ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଫଳ । ଏଥିରେ ମୋଟ ପାସ୍ ରହିଛି ୭୨.୩୩% । ଗତବର୍ଷ ତୁଳନାରେ ପାସ୍ ହାର ପ୍ରାୟ ୪ ପ୍ରତିଶତ କମିଯାଇଛି । ଏଥର ଛାତ୍ରମାନଙ୍କୁ ପଛରେ ପକାଇ ଦେଇଛନ୍ତି ଛାତ୍ର । ଛାତ୍ରଙ୍କ ପାସ୍ ହାର ୭୦.୪% ଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୭୫.୦୨% ରହିଛି । ୯ଟି କଲେଜରେ କୌଣସି ଛାତ୍ରଛାତ୍ରୀ ପାସ୍ କରି ନାହାନ୍ତି । ୨୯ଟି କଲେଜରେ ରେଜଲ୍ଟ ୧୦୦ ପ୍ରତିଶତ ହୋଇଛି । ସାରା ରାଜ୍ୟରେ ମୋଟ ୬୦ ଛାତ୍ରଛାତ୍ରୀ ୯୦% ରୁ ଅଧିକ ନମ୍ବର ରଖିଛନ୍ତି । ୧,୮୭୨ ଛାତ୍ରଛାତ୍ରୀ ୮୦% ରୁ ଅଧିକ ଏବଂ ୫,୮୮୫ ଛାତ୍ରଛାତ୍ରୀ ୭୦% ରୁ ଅଧିକ ନମ୍ବର ରଖିଛନ୍ତି ।
ଚଳିତବର୍ଷ ରାଜ୍ୟରେ ୯୭,୭୫୦ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୭୦, ୭୧୬ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ୪୦,୦୫୮ ଛାତ୍ର ପାସ୍ କରିଥିବା ବେଳେ ୩୦,୬୪୮ ଛାତ୍ରୀ ପାସ୍ କରିଛନ୍ତି । ପ୍ରଥମ ଶ୍ରେଣୀରେ ୨୦,୮୦୬ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୨୩,୯୦୪ ଏବଂ ତୃତୀୟ ଶ୍ରେଣୀରେ ୨୫,୩୬୦ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୮୬.୫୬% ରେଜଲ୍ଟ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ସର୍ବନିମ୍ନ ପାସ୍ ହାର ୩୬.୨୦% ।
ଭୁବନେଶ୍ୱରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପୁସ୍ତିକା ଫଳକୁ ଉନ୍ମୋଚନ କରିଥିଲେ । ଚଳିତ ପରୀକ୍ଷାରେ ବ୍ୟାପକ ସଂସ୍କାର ଅଣାଯାଇ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଥିଲା । ଏଥିଯୋଗୁଁ ଗତବର୍ଷ ତୁଳନାରେ ପରୀକ୍ଷା ଫଳ ହ୍ରାସ ପାଇଥିବା ମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ, ଗତବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ଥିଲା ୭୬.୯୮% । ଶୂନ କରୀକ୍ଷା ଫଳ ହୋଇଥିବା କଲେଜଗୁଡ଼ିକ ସଂକ୍ରାନ୍ତରେ ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।