. ଗଞ୍ଜାମ ୧୮, ମୟୁରଭଞ୍ଜ ୩, ଭଦ୍ରକ୧, ସୁନ୍ଦରଗଡ଼ ୧, ନୟାଗଡ଼ ୧
. ୧୯ ଜିଲ୍ଲାରୁ ୨୯୪ କରୋନା ଆକ୍ରାନ୍ତ
ଭୁୁବନେଶ୍ୱର: ଗଞ୍ଜାମରେ ସୁରତ ଫେରନ୍ତା ୧୮ ପଜିଟିଭ୍ ଙ୍କୁ ଆଜି ଚିହ୍ନଟ କରାଯାଇଛି । ସେହିଭଳି ମୟୁରଭଞ୍ଜରୁ ୩, ଭଦ୍ରକରୁ ୧, ରାଉରକେଲାରୁ ୧ ଏବଂ ପ୍ରଥମ ଥର ପାଇଁ ନୟାଗଡ଼ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଉରକେଲା ଆକ୍ରାନ୍ତଙ୍କୁ ଛାଡ଼ିଦେଲେ ସମସ୍ତେ ସୁରତ ଫେରନ୍ତା । ସୁରତ ଫେରନ୍ତାମାନେ କ୍ୱାରେଣ୍ଟାଇନ୍ ରେ ଥିଲା ବେଳେ ରାଉରକେଲା ଆକ୍ରାନ୍ତ କଣ୍ଟେନମେଣ୍ଟ ଜୋନ୍ ର ।
କେବଳ ଗଞ୍ଜାମରୁ ୮୯ ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୪ କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ସୁରତ ଲିଙ୍କ୍ ରେ ୧୧୨ ଜଣ ଅଛନ୍ତି । ଯେଉଁଥିରେ ଗଞ୍ଜାମର ଅଛନ୍ତି ୮୮ ସୁରତ ଫେରନ୍ତା । ଗଞ୍ଜାମ ସମେତ ମୋଟ ୮ଟି ଜିଲ୍ଲାରୁ ସୁରତ ଫେରନ୍ତାଙ୍କଠାରେ ପଜିଟିଭ୍ ଚିହ୍ନଟ ହେଲାଣି ।
ଆଜି ସକାଳେ ପ୍ରଥମ ଦଫାରେ ଗଞ୍ଜାମର ୧୨, ସୁନ୍ଦରଗଡ଼ର ୧ ଏବଂ ଭଦ୍ରକର ୧ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ମୟୁରଭଞ୍ଜର ୩ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହି ଆକ୍ରାନ୍ତମାନଙ୍କ ବୟସ ୨୦, ୨୬ ଏବଂ ୩୦ ବର୍ଷ । ତୃତୀୟ ପର୍ଯ୍ୟାୟରେ ଗଞ୍ଜାମର ୨୬ ବର୍ଷର ଆଉ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଚତୁର୍ଥ ପର୍ଯ୍ୟାୟରେ ନୟାଗଡ଼ ଜିଲ୍ଲାରୁ ଜଣେ ୪୦ ବର୍ଷର ଯୁବକଙ୍କର ପଜିଟିଭ୍ ବାହାରିଥିଲା । ପଞ୍ଚମ ପର୍ଯ୍ୟାୟରେ ଗଞ୍ଜାମରୁ ଆଉ ୫ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସମସ୍ତେ ପୁରୁଷ ଏବଂ ସେମାନଙ୍କର ବୟସ ଯଥାକ୍ରମେ ୩୯,୪୯,୧୬, ୪୮ ଏବଂ ୪୫ ବର୍ଷ ।
ଆଜି ଦିନରେ କରୋନା ଆକ୍ରାନ୍ତ ତାଲିକାରେ ୮୯ ପଜିଟିଭ୍ ସହ ଗଞ୍ଜାମ ଜିଲ୍ଲା ଶୀର୍ଷରେ ରହିଛି । ତାଲିକା ଉପରେ ନଜର ପକାନ୍ତୁ…
ଗଞ୍ଜାମ-୮୯, ଯାଜପୁର-୫୫, ଖୋର୍ଦ୍ଧା- ୫୦,ବାଲେଶ୍ୱର-୨୭, ଭଦ୍ରକ-୨୫, ସୁନ୍ଦରଗଡ଼- ୧୩, କେନ୍ଦ୍ରାପଡ଼ା- ୮, ମୟୁରଭଞ୍ଜ- ୭, ଜଗତସିଂହପୁର- ୫, ବଲାଙ୍ଗୀର-୨, କଟକ-୨, ଝାରସୁଗୁଡ଼ା-୨, କଳାହାଣ୍ଡି-୨, କେନ୍ଦୁଝର-୨, ଦେବଗଡ଼-୧, ଢ଼େଙ୍କାନାଳ-୧, କୋରାପୁଟ-୧, ନୟାଗଡ଼-୧, ପୁରୀ-୧ ।
ଗଞ୍ଜାମରୁ ୮୯ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବି ସୁସ୍ଥ ହୋଇନାହାନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ଆକ୍ରାନ୍ତ ୫୦ ଜଣଙ୍କ ମଧ୍ୟରୁ ସର୍ବାଧିକ ୩୨ ଜଣ ସୁସ୍ଥ ହୋଇସାରିଛନ୍ତି । କଳାହାଣ୍ଡି, ଢ଼େଙ୍କାନାଳ ଓ ପୁରୀରୁ ଆକ୍ରାନ୍ତମାନେ ସୁସ୍ଥ ହୋଇସାରିଛନ୍ତି । ଏହିଭଳି ଭାବେ ରାଜ୍ୟରେ ୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଦୁଇଜଣଙ୍କର ମୃତ୍ୟୁ ହୋଇଥିବାରୁ ଆକ୍ଟିଭ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୨୪ ।