‘ଆପଣମାନେ ହେଲେ ପ୍ରକୃତ କରୋନା ଯୋଦ୍ଧା’
ଭୁୁବନେଶ୍ୱର: କୋଭିଡ୍ ମୁକାବିଲାରେ ମିଶନ ଶକ୍ତିର ୭୦ ଲକ୍ଷ ମହିଳାଙ୍କ ଅବଦାନକୁ ଆବେଗପୂର୍ଣ୍ଣ ତାରିଫ୍ କରିଛନ୍ତି ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ୍ । ସବୁ ମା ଭଉଣୀମାନେ ଅତ୍ୟନ୍ତ ଉତ୍ସାହ ଓ ନିଷ୍ଠାର ସହ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ନିଜ ଘରେ କରୋନାକୁ ପୂରାଇ ନ ଦେବା ସହ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଇ ଜୀବନ ବଞ୍ଚାଇବା କାର୍ଯ୍ୟରେ ଲାଗିଛନ୍ତି । ଆଜି ଓଡ଼ିଶାରେ କରୋନା ପରିସ୍ଥିତି ନିୟନ୍ତ୍ରଣ ରହିବା ପଛରେ ରହିଛି ସେମାନଙ୍କର ଶୃଙ୍ଖଳା, ନିଷ୍ଠା ଓ ତ୍ୟାଗ । ଆପଣମାନେ ହେଲେ ପ୍ରକୃତ କରୋନା ଯୋଦ୍ଧା ଓ ସଂଗ୍ରାମୀ ବୋଲି କହିଛନ୍ତି ଶ୍ରୀମତୀ କାର୍ତ୍ତିକେୟନ୍ ।
ପ୍ରବାସୀ ଓଡ଼ିଆଙ୍କଠାରେ କରୋନା ସଂକ୍ରମଣ ପ୍ରସଙ୍ଗରେ ଶ୍ରୀମତୀ କାର୍ତ୍ତିକେୟନ୍ ଶ୍ରୀଯୁକ୍ତ ବାଗଚୀଙ୍କ ଯୁକ୍ତିକୁ ସମର୍ଥନ କରିଛନ୍ତି । ପ୍ରବାସୀ ଓଡ଼ିଆଙ୍କ ଆଗମନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ପଜିଟିଭ୍ ସଂଖ୍ୟା ବଢ଼ିବ ବୋଲି ସ୍ପଷ୍ଟ କରିଦେଇଥିଲେ । ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଯଥେଷ୍ଟ ସତର୍କତା ଅବଲମ୍ବନ କରିଥିବା ମଧ୍ୟ କହିଥିଲେ । ମୁଖ୍ୟମନ୍ତ୍ରୀ ଯାହା କହିଥିଲେ ତାହା କାର୍ଯ୍ୟରେ ପ୍ରତିଫଳିତ ହୋଇଛି । ସରକାର ଦୂରଦୃଷ୍ଟି ରଖି ପ୍ରତି ପଞ୍ଚାୟତରେ କ୍ୱାରେଣ୍ଟାଇନ୍ କେନ୍ଦ୍ର ଖୋଲିବାକୁ ବହୁ ପୂର୍ବରୁ ପ୍ରସ୍ତୁତି କରିଥିଲେ । ଆଜି ପ୍ରବାସୀ ଓଡ଼ିଆମାନେ ସେଠାରେ ରହିବା ଦ୍ୱାରା ଗୋଷ୍ଠୀ ସଂକ୍ରମଣର ଆଶଙ୍କା ନାହିଁ । ତେଣୁ ପଜିଟିଭ୍ ସଂଖ୍ୟା ବଢ଼ୁଥିଲେ ମଧ୍ୟ ଡରିବାର ନାହିଁ ବୋଲି ସେ କହିଛନ୍ତି ।
ପ୍ରବାସୀ ଓଡ଼ିଆଙ୍କଠାରୁ ସଂକ୍ରମଣ ବାହାରକୁ ନ ବ୍ୟାପିବା ପାଇଁ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଶ୍ରୀମତୀ କାର୍ତ୍ତିକେୟନ୍ ସେମାନଙ୍କ ପାଇଁ କିଛି ଉପାଦେୟ ପରାମର୍ଶ ଦେଇଛନ୍ତି ।
୧- ବାହାରୁ ଫେରି ଗାଁ ପଞ୍ଚାୟତ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହୁଥିବା ବ୍ୟକ୍ତିମାନେ କାହାର ସ୍ୱାମୀ, ଭାଇ କି ପୁଅ ହୋଇଥାଇପାରନ୍ତି । ମାତ୍ର ବହୁତ ଦିନ ପରେ ସେମାନେ ବାହାରୁ ଫେରିଥିବାରୁ ଟିକେ ଦେଖିବା ପାଇଁ କି ମନରେ ବ୍ୟଗ୍ରତା ରଖନ୍ତୁ ନାହିଁ । ଏହାଦ୍ୱାରା ନିଜ ଘରକୁ ସଂକ୍ରମଣ ଆଣିପାରନ୍ତି ।
୨- ପରିବାରର ଅନ୍ୟ କାହାରିକୁ ମଧ୍ୟ କ୍ୱାରେଣ୍ଟାଇନ୍ କେନ୍ଦ୍ର ଯାଇ ସେମାନଙ୍କୁ ଦେଖିବାକୁ ଅନୁମତି ଦିଅନ୍ତୁ ନାହିଁ ।
୩- ଫୋନ୍ କରି ସେମାନଙ୍କୁ ଜଣାନ୍ତୁ କି ଲୁଚିକି ଯେମିତି ଘରକୁ ନ ଆସନ୍ତି । ସରକାରଙ୍କ ଯାହା ନିୟମ ତାକୁ ପାଳନ୍ତୁ ।
ଜୀବନ ଥିଲେ ସ୍ନେହ ମମତା ରହିବ । ୨୧ ଦିନ ସତର୍କ ରହିଗଲେ ସମସ୍ତେ ନିରାପଦରେ ରହିପାରିବେ । ନଚେତ୍ ସଂକ୍ରମଣ ଘରକୁ ଆସି ନିଜକୁ, ପରିବାର ଲୋକଙ୍କୁ ଏବଂ ସମାଜକୁ ବ୍ୟାପି ଜୀବନକୁ ବିପଦରେ ପକାଇବ । ଦୁଇମାସ ଧରି ମାଆମାନେ ଯେଭଳି ଲଢ଼େଇ କରୁଛନ୍ତି ଆଗାମୀ ଦୁଇମାସ ପାଇଁ ତାହା ଜାରି ରଖିବାକୁ ଶ୍ରୀମତୀ କାର୍ତ୍ତିକେୟନ୍ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଆପଣମାନେ ଆଦୋ÷ ଭୟରେ ରହନ୍ତୁ ନାହିଁ । କାରଣ ସତର୍କତା ହିଁ କରୋନା ବିପଦରୁ ସମସ୍ତଙ୍କୁ ରକ୍ଷା କରିପାରିବ ବୋଲି ପରାମର୍ଶ ଦେଇଛନ୍ତି ।







