ଭୁବନେଶ୍ୱର: କୋଭିଡ୍-୧୯ ବିରୋଧରେ ସଂଗ୍ରାମକୁ ଜୋରଦାର କରାଯାଇଛି । ଦୁଃସ୍ଥ ଓ ଅସହାୟ ଲୋକଙ୍କ ରୋଜଗାର ଉପରେ ବଡ଼ ପ୍ରଭାବ ପଡ଼ିଥିବା ଯୋଗୁଁ ଏହାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ଜାରି ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ସମ୍ପର୍କରେ ଆଜିର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।
– ପ୍ରତି ପଞ୍ଚାୟତରେ ୧୦୦ରୁ ୨୦୦ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ଦୈନିକ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ । ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ଏହା କରାଯିବ ଏବଂ ଲୋକମାନେ ରନ୍ଧାଖାଦ୍ୟ ଘରକୁ ନେଇ ଖାଇବେ ।
– ରାଜ୍ୟର ୧୧୪ଟି ପୌରାଞ୍ଚଳରେ ରହିଥିବା ୬୫,୦୦୦ ପଞ୍ଜୀକୃତ ଉଠାଦୋକାନୀଙ୍କୁ ୩,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।
– ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଆ ଲୋକମାନଙ୍କୁ ସହାୟତା ଯୋଗାଇବାକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି । ଅନ୍ୟ ରାଜ୍ୟରେ ଥିବା ଓଡ଼ିଆ ସଂଗଠନଗୁଡ଼ିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁରୂପ ଅନୁରୋଧ କରିଛନ୍ତି । ଏଥିପାଇଁ ଯାହା ଖର୍ଚ୍ଚ ହେବ ତାହା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଦିଆଯିବ ବୋଲି କୁହାଯାଇଛି ।
– ବାହାର ରାଜ୍ୟଗୁଡ଼ିକରେ ରହିଯାଇଥିବା ଓଡ଼ିଆମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ପାଇଁ ଗୃହ ବିଭାଗ ପକ୍ଷରୁ ହେଲପ୍ ଲାଇନ୍ ନମ୍ବର 0674-2392115 ଓ ମୋବାଇଲ ହ୍ୱାଟସ୍ ଆପ୍ ନମ୍ବର 9438915986 କାର୍ଯ୍ୟ କରୁଛି । ଏଥିରେ ଯୋଗାଯୋଗ କରିବା ପାଇଁ ବାହାର ରାଜ୍ୟରେ ଥିବା ଓଡ଼ିଆ ଭାଇଭଉଣୀଙ୍କୁ ଅନୁରୋଧ କରାଯାଇଛି ।
– ଓଡ଼ିଶାରେ ଅଟକି ରହିଥିବା ଅନ୍ୟ ରାଜ୍ୟର ଲୋକମାନଙ୍କ ନିମନ୍ତେ ଓଡ଼ିଶା ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଏକ ହେଲପ୍ ଲାଇନ୍ ଖୋଲାଯାଇଛି । ଏହାର ନମ୍ବର 18003456703 । ଅନ୍ୟ ରାଜ୍ୟର ଆବାସିକ କମିଶନରମାନଙ୍କ ସହିତ ଯୋଗାଯୋଗ ରକ୍ଷା କରିବା ପାଇଁ ଓଡ଼ିଶାର ଆବାସିକ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
– ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ଇତିମଧ୍ୟରେ ଓଡ଼ିଶାରେ ଅଟକି ରହିଥିବା ବାହାର ରାଜ୍ୟର ୯,୦୦୦ ଶ୍ରମଜୀବୀଙ୍କ ସହିତ ଯୋଗାଯୋଗ ସ୍ଥାପନ କରାଯାଇଛି । ସେମାନେ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼, ରାଜସ୍ଥାନ ଓ ଉତ୍ତରପ୍ରଦେଶ ଇତ୍ୟାଦି ରାଜ୍ୟରୁ ଆସିଛନ୍ତି । ସେମାନଙ୍କୁ ଖାଦ୍ୟପେୟ, ରହଣି ଓ ଆବଶ୍ୟକସ୍ଥଳେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି ।
– କୋଭିଡ୍-୧୯ ସ୍ୱାସ୍ଥ୍ୟ ହେଲପ୍ ଲାଇନ୍ ନମ୍ବର ୧୦୪ କ୍ଷମତା ବୃଦ୍ଧି ପାଇଁ କେତେକ ରକ୍ଷଣାବେକ୍ଷଣ ଓ ବୈଷୟିକ ଉନ୍ନତିକରଣ କାର୍ଯ୍ୟ ହେଉଥିବା ଦୃଷ୍ଟିରୁ ଏହା ଆସନ୍ତାକାଲି ୨୯ ତାରିଖ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ । ସେଥିପାଇଁ ଜନସାଧାରଣଙ୍କ ସହଯୋଗ ଲୋଡାଯାଇଛି ।
– ଗୋଖାଦ୍ୟ, କୁକୁଡ଼ା ଖାଦ୍ୟ ଓ ମତ୍ସ୍ୟ ଖାଦ୍ୟ ସମେତ ଅନ୍ୟାନ୍ୟ ପଶୁଖାଦ୍ୟକୁ ଅତ୍ୟାବଶଞକ ସାମଗ୍ରୀରେ ଅନ୍ତର୍ଭୁକ୍ତ କରାଯାଇ ସେବୁଗୁଡ଼ିକୁ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ତେଜରାତି ଦୋକାନରେ ପଶୁଖାଦ୍ୟ ବିକ୍ରି ପାଇଁ ଅନୁମତି ଦିଆଯାଇଛି ।