ନୂଆଦିଲ୍ଲୀ: ୧୯୮୩ ବ୍ୟାଚ୍ ଆଇପିଏସ୍ ରିଷି କୁମାର ଶୁକ୍ଲା ହେବେ ସିବିଆଇର ନୂଆ ନିର୍ଦ୍ଦେଶକ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ଆଜି ତାଙ୍କ ନାଁ ଚୂଡ଼ାନ୍ତ କରିଛନ୍ତି । ସିବିଆଇ ନିର୍ଦ୍ଦେଶକ ପଦବୀ ଲାଗି ୩୦ ଜଣଙ୍କ ନାଁ ବିଚାରକୁ ନିଆଯାଇଥିଲା । ତାଲିକାକୁ ପୁଙ୍ଖାନୁପୁଙ୍ଖ ଜର୍ତମା ପରେ କମିଟି ଶେଷରେ ଶ୍ରୀ ଶୁକ୍ଲାଙ୍କୁ ଯୋଗ୍ୟ ମନେ କରିଛନ୍ତି । ସିବିଆଇ ଅନ୍ତରୀଣ ନିର୍ଦ୍ଦେଶକ ଏମ୍. ନାଗେଶ୍ୱର ରାଓଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ । ତାଙ୍କର କାର୍ଯ୍ୟକାଳ ୨ ବର୍ଷ ରହିବ ।
ମଧ୍ୟପ୍ରଦେଶ କ୍ୟାଡରର ଆଇପିଏସ୍ ଶ୍ରୀ ଶୁକ୍ଲା ରାଜ୍ୟର ପୁଲିସ ଡିଜି ଥିଲେ । କଂଗ୍ରେସ ସରକାର ଦାୟିତ୍ୱ ନେବା ପରେ ତାଙ୍କୁ ସେହି ପଦରୁ ବିଦା ହେବାକୁ ପଡ଼ିଥିଲା । ଏବେ ସେ ମଧ୍ୟପ୍ରଦେଶ ପୁଲିସ ହାଉସିଂ କର୍ପୋରେସନ୍ ର ଡିଜି ଭାବେ କାର୍ଯ୍ୟ କରୁଛନ୍ତି । ଇଣ୍ଟିଲଜେନ୍ସୀ ବ୍ୟୁରୋରେ କାମ କରିବାର ଅଭିଜ୍ଞତା ତାଙ୍କର ଅଛି । ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ସେ ମଧ୍ୟ ଜଣାଶୁଣା ନାଁ ।