ଭୁୁବନେଶ୍ୱର: ଓଡ଼ିଶାରେ ଜଳସେଚନର ସ୍ଥିତି ଓ ୨୦୧୪ ମସିହାରେ ଦିଆଯାଇଥିବା ପ୍ରତିଶ୍ରୁତିର କଡ଼ାଗଣ୍ଡା ହିସାବ ସହ ଆଜି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରିବା ପାଇଁ ୨୦୧୪ ମସିହାରେ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ମାତ୍ର ୨୨ ହଜାର ହେକ୍ଟର ଜମିକୁ ଜଳସେଚିତ କରାଯାଇପାରିଛି ବୋଲି ଗତ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓଡ଼ିଶା ଆସିଥିବା ବେଳେ ମିଡ଼ିଆରେ ରିପୋର୍ଟ ପ୍ରକାଶ ପାଇଥିଲା । ମୁଖ୍ୟମନ୍ତ୍ରୀ ଏହାର ପ୍ରତିବାଦ କରି ପ୍ରଧାନମନ୍ତ୍ରୀଙ୍କୁ ପ୍ରକୃତ ତଥ୍ୟ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ୨୦୧୪ ପରଠାରୁ ଓଡ଼ିଶାରେ ଅତିରିକ୍ତ ୭.୮ ଲକ୍ଷ ହେକ୍ଟର ଜମିରେ ଜଳସେଚନର ସୁବିଧା କରାଯାଇଛି । ଧାର୍ଯ୍ୟ ସମୟ ସୁଦ୍ଧା ଏହା ୧୦ ଲକ୍ଷ ହେକ୍ଟରକୁ ପାର୍ କରିବ । ଏଥିପାଇଁ ୨୬,୮୮୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ସେଥିମଧ୍ୟରୁ କେନ୍ଦ୍ର ସରକାରଙ୍କ ପିଏମକେଜିିୱାଇ(ଏଆଇବିପି) ସହାୟତା ବାବଦରେ ୧୨୧୧ କୋଟି(୪.୫%) ମିଳିଛି । ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଏ ବାବଦକୁ ୧୦,୧୯୬ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି । ଯାହା ରେକର୍ଡ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ସବ ସେକ୍ଟର ୱାଇଜ୍ ଜଳସେଚନର ଏକ ଟେବୁଲ ସଂଲଗ୍ନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି ଲେଖିଛନ୍ତି, ଆପଣ ଖୁସି ହେବେ ଯେ ରାଜ୍ୟ ସରକାର ନିଜସ୍ୱ ଯୋଜନାରେ ୪୬ ମେଗା ଜଳସେଚନ ପ୍ରକଳ୍ପ, ୫୩୫୭୬ ଡିପ୍ ବୋର ୱେଲସ୍, ୫୮୩୭ କମ୍ୟୁନିଟି ଉଠା ପଏଣ୍ଟ, ୮୩୩୫ ଚେକ୍ ଡ୍ୟାମ୍ ସୃଷ୍ଟି କରାଯାଇଛି । ଏହାଦ୍ୱାରା ଚାଷୀମାନେ ବିଶେଷ ଉପକୃତ ହୋଇଛନ୍ତି । ଜଳସେଚନରେ ପୁଞ୍ଜି ଖଟାଇବା ଓ ଜଳସେଚନ ସୁବିଧା ସୃଷ୍ଟି କରିବାରେ ଓଡ଼ିଶା ଦେଶରେ ଆଗୁଆ ରାଜ୍ୟ ମଧ୍ୟରେ ଅନ୍ୟତମ ।
ଚିଠି ଆରମ୍ଭରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଗତ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ଶୀଘ୍ର ସମ୍ପୂର୍ଣ୍ଣ ହେବା ପାଇଁ ରାଜ୍ୟ ସରକାର ଆବଶ୍ୟକ ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଦୋହରାଇଛନ୍ତି । ଶେଷରେ ଓଡ଼ିଶା ଓ ଓଡ଼ିଶାବାସୀ ପାଇଁ ସମର୍ଥନ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।