ଭୁବନେଶ୍ୱର: ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ମର୍ଡର କେସ୍ ର ତଦନ୍ତ ଶିଥିଳ ରହିଥିଲା । ଏବେ ପୁଲିସ ତତ୍ପର ହୋଇଛି । ଏହି ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ପୁଲିସ ଦ୍ୱାରା ପୂର୍ବରୁ ଥରେ ଜେରା ହୋଇଥିବା ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ପୁଣିଥରେ ଜେରା ପାଇଁ ଛତ୍ରପୁର ପୁଲିସ ନୋଟିସ୍ ପଠେଇଛି । ଏହି ମାମଲାରେ ଛପି ରହିଥିବା ବିଜେପିର ଅନ୍ୟତମ ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର ମଧ୍ୟ ସାମନାକୁ ଆସିଛନ୍ତି । ଗୋଲକଙ୍କ ସହ ତାଙ୍କୁ ମଧ୍ୟ ପୁଲିସ ନୋଟିସ୍ ପଠାଇଛି । ଆସନ୍ତା ୭ ତାରିଖରେ ଭୃଗୁ ଓ ୯ ତାରିଖରେ ଗୋଲକ ଛତ୍ରପୁର ଥାନାରେ ହାଜର ହେବା ପାଇଁ କୁହାଯାଇଛି । ଛତ୍ରପୁର ଏସଡ଼ିପିଓ ରମେଶ ସେଠୀ ଏହି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ୨୦୧୭ ସେପ୍ଟେମ୍ବର ୧୬ ତାରିଖରେ ହତ୍ୟା କରାଯାଇଥିଲା । ଏହି ମାମଲାର ଅଭିଯୁକ୍ତ ଭାବେ କୃଷ୍ଣ ଓ ଦୁର୍ଯୋଧନଙ୍କୁ ପୁଲିସ ଗିରଫ କରିଥିଲା । ଲକ୍ଷ୍ମୀଙ୍କୁ ହତ୍ୟା କଲା ପରେ କୃଷ୍ଣ ଓ ଦୁର୍ଯୋଧନ ଫେରାର ହୋଇଥିଲେ ଏବଂ ସେମାନଙ୍କୁ ଫେରାର କରିବାରେ ଗୋଲକ ମହାପାତ୍ର ସାହାଯ୍ୟ କରିଥିଲେ ବୋଲି ଦୁଇ ଅଭିଯୁକ୍ତ ପୁଲିସ ଆଗରେ ଭିଡ଼ିଓ ବୟାନ ଦେଇଥିଲେ । କେବଳ ସେତିକି ନୁହେଁ, ଗୋଲକ ଓ କୃଷ୍ଣଙ୍କ ମଧ୍ୟରେ ମାସକ ଭିତରେ ୨୬ ଥର ମୋବାଇଲରେ କଥାବାର୍ତ୍ତା ହୋଇଥିବାର କଲ୍ ରେକର୍ଡ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା । ଏହି ମାମଲାରେ ଭୃଗୁ ବକ୍ସିପାତ୍ରଙ୍କ ସମେତ ଏକାଧିକ ବିଜେପି ନେତାଙ୍କ ସଂପୃକ୍ତିର ସନ୍ଧାନ ପାଇଥିଲା ପୁଲିସ । ଖୋଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବି ସଂପୃକ୍ତି ଅଭିଯୋଗ ଆସିଥିଲା ।
ଗତ ୨୦୧୭ ନଭେମ୍ବର ୧ ତାରିଖରେ ଛତ୍ରପୁର ପୁଲିସ ଗୋଲକ ମହାପାତ୍ରଙ୍କୁ ଛତ୍ରପୁର ଥାନାରେ ଜେରା କରିଥିଲା । ଜେରା ବେଳେ ଲକ୍ଷ୍ମୀ ହତ୍ୟା ସମ୍ପର୍କରେ ତାଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିବା ଖୋଦ୍ ଛତ୍ରପୁର ପୁଲିସ ସୂଚନା ଦେଇଥିଲା ।
ବିଜେଡ଼ିର ଦୁଇ ବରିଷ୍ଠ ନେତା ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ଚିଟଫଣ୍ଡ ମାମଲାରେ ସିବିଆଇ ନୋଟିସ୍ ଖବର ଆସିବା ବେଳକୁ ବିଜେପିର ଦୁଇ ବରିଷ୍ଠ ନେତାଙ୍କୁ ହତ୍ୟା ପରି ସଙ୍ଗୀନ ମାମଲାରେ ଛତ୍ରପୁର ପୁଲିସ ନୋଟିସ୍ ଦେବା ଖବର ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି । ତେବେ ଛତ୍ରପୁର ପୁଲିସର ନୋଟିସ୍ ନେଇ ତାଙ୍କ ପାଖରେ ଖବର ନାହିଁ ବୋଲି ଗୋଲକ ମହାପାତ୍ର କହିଛନ୍ତି ।
ମର୍ଡର କେସ୍ ରେ ଦୁଇ ସହଯୋଗୀଙ୍କୁ ପୁଲିସ ନୋଟିସ୍ ଖବର ବିଜେପି ଶିବିରକୁ ଛାନିଆଁ କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂଧ୍ୟାରେ ଏସପ୍ଲାନେଡ୍ ଯାଇ ‘ଉରି’ ଫିଲ୍ମ ଦେଖୁଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଫିଲ୍ମ ଦେଖିବା ଖବରକୁ ମିଡ଼ିଆ କଭରେଜ୍ ଦେବା ପାଇଁ ବିଜେପି ପକ୍ଷରୁ ସାମ୍ବାଦିକମାନଙ୍କୁ ଖବର ଦିଆଯାଇଥିଲା । ତେବେ ଫିଲ୍ମ ଦେଖିଲା ବେଳେ ଧର୍ମେନ୍ଦ୍ରଙ୍କୁ ଗୋଲକ ଓ ଭୃଗୁଙ୍କୁ ପୁଲିସ ନୋଟିସ୍ ଖବର ମିଳିଥିଲା । ସେ ଅଧାରୁ ଫିଲ୍ମ ଦେଖା ଛାଡ଼ି ପଳାଇ ଆସିଥିବା ଜଣାପଡ଼ିଛି ।