ଭୁବନେଶ୍ୱର: ହୋଟେଲ, ମଲ୍, ଶିଳ୍ପ ପ୍ରତିଷ୍ଠାନଗୁଡ଼ିକର ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ଅନିୟମିତତାର ଗମ୍ଭୀରତା ଜଣାପଡ଼ି ନ ଥିଲେ ମଧ୍ୟ ଏହା ଯେ ସାଂଘାତିକ ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଠୋରତାରୁ ସ୍ପଷ୍ଟ ବାରି ହୋଇପଡୁଛି । ଅଗ୍ନିଶମ ବିଭାଗ ସହ ପୁଲିସ ମୁଖିଆ ଦାୟିତ୍ୱରେ ଥିବା ବିଜୟ କୁମାର ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଗତକାଲି ଅପ୍ରତ୍ୟାଶିତ ଭାବେ ଉଭୟ ଦାୟିତ୍ୱରୁ ହଟାଇ ତଦନ୍ତ ମୁହଁକୁ ଠେଲିଥିବା ବେଳେ ଆଜି ଅଗ୍ନିଶମ ବିଭାଗର କିଛି ଅଧିକାରୀଙ୍କ ଉପରେ ଚୋଟ ବାଜିଛି । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ କଠୋର ହୋଇପଡ଼ିଥିବା ଏଥିରୁ ଜଣାପଡୁଛି ।
ଅଗ୍ନିଶମ ନିର୍ଦ୍ଦେଶାଳୟର ଫାୟାର୍ ପ୍ରିଭେନସନ୍ ୱିଙ୍ଗ୍ ବୁଝୁଥିବା ଚିଫ୍ ଫାୟାର୍ ଅଫିସର ମହେଶ୍ୱର ସ୍ୱାଇଁଙ୍କୁ ଦାୟିତ୍ୱରୁ ହଟାଇ ଦିଆଯାଇଛି । ଓଏଫଏଡିଆରଏ ର ନିର୍ଦ୍ଦେଶକ ଭାବେ ସେ କେବଳ ତାଙ୍କର ଦାୟିତ୍ୱ ତୁଲାଇବେ । ଚିଫ୍ ଫାୟାର୍ ଅଫିସର ସୁକାନ୍ତ ସେଠୀଙ୍କୁ ମହେଶ୍ୱର ସ୍ୱାଇଁଙ୍କ ଜାଗାରେ ନିର୍ଦ୍ଦେଶାଳୟ ଦାୟିତ୍ୱ ଦିଆଯାଇଛି । ସେହିଭଳି ନିର୍ଦ୍ଦେଶାଳୟର ଫାୟାର୍ ପ୍ରିଭେନସନ୍ ୱିଙ୍ଗ୍ ରେ ଥିବା ଡେପୁଟି ଫାୟାର୍ ଅଫିସର ଅରୁଣ ଷଡ଼ଙ୍ଗୀଙ୍କୁ ଭବାନୀପାଟଣା ସର୍କଲ୍ କୁ ବଦଳି କରାଯାଇଛି । ଜିଲ୍ଲା ଫାୟାର୍ ଅଫିସର ଭାବେ ସେଠାରେ ତାଙ୍କୁ ଅବସ୍ଥାପିତ କରାଯାଇଛି । ସେହି ଜାଗାରେ ଥିବା ସଲିଲ୍ ପ୍ରକାଶ କିଣ୍ଡୋଙ୍କୁ ଅରୁଣ ଷଡ଼ଙ୍ଗୀ ଥିବା ଅଗ୍ନିଶମ ନିର୍ଦ୍ଦେଶାଳୟକୁ ବଦଳି କରାଯାଇଛି ।
ଆଜି ଗୃହ ବିଭାଗ ପକ୍ଷରୁ ଏହି ବଦଳି ନିଦେ୍ର୍ଦଶାନାମା ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ଡିଜିପି ପଦରୁ ବିଜୟ ଶର୍ମାଙ୍କ ଅପ୍ରତ୍ୟାଶିତ ବିଦାୟ ବିଭିନ୍ନ ମହଲରେ ହଇଚଇ ସୃଷ୍ଟି କରିଛି । ତାଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଅଭିଯୋଗ ସମ୍ପର୍କରେ ଜାଣିବାକୁ ଉତ୍ସୁକତା ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଅନ୍ତଃରୀଣ ଡିଜିପି ଭାବେ ସତ୍ୟଜିତ୍ ମହାନ୍ତି କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।