ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ପ୍ରାର୍ଥୀ ତାଲିକାରେ ଓଡ଼ିଶାର ଦୁଇଜଣ ସ୍ଥାନ ପାଇଛନ୍ତି । ବିଶିଷ୍ଟ ପଥରଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଓ ବିଶିଷ୍ଟ ନୃତ୍ୟଙ୍ଗନା ସୋନାଲ ମାନସିଂହଙ୍କୁ ରାଷ୍ଟ୍ରପତି ରାଜ୍ୟସଭାକୁ ମନୋନୀତ କରିଛନ୍ତି । ଏମାନଙ୍କ ବ୍ୟତୀତ କୃଷକ ନେତା ରାମ ସାକାଲ ଓ ସ୍ତମ୍ଭକାର ରାକେଶ ସିହ୍ନାଙ୍କୁ ରାଜ୍ୟସଭା ପଠାଇଛନ୍ତି ରାଷ୍ଟ୍ରପତି । କେନ୍ଦ୍ର ସରକାରଙ୍କ ସୁପାରିଶରେ ରାଷ୍ଟ୍ରପତି ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି ।
ପୁରୀରେ ଜନ୍ମିତ ରଘୁନାଥ ମହାପାତ୍ର(୭୫) ଜଣେ ବିଶିଷ୍ଟ ପଥରଶିଳ୍ପୀ ଭାବରେ ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି । ୨୦୦୧ ମସିହାରେ ସେ ଭାରତ ସରକାରଙ୍କ ଦ୍ୱାରା ପଦ୍ମବିଭୂଷଣ ଉପାଧିରେ ସମ୍ମାନିତ ହୋଇଛନ୍ତି । ୨୦୧୪ ଜାନୁଆରୀ ମାସରେ ସେ ଓଡ଼ିଶାରୁ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ । ଚତୁର୍ଥ ପ୍ରାର୍ଥୀ ଭାବେ ବିଜେଡ଼ି ତାଙ୍କୁ ସମର୍ଥନ ଦେଇଥିଲେ ମଧ୍ୟ ସେ ନିର୍ବାଚନରେ ହାରିଯାଇଥିଲେ । ନିକଟରେ ଅମିତ୍ ଶାହା ଓଡ଼ିଶା ଆସିଥିଲା ବେଳେ ରଘୁନାଥଙ୍କ ଘରକୁ ଯାଇ ତାଙ୍କୁ ସାକ୍ଷାତ କରିଥିଲେ ।
ମୁମ୍ବାଇରେ ଜନ୍ମିତ ଶ୍ରୀମତୀ ସୋନାଲ ମାନସିଂହ(୭୪) ଭାରତନାଟ୍ୟମ୍ ଓ ଓଡ଼ିଶୀ ନୃତ୍ୟରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି । ଅବସରପ୍ରାପ୍ତ ବିଦେଶ ସେବା ଅଫିସର ଲଳିତ ମାନସିଂହଙ୍କୁ ସେ ବିବାହ କରିଥିଲେ । ୨୦୦୩ ମସିହାରେ ସେ ଭାରତ ସରକାରଙ୍କ ପଦ୍ମବିଭୂଷଣ ସମ୍ମାନ ପାଇଥିଲେ ।