ଭୁୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢ଼ି ୨୭୮୧ ରେ ପହଞ୍ଚିଛି । । ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଟି ଜିଲ୍ଲାରୁ ସର୍ବାଧିକ ୧୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫୦ ଜଣ କ୍ୱାରେଣ୍ଟାଇନ୍ ରେ ଥିବା ବେଳେ ୨୩ ହେଉଛନ୍ତି ଲୋକାଲ୍ କେସ୍ (ସ୍ଥାନୀୟ ଅଞ୍ଚଳର) ।
ଗଞ୍ଜାମରୁ ସର୍ବାଧିକ ୬୪ ଚିହ୍ନଟ ହୋଇଥିବା ବେଳେ ଯାଜପୁର ୧୯, ଖୋର୍ଦ୍ଧା ୯, ଝାରସୁଗୁଡ଼ା ୧, ନୟାଗଡ଼ ୭, କଟକ ୧୩, ମୟୁରଭଞ୍ଜ ୧୩, ଭଦ୍ରକ ୪, କଳାହାଣ୍ଡି ୨, ଗଜପତି ୧୦, ବଲାଙ୍ଗୀର ୧୧, ବାଲେଶ୍ୱର ୧୧, ପୁରୀ ୧ ଏବଂ ନୂଆପଡ଼ାରୁ ୮ ଜଣ ଅଛନ୍ତି ।
ଏଥିସହ ଜୁନ୍ ମାସର ପ୍ରଥମ ସପ୍ତାହରେ ୬୭୭ ଜଣ କରୋନା ଆକ୍ରାନ୍ତ ହେଲେଣି । ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍ ବାହାରର ୮୨ ଜଣ ଥିବାରୁ ଚିନ୍ତା ବଢ଼ିଛି । ଭୁବନେଶ୍ୱରରେ ଜଣଙ୍କର ମୃତୁ୍ୟ ହୋଇଛି ।
ରାଜ୍ୟରେ ମୋଟ ୨୭୮୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୦୪ ଜଣ ସୁସ୍ଥ ହୋଇଥିବାରୁ ଏବେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୬୭ ରହିଛି । କରୋନା ମୃତୁ୍ୟ ସଂଖ୍ୟା ୮ ହୋଇଥିବା ବେଳେ ବାଲେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣଙ୍କର ଅନ୍ୟ ରୋଗରେ ମୃତ୍ୟୁ ହୋଇଛି ।
ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ସଂଖ୍ୟକ ୯,୮୮୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ୨୯୪ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଇଟାଲିକୁ ଟପିଯାଇଛି । କରୋନା ସଂକ୍ରମଣରେ ଭାରତ ବିଶ୍ୱରେ ଷଷ୍ଠ ସ୍ଥାନରେ ପହଞ୍ଚିଛି ।