ନୂଆଦିଲ୍ଲୀ: ମୋଦିଙ୍କ ଚଳିତ ସରକାରର ଶେଷ ବଜେଟ୍(ଚାରି ମାସିଆ କାମଚଳା) ଆଜି ଲୋକସଭାରେ ଉପସ୍ଥାପିତ ହୋଇଛି । କାମଚଳା ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ ଏହା ଉପସ୍ଥାପନ କରିଛନ୍ତି । ନିର୍ବାଚନ ପୃଷ୍ଠଭୂମିରେ ସାଧାରଣ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବଜେଟ୍ ରେ ଭରପୂର ଉଦ୍ୟମ କରାଯାଇଛି । ବିଶେଷକରି ଚାଷୀ, ଗରିବ ଓ ମଧ୍ୟବର୍ତ୍ତି ବର୍ଗଙ୍କୁ ଖୁସି କରିବାକୁ ଉଦ୍ୟମ ହୋଇଛି ।
ବଜେଟ୍ ର ମୁଖ୍ୟତଃ ଦୁଇଟି ଦିଗ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଆୟକର ସୀମା ବୃଦ୍ଧି ଓ ଚାଷୀଙ୍କୁ ସହାୟତା । ଆୟକର ସୀମାକୁ ଡବଲ୍ କରାଯାଇଛି । ୫ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ ଲୋକଙ୍କୁ ଟିକସ ଦେବାକୁ ପଡ଼ିବ ନାହିଁ । ପ୍ରୋଭିଡେଣ୍ଟ ଫଣ୍ଡ ଓ ବୀମା କରିଥିଲେ ଆୟକର ସୀମା ୬ ଲକ୍ଷ ୫୦ ହଜାର ଟଙ୍କା ହୋଇଛି । ପୂର୍ବରୁ ଆୟକର ସୀମା ଅଢ଼େଇ ଲକ୍ଷ ଟଙ୍କା ଥିଲା । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଦେଶର ୩ କୋଟି ଲୋକଙ୍କୁ ଲାଭ ମିଳିବ । ସେହିଭଳି ଚାଷୀଙ୍କ ସର୍ବନିମ୍ନ ଆୟର ଗ୍ୟାରେଣ୍ଟି ସ୍ୱରୂପ ‘ପ୍ରଧାନମନ୍ତ୍ରୀ କିଷାନ’ ନାମରେ ଏକ ନୂଆ ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନାରେ ୨ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ସହାୟତା ମିଳିବ । ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯିବ । ଦେଶର ୧୨ କୋଟି ଚାଷୀ ଏହି ଯୋଜନାରୁ ଲାଭ ପାଇବେ । ଓଡ଼ିଶା ସରକାରଙ୍କ ଲୋକପ୍ରିୟ ‘କାଳିଆ’ ଯୋଜନାରେ ପ୍ରଭାବିତ ହୋଇ ମୋଦି ସରକାର ଏହି ଯୋଜନା ଆପଣେଇଥିବା ଚର୍ଚ୍ଚା ହେଉଛି ।
ଚାକିରିଆଙ୍କୁ ଖୁସି କରିଛନ୍ତି କେନ୍ଦ୍ର ସରକାର । ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚୁଇଟି ଉପରେ ଟିକସ ପଡ଼ିବ ନାହିଁ । ପୂର୍ବରୁ ଏହା ୧୦ ଲକ୍ଷ ଥିଲା । ସେହଭଳିି ଷ୍ଟାଣ୍ଡାର୍ଡ ରିଡକ୍ସନ୍ ୪୦,୦୦୦ରୁ ୫୦,୦୦୦ କୁ ବୃଦ୍ଧି କରାଯାଇଛି । ଜଣଙ୍କର ଦ୍ୱିତୀୟ ଘର ଥିଲେ ସେହି ଘରର ଭଡ଼ା ଉପରେ ଟିକସ ଦେବାକୁ ପଡ଼ିବ ନାହିଁ । ୮ କୋଟି ମାଗଣା ଏଲପିଜି ସଂଯୋଗର ଲକ୍ଷ୍ୟ ରଖାଯାଇଛି । ଫିଲ୍ମ ସୁଟିଂ ପାଇଁ ସିଙ୍ଗଲ୍ ଉଇଣ୍ଡୋ କ୍ଲିୟରାନ୍ସ ବ୍ୟବସ୍ଥା କରାଯାଇଛି । ବଜେଟ୍ ରେ ଭିଜନ୍ ୨୦୩୦ର କଥା କହିଛନ୍ତି କାମଚଳା ଅର୍ଥମନ୍ତ୍ରୀ । ସେଥିରେ ୧୦ଟି ଦିଗକୁ ଗୁରୁତ୍ୱ ଦିଆଯାଇଛି । ସୌରଶକ୍ତି ଉତ୍ପାଦନ କ୍ଷମତା ୧୦ ଗୁଣ କରିବାକୁ ଲକ୍ଷ୍ୟ ରହିଛି । ମୋବାଇଲ୍ ଡାଟା ୫୦ ପ୍ରତିଶତ ବୃଦ୍ଧି କରାଯାଇଛି । ଆଗାମୀ ୫ ବର୍ଷରେ ୧ ଲକ୍ଷ ଡିଜିଟାଲ ଗାଁ ଲକ୍ଷ୍ୟ ରଖାଯାଇଛି ।
ମୋଦି ସରକାରଙ୍କ ବିରୋଧରେ କର୍ପୋରେଟ ପ୍ରେମର ଆରୋପ ଲାଗିଥିବାରୁ ଏଥରର ବଜେଟ୍ ରେ କର୍ପୋରେଟ ଜଗତକୁ ଖୁସି କରିବାକୁ ଚାହିଁନାହାନ୍ତି ମୋଦି । ତେବେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କଠାରୁ ଆରମ୍ଭ କରି ମଧ୍ୟବିତ୍ତ ବର୍ଗ ଙ୍କ ପାଇଁ ଖୁସିର ପସରା ଖୋଲିଛନ୍ତି । ମୋଟାମୋଟି ଦେଖିଲେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ମୋଦି ସରକାର ପପୁଲିଷ୍ଟ ବଜେଟ୍ ଜରିଆରେ ଭୋଟ ହାତେଇବା ପାଇଁ ପ୍ରବଳ ମୁଣ୍ଡ ଖଟେଇଛନ୍ତି । ବିରୋଧୀ କଂଗ୍ରେସ ଏହି ବଜେଟ୍ କୁ ନିର୍ବାଚନୀ ବଜେଟ୍ କହି ସମାଲୋଚନା କରିଛି । କାମଚଳା ବଜେଟ୍ ହୋଇଥିବାରୁ ଏଥିରେ ବାସ୍ତବତା ଖୋଜି ପାଇବା କଷ୍ଟ ବୋଲି ବିରୋଧୀ ଦଳଗୁଡ଼ତକ ଆକ୍ଷେପ କରିଛନ୍ତି ।