ଭୁବନେଶ୍ୱର: ସଂସଦ ଓ ବିଧାନସଭାରେ ମହିଳାଙ୍କ ନିମିତ୍ତ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକୁ ଆନ୍ତଜାର୍ତୀୟସ୍ତରରେ ପ୍ରଶଂସା ମିଳିଛି । ଜାତିସଂଘର ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତିକରଣ ସଂଗଠନ ୟୁଏନ୍ ଇଉମେନ୍ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି ।
ୟୁଏନ୍ ଇଉମେନ୍ ର ଡେପୁଟି କଣ୍ଟ୍ରି ରିପ୍ରେଜେଣ୍ଟେଟିଭ୍ ନିଷ୍ଠା ସତ୍ୟମ୍ ଆଜି ମୁଖ୍ୟମନ୍ତ୍ରୀଙ୍କ ଏକ ପତ୍ର ଲେଖି ନିଜର ଖୁସି ପ୍ରକଟ କରିଛନ୍ତି । ମହିଳାଙ୍କ ସ୍ଥାନ ସଂରକ୍ଷଣକୁ ନେଇ ଜାତୀୟସ୍ତରରେ ଆଲୋଚନାକୁ ଏହା ଅଧିକ ପ୍ରଶସ୍ତ କରିବ ଏବଂ ସଂସଦରେ ଏ ସମ୍ପର୍କିତ ଆଇନ ସଂଶୋଧନରେ ସହାୟକ ହେବ ବୋଲି ସେ ଆଶା କରିଛନ୍ତି ।
ଶ୍ରୀମତୀ ସତ୍ୟମ୍ ତାଙ୍କ ପତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଶୀଳ ନେତୃତ୍ୱର ଉଚ୍ଚ ପ୍ରଶଂସା କରିଛନ୍ତି । ଦେଶ ଓ ରାଜ୍ୟର ସର୍ବୋଚ୍ଚ ଯୋଜନା ପ୍ରଣୟନକାରୀ ସଂସ୍ଥାରେ ଜନସଂଖ୍ୟାର ଅର୍ଦ୍ଧାଧିକ ଲୋକଙ୍କୁ ସାମିଲ କରାଗଲେ ନିରନ୍ତର ଅର୍ଥନୈତିକ ଓ ସାମାଜିକ ବିକାଶ ସମ୍ଭବ ହେବ । ମହିଳାମାନେ ସେମାନଙ୍କ ଅଧିକାର ପାଇଁ ସ୍ୱର ଉଠାଇବାରେ ବହୁ ପ୍ରତିବନ୍ଧକର ସାମନା କରୁଛନ୍ତି । ୟୁଏନ୍ ଉଇମେନ୍ ମହିଳାଙ୍କ ସାମର୍ଥ ବୃଦ୍ଧି ସହ ଲିଙ୍ଗଗତ ସମାନତା ପାଇଁ ବ୍ୟାପକ ପ୍ରଚାର ଜରିଆରେ ଏହି ପ୍ରତିବନ୍ଧକ ହଟାଇବାକୁ ଉଦ୍ୟମ କରି ଆସୁଛି । ସେଥିପାଇଁ ରାଜ୍ୟ ସରକାରଙ୍କ ସହଭାଗିତାରେ କାର୍ଯ୍ୟ ଆଗେଇ ନେବାକୁ ଚାହୁଁଛି ବୋଲି ଶ୍ରୀମତୀ ସତ୍ୟମ ଲେଖିଛନ୍ତି ।