– ୧୫ଟି କ୍ଷେତ୍ରରେ ହେବ ପୁଞ୍ଜି ନିବେଶ
– ୫ ଲକ୍ଷ ୯୧ ହଜାର ଅତିରିକ୍ତ କର୍ମନିଯୁକ୍ତି ସୃଷ୍ଟି
– ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍(ଇନଭେଷ୍ଟର୍ସ ମିଟ୍) ଉଦଯାପିତ
– ସଫଳତା ନେଇ ମୁଖ୍ୟମନ୍ତ୍ରୀ ଖୁସି
ଭୁବନେଶ୍ୱର: ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣରୁ ଆଶାଠାରୁ ଅଧିକ ସଫଳତା ମିଳିଛି । ଏଥିରେ ସମୁଦାୟ ୪,୧୯,୫୭୪ କୋଟି ଟଙ୍କା ପୁଞ୍ଜି ବିନିଯୋଗର ପ୍ରତିଶ୍ରୁତି ମିଳିଛି । ୧୫ ଟି ବହୁମୁଖୀ କ୍ଷେତ୍ରରେ ଏହି ପୁଞ୍ଜି ଖଟାଇବାକୁ ନିବେଶକାରୀମାନେ ଆଗ୍ରହ ପ୍ରକାଶ କରିଛନ୍ତି । ହଳଦିଆ ପେଟ୍ରୋକେମିକାଲସ୍ ସର୍ବାଧିକ ୭୦,୦୦୦ କୋଟିର ପୁଞ୍ଜି ବିନିଯୋଗ ପ୍ରସ୍ତାବ ଦେଇଥିବା ବେଳେ ଜେଏସପିଏଲ୍ ୬୦,୯୯୫୦ କୋଟି, ମହାନଦୀ କୋଲଡ଼ଫିଲ୍ଡ ଲିମିଟେଡ଼ ୫୮,୯୯୭ କୋଟି, ତାଇୱାନ୍ ର ଏକ କମ୍ପାନୀ ୪୩,୦୦୦ କୋଟି ଏବଂ ସେଲ୍ ୪୧,୪୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ଦେଇଛନ୍ତି । ଏହାଦ୍ୱାରା ଓଡ଼ିଶାରେ ସମୁଦାୟ ୫ ଲକ୍ଷ ୯୧ ହଜାର ଅତିରିକ୍ତ କର୍ମନିଯୁକ୍ତି ସୃଷ୍ଟି ହେବ । କନକ୍ଲେଭ ରୁ ବେଶ୍ ସଫଳତା ମିଳିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ୨୦୨୦ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
କନକ୍ଲେଭ୍ ରେ ଦେଶ ବିଦେଶରୁ ୫,୦୭୪ ଶିଳ୍ପ ଉଦ୍ୟୋଗୀ ଏବଂ ସେମାନଙ୍କର ପ୍ରତିନିଧି ଯୋଗଦେଇଥିଲେ । ଗତକାଲି ଅନୁଷ୍ଠିତ ପ୍ଲେନାରି ସମାରୋହରେ ଦେଶର ବିଶିଷ୍ଟ ଶିଳ୍ପପତି ରିଲାଏନସ୍ ମୁଖ୍ୟ ମୁକେଶ ଅମ୍ବାନୀ, ବିର୍ଲା ଗ୍ରୁପ୍ ମୁଖ୍ୟ, କୁମାର ମଙ୍ଗଳମ୍ ବିର୍ଲା, ଜେଏସଡବ୍ଲୁ ଗ୍ରୁପ୍ ର ମୁଖ୍ୟ ସଜ୍ଜନ ଜିନ୍ଦଲ, ଜେଏସପିଏଲ୍ ମୁଖ୍ୟ ନବୀନ ଜିନ୍ଦଲ, ବେଦାନ୍ତ ଗ୍ରୁପ୍ ମୁଖ୍ୟ ଅନୀଲ ଅଗ୍ରୱାଲ୍, ଆଇଟିସି ଅଧ୍ୟକ୍ଷ ସଞ୍ଜୀବ ପୁରୀ ପ୍ରମୁଖ ଯୋଗଦେଇଥିଲେ । ଗତକାଲି ଓ ଆଜି ଦିନ ତମାମ ବିଭିନ୍ନ ଶିଳ୍ପଗୋଷ୍ଠୀ ଓଡ଼ିଶା ସରକାରଙ୍କ ସହ ଆଲୋଚନା କରି ପୁଞ୍ଜି ବିନିଯୋଗ ସମ୍ପର୍କରେ ବ୍ୟାପକ ବିଚାର ବିମର୍ଷ କରିଥିଲେ । ଓଡ଼ିଶା ସରକାରଙ୍କ ସହ କିଛି ଏମଓୟୁ ମଧ୍ୟ ସ୍ୱାକ୍ଷରିତ ହୋଇଥିଲା ।