରେ ସମୀର ମହାନ୍ତି ଦାୟିତ୍ୱ ନେବାର ୪ ମାସ ପରେ ତାଙ୍କ ଟିମ୍ ରେ ୧୦ ଜଣଙ୍କୁ ରାଜ୍ୟ ମୁଖପାତ୍ର ରଖିଛନ୍ତି ।
ପ୍ରସଙ୍ଗ ହେଉଛି, କାଗଜରେ ଏମାନେ ମୁଖପାତ୍ର/ପ୍ୟାନେଲିଷ୍ଟ ହେଲେ ବି କାର୍ଯ୍ୟକ୍ଷେତ୍ରରେ ଏମାନଙ୍କ ସଂଖ୍ୟା ବହୁତ କମ୍ । ସେମାନଙ୍କ କାମ ପ୍ରକ୍ସିରେ ଚାଲୁଛି । ଅର୍ଥାତ୍ ଦଳର ନିଯୁକ୍ତିପ୍ରାପ୍ତ ତୁଣ୍ଡଙ୍କ ଜାଗାରେ ଅନ୍ୟ ନେତାଙ୍କ ମୁହଁ ଦିଶୁଛି, ତୁଣ୍ଡ ଶୁଭୁଛି । କୌଣସି ପ୍ରସଙ୍ଗ ଆସିଲେ ଟିଭିରେ ନକଲି ମୁଖପାତ୍ରଙ୍କୁ ଦେଖିବାକୁ ମିଳୁଛି ।
ବିଜେଡ଼ି ମୁଖପାତ୍ର ହୋଇଥିବା ପ୍ରଶାନ୍ତ ନନ୍ଦ, ରମେଶ ମାଝୀ, ବ୍ୟୋମକେଶ ରାୟ, ଆକାଶ ଦାସନାୟକ, ଅନୁଭବ ପଟ୍ଟନାୟକ, ସୁଲତା ଦେଓ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ମିଶ୍ର, ଭରଦ୍ୱାଜ ମିଶ୍ରଙ୍କୁ ମୁଖପାତ୍ର ଭୂମିକାରେ ପ୍ରାୟତଃ ଦେଖିବାକୁ ମିଳୁନାହିଁ । ପ୍ରତାପ ଦେବ ଆଗରୁ ମୁଖ୍ୟ ମୁଖପାତ୍ରର ଦାୟିତ୍ୱ ତୁଲାଉଥିଲେ ବି ଆଜିକାଲି ପାଟି ଖୋଲୁନାହାନ୍ତି । କେବଳ ସସ୍ମିତ୍ ପାତ୍ର, ସୁବାସ ସିଂ, ଲେଲିନ୍ ମହାନ୍ତି ଆଗକୁ ଆସୁଛନ୍ତି । ମୁଖପାତ୍ର ନ ଥାଇ କିଛି ନେତା ଉପରେ ପଡ଼ି କ୍ୟାମେରା ସାମନାକୁ ଆସୁଛନ୍ତି । ଏଭଳି ନେତାଙ୍କ ମଧ୍ୟରେ ସବୁଠୁ ଆଗରେ ଅଛନ୍ତି ବିଧାୟକ ଶଶୀଭୂଷଣ ବେହେରା । ପରିଚୟ ସଙ୍କଟରୁ ମୁକୁଳିବା ପାଇଁ ଏହି ବ୍ୟଗ୍ରତା ବୋଲି ଚର୍ଚ୍ଚା ହୁଏ ।
ସମୀର ମହାନ୍ତି ତାଙ୍କ ନୂଆ ଟିମ୍ ରେ ୧୦ ଜଣ ମୁଖପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି । ହେଲେ ଏ ପର୍ଯ୍ୟନ୍ତ ସେମାନଙ୍କ ଉପସ୍ଥିତି ଜଣାପଡ଼ିନାହିଁ । ନିର୍ବାଚନ ବେଳେ ତମ୍ବି ତୋଫାନ କରୁଥିବା ଆଡଭୋକେଟ୍ ପୀତାମ୍ବର ଆଚାର୍ଯ୍ୟ ହିଞ୍ଜିଳିରେ ନିର୍ବାଚନ ହାରିବା ପରଠୁ ଟିଭି ପରଦାରେ ଆସୁନାହାନ୍ତି । ଦଳର ମୁଖପାତ୍ର ନ ଥାଇ ବି ମୁଖପାତ୍ର ଭୂମିକାରେ ବେଶୀ ଦିଶୁଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ଲେଖାଶ୍ରୀ ସାମନ୍ତସିଂହାର, ଗୋଲକ ମହାପାତ୍ର ବି ସେଇ ରାସ୍ତା ଧରିଛନ୍ତି । ଏମାନେ ଦଳୀୟ ସଂଗଠନରେ ଉଚ୍ଚ ଦାୟିତ୍ୱ ପାଇଥିଲେ ବି ମୁଖପାତ୍ର ମୋହ ତୁଟେଇ ପାରୁନାହାନ୍ତି ।
କଂଗ୍ରେସ ଅବସ୍ଥା ନ କହିବା ଭଲ । ଗୋଡ ଟଣାଟଣି, ହାତାହାତିରେ ରହିଥିବା ଦଳୀୟ ନେତାଙ୍କ ମଧ୍ୟରେ ତାଳମେଳ ନ ଥିଲା କି ନାହିଁ । ନୂଆ ନୂଆ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଶକ୍ତ ଜବାବ ଦେଉଥିବା ମିଡ଼ିଆ ସେଲ୍ ମୁଖ୍ୟ ସତ୍ୟପ୍ରକାଶ ନାୟକଙ୍କୁ ନିରଞ୍ଜନ ହଟାଇ ଦେଇଛନ୍ତି । ନିକଟରେ ୧୬ ଜଣଙ୍କୁ ମିଡ଼ିଆ ପ୍ୟାନେଲିଷ୍ଟ୍ ଦାୟିତ୍ୱ ଦେଇଥିଲେ ମଧ୍ୟ ଦଳର ତୁଣ୍ଡ ସାଜିଛନ୍ତି ବିଧାୟକ ସୁର ରାଉରତରାୟ । କ୍ୟାମେରା ଦେଖିଲେ ମନଇଚ୍ଛା ଗପୁଛନ୍ତି । ଟିଭି ସାମ୍ବାଦିକମାନେ ବି ଟିଆରପି ପାଇଁ ତାଙ୍କୁ ଖୋଜୁଛନ୍ତି । ଦଳର ଆଭିମୁଖ୍ୟ ଉପରେ କମ୍ ଦଖଲ ରଖିଥିବା ସୁର ରାଉତରାୟ ନିଜ ମନକୁ ଯାହା ଆସିଲା କହୁଛନ୍ତି ।
ପ୍ରଶ୍ନ ହେଉଛି, ଦଳ ଦ୍ୱାରା ନିଯୁକ୍ତିପ୍ରାପ୍ତ ମୁଖପାତ୍ରମାନେ ଦଳର ଆଭିମୁଖ୍ୟ ରଖିବାରେ କ’ଣ ଅସମର୍ଥ, ଅଯୋଗ୍ୟ । ଯଦି ଅଯୋଗ୍ୟ, ସେମାନଙ୍କୁ କେଉଁ ବିଚାରରେ ଦଳ ନିଯୁକ୍ତି ଦେଇଛି । କେବଳ ଥଇଥାନ ଭିତ୍ତିରେ ନିଯୁକ୍ତି ଦିଆଯାଇଛି କି ?
ଏହି ପ୍ରସଙ୍ଗକୁ ନେଇ ତିନୋଟି ଯାକ ଦଳରେ ଅଳ୍ପ ବହୁତ ଅସନ୍ତୋଷ ରହିଛି । ଦାୟିତ୍ୱ ପାଇ ବି ଦାୟିତ୍ୱ ନିର୍ବାହରୁ ବଞ୍ଚିତ ନେତାମାନେ ପଦବୀ ଚାଲିଯିବା ଭୟରେ ପାଟି ଖୋଲୁ ନ ଥିଲେ ମଧ୍ୟ ଅସନ୍ତୋଷର ନିଆଁରେ ଜଳୁଛନ୍ତି । ଦଳରେ ମାମଲତିକାର ବନିଥିବା ନକଲି ମୁଖପାତ୍ରମାନଙ୍କ କାଟତି ଆଗରେ ନିଜକୁ ଅସହାୟ ମଣୁଛନ୍ତି । ଜଣେ ଅସନ୍ତୁଷ୍ଟ ମୁଖପାତ୍ର କହିଛନ୍ତି, ଆମକୁ କହିବାର ସୁଯୋଗ ମିଳୁନି । ନିଜକୁ ପ୍ରଭାବଶାଳୀ ବୋଲାଉଥିବା ନେତା ନିଇତି ଟିଭିରେ ମୁହଁ ନ ଦେଖାଇଲେ ରାତିରେ ଶୋଇ ପାରୁନାହାନ୍ତି । ଆମେ କାହାକୁ ଗୁହାରି କରିବୁ ବୋଲି ସେ ଆମକୁ ଓଲଟା ପ୍ରଶ୍ନ କରିଛନ୍ତି ।