ଭୁୁବନେଶ୍ୱର: ନିଜ ଭିଟାମାଟିକୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ତର୍କ ବିତର୍କ ଚାଲିଥିବା ବେଳେ ଏହାର ମାନବିକ, ନୈତିକ, ଆଇନଗତ ଓ ବାସ୍ତବ ଦୃଷ୍ଟିଭଙ୍ଗୀ ଆଲୋକପାତ କରିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍ ମୁକିବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ପ୍ରବାସୀ ଓଡ଼ିଆଙ୍କ ଯୋଗୁଁ ପଜିଟିଭ୍ ସଂଖ୍ୟା ବଢ଼ୁଥିବାରୁ ସେଥିରେ ବ୍ୟତିବ୍ୟସ୍ତ ହେବାର ନାହିଁ । ବରଂ ସମ୍ଭାବ୍ୟ ମହା ମହାମାରୀକୁ ଏହା ପ୍ରତିହତ କରିବାର ସମ୍ଭାବନା ରଖିଥିବା ସେ କହିଛନ୍ତି ।
ଶ୍ରୀ ବାଗଚୀ ଉପସ୍ଥାପିତ କରିଥିବା ତଥ୍ୟରେ, ସର୍ବଭାରତୀୟସ୍ତରରେ କର୍ମନିଯୁକ୍ତି ପାଇଁ ବର୍ତ୍ତମାନ ପ୍ରାୟ ୨୦ କୋଟି ପ୍ରବାସୀ ଅଛନ୍ତି । ସେଥିମଧ୍ୟରୁ ୯୨% ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଆମ ଓଡ଼ିଶାରେ ୧୨ ଲକ୍ଷ ୭୦ ହଜାର ବାହାର ରାଜ୍ୟ ଓ ଦେଶରେ ଯାଇ କାମ କରୁଛନ୍ତି । ଓଡ଼ିଶାରେ ବି ବାହାର ରାଜ୍ୟର ୮ ଲକ୍ଷ ୬୦ ହଜାର ଲୋକ କାମ କରୁଛନ୍ତି । ଭାରତବର୍ଷର ୧୦୦ଟି ପରିବାରରେ ୧୬ ଟି ପରିବାର କର୍ମନିଯୁକ୍ତି ପାଇଁ ଭିଟାମାଟି ଛାଡ଼ି ବାହାରକୁ ଯାଆନ୍ତି । ସୁତରାଂ ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ପ୍ରବାସୀମାନେ ଲକଡାଉନ୍ ଯୋଗୁଁ କାମ ହରାଇଥିବାରୁ ସେମାନଙ୍କର ରହିବା, ଖାଇବା ବ୍ୟବସ୍ଥା ଠପ୍ ହୋଇଯାଇଛି । ଏମାନେ ଦୁଃଖଦୁର୍ଦ୍ଦଶାରେ ରହିଛନ୍ତି ।
ଏଭଳି ପରିସ୍ଥିତିରେ ପ୍ରବାସୀମାନେ ସ୍ୱଇଚ୍ଛାରେ ଭିଟାମାଟି ଫେରିବାକୁ ଚାହିଁଲେ ତାଙ୍କୁ ରୋକା ଯାଇପାରିବ ନାହିଁ । ଏହା ସେମାନଙ୍କର ଆଇନଗତ ଅଧିକାର । ମାନବିକ ଦୃଷ୍ଟିକୋଣରୁ ମଧ୍ୟ ତାଙ୍କୁ ଭିଟାମାଟି ଫେରିବାରେ ବାରଣ କରାଯାଇପାରିବ ନାହିଁ । ବାସ୍ତବ ଦୃଷ୍ଟିକୋଣରୁ ବି ତାହା ଅସମ୍ଭବ ।
ଏହି ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ସରକାର ଯଥେଷ୍ଟ ପଦକ୍ଷେପ ଗ୍ରହଣ କରିଛନ୍ତି । ୬,୮୯୫ଟି ପଞ୍ଚାୟତରେ କ୍ୱାରେଣ୍ଟାଇନ୍ କେନ୍ଦ୍ର ଖୋଲି ପ୍ରବାସୀ ଓଡ଼ିଆଙ୍କୁ ୨୧ ଦିନ ରଖିବାର ବିଶେଷ ବ୍ୟବସ୍ଥା କରିଛନ୍ତି । ତେଣୁ ଏବେ ସେହି କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ସଂକ୍ରମିତ ଚିହ୍ନଟ ହେଉଥିବାରୁ ବିଚଳିତ ହେବାର କାରଣ ନାହିଁ । ଏହି ବାସ୍ତବତାକୁ ଆମକୁ ଗ୍ରହଣ କରି କରୋନାକୁ ମୁକାବିଲା କରିବାକୁ ପଡ଼ିବ ବୋଲି ଶ୍ରୀ ବାଗଚୀ କହିଛନ୍ତି ।