ଭୁବନେଶ୍ୱର: ରାଜ୍ୟର ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲ୍ ରେ ମାଗଣାରେ କରୋନା ଭୂତାଣୁ ପରୀକ୍ଷାର ସୁବିଧା ଉପଲବ୍ଧ କରାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ନିହାତି ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି । ସେହିଭଳି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ବିଭିନ୍ନ ସୁରକ୍ଷା ଉପକରଣ, ମାସ୍କ ଆଦି ପର୍ଯ୍ୟାପ୍ତ ପରିମାଣର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।
ଆଜି ପ୍ରଧାନମନ୍ତ୍ରୀ ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ଯୋଗେ କରୋନା ସ୍ଥିତିର ସମୀକ୍ଷା କରିଥିଲେ । ଏହିକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ । କରୋନା ମୁକାବିଲାରେ କେନ୍ଦ୍ର ସରକାରଙ୍କ ଅନ୍ତର୍ଜାତୀୟ ଯାତ୍ରା ଉପରେ କଟକଣା, ପ୍ରଭାବିତ ଅଞ୍ଚଳରେ ଫସିଥିବା ଭାରତୀୟଙ୍କୁ ଏୟାର ଲିଫ୍ଟିଂ ତଥା ଏସଡିଆରଏଫ ପାଣ୍ଠିକୁ ଉପଲବ୍ଧ କରାଇବା ପଦକ୍ଷେପକୁ ନବୀନ ପ୍ରଶଂସା କରିବା ସହ ଓଡ଼ିଶା ପାଇଁ ମୋଦିଙ୍କଠାରୁ ସହଯୋଗ ଚାହିଁଥିଲେ ।
ଏମଜିଏନଆରଇଜିଏସ୍(ନରେଗା) ଶ୍ରମିକମାନଙ୍କୁ ଅନ୍ୟୁନ ୫୦ ଦିନର ମଜୁରୀ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ପରିବାରକୁ ସହାୟତା, ପିଏମ୍ କିଷାନ ଅନ୍ତର୍ଗତ ଚାଷୀମାନଙ୍କୁ ଅତିରିକ୍ତ କିସ୍ତି ପ୍ରଦାନ, ନିର୍ମାଣ ସମେତ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ଆର୍ଥିକ ପ୍ୟାକେଜ୍ ଦାବି କରିଥିଲେ ନବୀନ । ଏଥିସହ ରାଜ୍ୟକୁ ଆଗୁଆ ପାଣ୍ଠି ଆବଣ୍ଟନ ପାଇଁ କେନ୍ଦ୍ର ସରକାର ବିଚାର କରିବାକୁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମୁଖ୍ୟମନ୍ତ୍ରୀ ।
ଆଜି ସକାଳେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜନଗଣନା ପ୍ରକ୍ରି୍ରୟା ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଛନ୍ତି । ଏପ୍ରିଲ୍ ପହିଲାରୁ ସେପ୍ଟେମ୍ବର ୩୦ ଯାଏଁ ଜନଗଣନା ପ୍ରକ୍ରିୟା ଚାଲିବାକୁ ସ୍ଥିର ହୋଇଛି । ସେହି ପ୍ରକ୍ରିୟାରେ ୩୦ ଲକ୍ଷ ଲୋକ ନିୟୋଜିତ ହେବେ । ତେବେ କରୋନା ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ଏହାକୁ ସ୍ଥଗିତ ରଖାଯାଉ ବୋଲି ନବୀନ ଲେଖିଛନ୍ତି ।