ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବରମୁଣ୍ଡା ଖେଳପଡ଼ିଆରେ ବିଜୁ ଜନ୍ମ ଶତବାର୍ଷିକୀର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ପୁଅ । ପେଟ ପୂରିଗଲା ପରି ଆଡମ୍ବର କରିଥିଲା ବିଜୁ ଜନତା ଦଳ । ବିଜୁ ବାବୁଙ୍କ ଭଳି ମହାନ୍ ଜନନାୟକଙ୍କ ପାଇଁ ଏଭଳି ଆଡମ୍ବର ସମୁଦ୍ରକୁ ଶଙ୍ଖେ କହିଲେ ଭୁଲ୍ ହେବନି । ତେବେ ବିଜୁବାବୁଙ୍କ ସ୍ମୃତିଚାରଣ ପାଇଁ ଉଦ୍ଦିଷ୍ଟ ଏହି ସମାବେଶ ପଛରେ ବିଜେଡ଼ିର ଅସଲ ଉଦ୍ଦେଶ୍ୟ ନେଇ ସନ୍ଦେହ ଆସିଛି । ବିଜୁ ଜନ୍ମ ଜୟନ୍ତୀ ଉତ୍ସବରେ ଶଙ୍ଖର ଆର୍ତ୍ତନାଦ ଏଭଳି ସନ୍ଦେହକୁ ଜନ୍ମ ଦେଇଛି ।
ବରମୁଣ୍ଡା ବିଜୁ ଜୟନ୍ତୀ ଉତ୍ସବକୁ ସଫଳ କରିବାକୁ ବିଜେଡ଼ି ଦିନରାତି ଏକ କରିଦେଇଥିଲା । ଦଳର ମେନ୍ ଯୁବବାହିନୀ ଖାଇବା ପିଇବା ଛାଡ଼ି ଦାୟିତ୍ୱକୁ ସୁଚାରୂ ଭାବେ ପାଳିବାକୁ ଉଦ୍ୟମ କରିଥିଲେ ଏବଂ ସଫଳ ବି ହୋଇଛନ୍ତି । ମାତ୍ର ବିଜୁବାବୁଙ୍କ ଭଳି ମହାନ୍ ବ୍ୟକ୍ତିଙ୍କୁ ବିଜୁ ଜନତା ଦଳ ନିଜ ପରିସୀମା ଭିତରେ ସୀମାବଦ୍ଧ କରିବାର ପ୍ରୟାସକୁ ଖୋଦ୍ ଦାମୋଦର ରାଉତ ବିରୋଧ କରି ବିବାଦର ମଞ୍ଜି ବୁଣିଥିଲେ । ଆଉ ଦାମଙ୍କ ବିଜୁ ପରିସୀମାର ସଂଜ୍ଞା କ’ଣ ତାହା ଆଜିର ବିଜେଡ଼ି ସମାବେଶ ରୋକଠୋକ୍ ବାର୍ତ୍ତା ଦେଇଛି । ବାର୍ତ୍ତା ଏୟା କି ବିଜୁଙ୍କୁ ପେଟେଣ୍ଟ କରିଦେଇଛି ବିଜେଡ଼ି । ବିଜୁବାବୁଙ୍କ ଜୀବନୀ ଓ ବ୍ୟକ୍ତିତ୍ୱର କପିରାଇଟ୍ କେବଳ ବିଜେଡ଼ିର ।
ଅବଶ୍ୟ ଏଭଳି ବାଦବିବାଦ ପୋଛିବାକୁ ମୁଖ୍ୟମନ୍ତ୍ରୀ ନିଜ ଭାଷଣରେ ଯଥାସାଧ୍ୟ ଉଦ୍ୟମ କରିଛନ୍ତି । ସ୍ପଷ୍ଟୀକରଣ ଦେଲା ଭଳି ପଦୁଟିଏ କହିଛନ୍ତି କି ବିଜୁ ବାବୁ ସମସ୍ତଙ୍କର । ସବୁ ବର୍ଗଙ୍କୁ ସାମିଲ କରି ଗାଁରେ ଗାଁରେ ବର୍ଷବ୍ୟାପୀ ବିଜୁ ଜନ୍ମ ଶତବାର୍ଷିକୀ ପାଳନ ହେବ ବୋଲି ମୁଖ୍ୟମନ୍ତ୍ରୀ କହି ଆଶଙ୍କା ବାଟରେ ତାଲା ଠୁଙ୍କିବାକୁ ପ୍ରୟାସ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ କେତେ ସତ କହୁଛନ୍ତି ତାହା ତ ଆଗକୁ ଜଣାପଡ଼ିବ । ମାତ୍ର ବରମୁଣ୍ଡା ସମାବେଶରେ ବିଜୁବାବୁଙ୍କ ସ୍ମୃତିର ବାତ୍ସ୍ନାକୁ ଶଙ୍ଖନାଦର ଚିକ୍ରାର ଯେ ବଳିପକାଇଛି ତାହା କହିଲେ ଭୁଲ୍ ହେବନି ।
ବିଭିନ୍ନ ପ୍ରାନ୍ତରରୁ କର୍ମୀମାନେ ବସ୍, କାର୍ ରେ ଆସିଥିଲେ । ସହରର ବିଭିନ୍ନ ୱାର୍ଡରୁ ପାଦରେ ଚାଲି ଶୋଭାଯାତ୍ରାରେ ଆସିଥିଲେ କର୍ମୀ । ସମସ୍ତଙ୍କ ହାତରେ ଥିଲା ବିଜେଡ଼ିର ଶଙ୍ଖ ପତାକା । ବିଜୁ ବାବୁଙ୍କ କାଁ ଭାଁ ଫଟୋ କି ପୋଷ୍ଟର ସେମାନଙ୍କ ହାତରେ ଥିଲା । ବିଜେଡ଼ି ଜିନ୍ଦାବାଦ.. ନବୀନ ପଟ୍ଟନାୟକ ଜିନ୍ଦାବାଦରେ ରାଜଧାନୀ ରାଜରାସ୍ତା ଫାଟି ପଡୁଥିଲା । ରାସ୍ତାରେ ଶଙ୍ଖ ପତାକା ଧରିଥିବା କର୍ମୀଙ୍କ ଆଚରଣ କହୁଥିଲା ସେମାନେ ବିଜୁ ବାବୁଙ୍କ ୧୦୦ ବର୍ଷ ପୂର୍ତ୍ତି ପାଳନ କରୁନାହାନ୍ତି । ବରଂ ବିଜେଡ଼ିର ନିର୍ବାଚନ ସମାବେଶ କି ପ୍ରଚାର ଅଭିମୁଖୀ ଥିଲା ସେମାନଙ୍କ ଚାଲିଚଳଣ ଓ ବ୍ୟବହାର । ଖାଲି ରାସ୍ତାରେ ନୁହେଁ, ସଭାସ୍ଥଳରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦଳ ଦଳ ହୋଇ କିଛି ଯୁବକର୍ମୀ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ୱନି ଦେଇ ଆଗକୁ ମାଡ଼ି ଆସୁଥିଲେ । ସଭାମଞ୍ଚରେ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ସଞ୍ଜୟ ଦାସବର୍ମା ଅଥବା ଭାଷଣ ଦେଉଥିବା ପ୍ରଦୀପ ମହାରଥୀ ଯେତେ ତାଗିଦ୍ କଲେ ବି କର୍ମୀଙ୍କ ଉପରେ ତାହା ଫରକ ପକାଉ ନ ଥିଲା । ଓଲଟି ଅଧିକରରୁ ଅଧିକ ସେମାନଙ୍କ ଆଚରଣ ବିଶୃଙ୍ଖଳ ଥିଲା । ଶଙ୍ଖ ପତାକାଗୁଡ଼ିକ ତୋଫାନ ଭଳି ଦୋହଲି ଯାଉଥିଲେ । ସେଇ ଯୁବ ବିଜେଡ଼ି କର୍ମୀମାନେ ମାହୋଲକୁ ଏଭଳି କରିଥିଲେ ଯେ ତାହା ବିଜୁବାବୁଙ୍କ ସ୍ମୃତିଚାରଣର ଭାବକୁ ପାଣିଚିଆ କରିଦେଇଥିଲା ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟ ଥିଲା, ପ୍ରଦୀପ ମହାରଥୀ ବିଜୁବାବୁଙ୍କ ସ୍ମୃତିଚାରଣ କରୁଥିଲା ବେଳେ ହଠାତ୍ ଶଙ୍ଖ ଓ ଢ଼ୋଲକି ବାଲା ଶଙ୍ଖ ଫୁଙ୍କି ଢ଼ୋଲ୍ ବଜାଇବା ଆରମ୍ଭ କରିଦେଲେ । ସଭା ହୋଷ୍ଟିଂ କରୁଥିବା ମନ୍ତ୍ରୀ ସଞ୍ଜୟ ଦାସବର୍ମା ମାଇକ୍ରୋଫୋନ୍ ଧରି ଚିଲ୍ଲାଇଥିଲେ ଓଃ ଶଙ୍ଖବାଲା.. ମହାରଥୀ କହୁଛନ୍ତି । ଶଙ୍ଖ ବନ୍ଦ କର । ସଞ୍ଜୟଙ୍କ ତାଗିଦ୍ ପାଇ ଶଙ୍ଖନାଦ ବନ୍ଦ ହୋଇଗଲା । ମାତ୍ର ମହାରଥୀ ଚିହିଁକି ଉଠି ଯାତ୍ରା ଡାଇଲଗ୍ ମାରିଲେ । କହିଲେ ନାଇଁ ଭାଇ । ମହାରଥୀ ପଛେ ବନ୍ଦ ହୋଇଯିବ, ଶଙ୍ଖ କିନ୍ତୁ ବନ୍ଦ ହେବନି । ଶଙ୍ଖ ବାଜି ଚାଲିବ । ମହାରଥୀଙ୍କ କହିବା ଅର୍ଥ ଥିଲା ସେ ବିଜୁବାବୁଙ୍କ ସ୍ମୃତିଚାରଣ ବନ୍ଦ କରିଦେବେ ପଛେ ହେଲେ ଶଙ୍ଖ ଫୁଙ୍ଖା ବନ୍ଦ ହେବନି । ବିଜେଡ଼ି ଶଙ୍ଖ ଏମିତି ଥରକୁ ଥର ଭୋଟ ପାଇ ଆସୁଥିବ । ମହାରଥୀଙ୍କ ଏହି ଦୁଇ ତିନୋଟି ଡାଇଲଗ୍ ବିଜୁବାବୁଙ୍କୁ ଅପମାନିତ କଲା ନା ନାଇଁ?
ପରିତାପର କଥା, ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବରେ ସାରା ଭୁବନେଶ୍ୱର ସହର ବିଜେଡ଼ି ବାନାରେ ଛାଉଣୀ ହେବା । ସହରର ଗଳିକନ୍ଦିରେ ଦେଖିବାକୁ ମିଳିଲା ବିଜେଡ଼ି ପତାକା । ମୁଖ୍ୟ ରାସ୍ତାଗୁଡ଼ିକରେ ବିଜେଡ଼ିର ଯୋଡି ପତାକା ତଳେ ବିଜୁବାବୁଙ୍କ ଫଟୋ ଶୋଭା ପାଉଛି । ସତେ ଯେମିତି ବିଜେଡ଼ି ପତାକା ଦୟାରେ ବିଜୁବାବୁ ନିଜ ପରିଚୟ ରଖିଛନ୍ତି । ବିଜୁବାବୁଙ୍କ ପ୍ରତି ବିଜେଡ଼ିର ଏହା ହୀନମନ୍ୟତା ଛଡ଼ା କିଛି ନୁହେଁ । ବିଜୁବାବୁଙ୍କ ସ୍ୱପ୍ନକୁ ବିକି ଆଜି ଯାଏ କ୍ଷମତାର ସ୍ୱାଦ ଚାଖୁଥିବା ନବୀନଙ୍କ ବିଜୁ ଜନତା ଦଳ ଅନ୍ତତଃ ବିଜୁ ପଟ୍ଟନାୟକଙ୍କ ଫଟୋରେ ମୁଣ୍ଡ ଦେଇ ଚିର ଋଣୀ ଭାବ ପ୍ରକାଶ କରିବା ଦରକାର । ବିଜେଡ଼ି ପତାକା ତଳେ ତାଙ୍କୁ ଅସହାୟ ଅବସ୍ଥାରେ ରଖି ତାଙ୍କ ସ୍ମୃତି ପ୍ରତି ବେଆଇନି କରିବା ଠିକ୍ ନୁହେଁ । ଆଗକୁ ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡ଼ି ବିଜୁବାବୁଙ୍କ ଶତବାର୍ଷିକୀ ପାଳନକୁ ପ୍ରଚାରର ପ୍ଲାଟଫର୍ମ ବନାଇଲେ ତାହା ବିଜୁବାବୁଙ୍କ ଆତ୍ମାକୁ ଶାନ୍ତି ଦେବନି । ବିଜୁବାବୁଙ୍କ ମହାନତାକୁ ଖାଲି ଭାଷଣରେ ନୁହେଁ, କାମରେ ଦେଖାଇଲେ ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଆକାଶକୁ ଛୁଇଁପାରନ୍ତା ।