ଭୁବନେଶ୍ୱର: ବିଧାନସଭାରେ ୧୨୦ ରୁ ଅଧିକ ଆସନ ଏବଂ ଲୋକସଭାରେ ୨୧ରୁ ୨୧ଟି ଯାକ ଆସନ । ଦୁଇବର୍ଷ ତଳେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ଓଡ଼ିଶାର ବିଜେପି ନେତା ଓ କର୍ମୀଙ୍କୁ ଦେଇଥିବା ଏହି ଟାର୍ଗେଟ୍ ଫସର ଫାଟିଗଲାଣି । ଆଜି ସାଲେପୁର କୁଳିଆଠାରେ ଶାହାଙ୍କ ଭାଷଣ ସେଭଳି ଇସାରା ଦେଇଛି । କର୍ମକର୍ତ୍ତାଙ୍କ ସମ୍ମିଳନୀ ହୋଇଥିଲେ ମଧ୍ୟ ଶାହା ତାଙ୍କ ଭାଷଣରେ ୧୨୦ ମିଶନ୍ କଥା ପାଟିରେ ଧରିନାହାନ୍ତି । ପୂର୍ବଥର ଭଳି ଶାହା ଏଥର ଓଡ଼ିଶା ମାଟିରେ ବିଜେଡ଼ି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଧ୍ୱଜା ଉଡ଼ାଇନାହାନ୍ତି । ନବୀନଙ୍କୁ ପୋଡ଼ା ଟ୍ରାନସଫରମର୍ କହିନାହାକ୍ତି କି ବଙ୍ଗୋପ ସାଗରରେ ଫିଙ୍ଗି ଦେବାକୁ ଆହ୍ୱାନ ଦେଇନାହାନ୍ତି । ଶାହା ତାଙ୍କ ଭାଷଣରେ ବିକାଶର ହିସାବ ଖେଳାଇ କଂଗ୍ରେସ ଓ ବିଜେଡ଼ିକୁ ଗୋଟିଏ ମୁଦ୍ରାର ଦୁଇଟି ପାଖ ବୋଲି କଟାକ୍ଷ କରିଛନ୍ତି । ଓଡ଼ିଶାରେ ବିଜେପି ସରକାର ଦେଲେ ରାଜ୍ୟକୁ ଏକ ନମ୍ବର କରିଦେବୁ ବୋଲି ଶାହା ପ୍ରତିଶ୍ରୁତି ଦେଇଛନ୍ତି ।
ସାଲେପୁର କୁଳିଆଠାରେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁର ଜିଲ୍ଲାର ପ୍ରାୟ ୩୦ ହଜାର ଜିଲ୍ଲା ଓ ବୁଥସ୍ତରୀୟ କର୍ମକର୍ତ୍ତାଙ୍କୁ ଉଦବୋଧନ ଦେଇଥିଲେ ଶାହା । ଆରମ୍ଭରୁ ବିଜେଡ଼ି ସରକାରକୁ ଟାର୍ଗେଟ୍ କରିଥିଲେ ଶାହା । କେନ୍ଦ୍ର ସରକାର ଆରମ୍ଭ କରିଥିବା ଆୟୁଷ୍ମାନ ଯୋଜନା ଓଡ଼ିଶାରେ କାହିଁକି ଲାଗୁ କରାଯାଇନି ରାଜ୍ୟ ସରକାରଙ୍କଠାରୁ ଜବାବ ମାଗିଥିଲେ । ଏହି ଯୋଜନାରୁ କେନ୍ଦ୍ର ସରକାର କାଳେ ଫାଇଦା ନେଇଯିବେ ରାଜ୍ୟର ବିଜେଡ଼ି ସରକାର ଡରୁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ । ଓଡ଼ିଶା ଏକ ସମ୍ପତ୍ତିବାନ ରାଜ୍ୟ, ମାତ୍ର ଓଡ଼ିଶା ଲୋକେ ଗରିବ କାହିଁକି? ଓଡ଼ିଶାର ବିକାଶ କାହିଁକି ହୋଇପାରୁନି? ଏଭଳି କିଛି ପ୍ରଶ୍ନରେ ରାଜ୍ୟ ସରକାରଙ୍କୁ ଛନ୍ଦିଥିଲେ । କେନ୍ଦ୍ରରେ ୫୫ ବର୍ଷର କଂଗ୍ରେସ ସରକାର ଏବଂ ଓଡ଼ିଶାରେ ୧୯ ବର୍ଷର ବିଜେଡ଼ି ସରକାର ରାଜ୍ୟର ବିକାଶ କରିପାରିନାହାନ୍ତି ବୋଲି ଶାହା କହିଥିଲେ ।
ଓଡ଼ିଶାକୁ ସାଢ଼େ ଚାରି ବର୍ଷର ମୋଦି ସରକାର ୫ ଲକ୍ଷ ୧୩ ହଜାର କୋଟି ଟଙ୍କା ଦେଇଛନ୍ତି ଏବଂ ରାଜ୍ୟର ବିକାଶ ପାଇଁ ପ୍ରାଧାନ୍ୟ ଦେଇଛନ୍ତି । ମୋଦି ସରକାର ଓଡ଼ିଶାକୁ କେତେ ଟଙ୍କା କେଉଁ ବାବଦରେ ଦେଇଛନ୍ତି ତାହାର କଡ଼ାଗଣ୍ଡା ହିସାବ ଦେଇଥିଲେ । ଅନେକ କେନ୍ଦ୍ରୀୟ ଯୋଜନା ରାଜ୍ୟବାସୀଙ୍କ ପାଖରେ ପହଞ୍ଚି ପାରୁନି ବୋଲି ଆରୋପ ଢ଼ାଳିଥିଲେ ।
ଶାହା ମୋଟାମୋଟି ଭାବେ ଏୟା କହିଥିଲେ ଯେ କଂଗ୍ରେସ ଓ ବିଜେଡ଼ିକୁ ଲୋକେ ପରୀକ୍ଷା କରିସାରିଲେଣି । ରାଜ୍ୟକୁ ବିକାଶ ପଥରେ ନେବା ପାଇଁ ନବୀନ ସରକାର ଅପାରଗ । ଅତୀତରେ କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ସରକାର ବି ରାଜ୍ୟର ବିକାଶ କରିପାରିନାହାନ୍ତି । କଂଗ୍ରେସ ଅପାରଗ । ତେଣୁ ଦେଶରେ ମୋଦିଙ୍କୁ ପୁଣି ଥରେ କ୍ଷମତାକୁ ଆଣନ୍ତୁ । ଏଠି ଓଡ଼ିଶାରେ ୧୯ ବର୍ଷର ବିଜେଡ଼ି ସରକାରକୁ ହଟାଇ ବିଜେପିକୁ ଲୋକେ ସୁଯୋଗ ଦିଅନ୍ତୁ । ବିଜେପି ସରକାର ଓଡ଼ିଶାକୁ ଏକ ନମ୍ବର ରାଜ୍ୟ ଭାବେ ଗଢ଼ି ତୋଳିବ ।
ଉଲ୍ଲେଖଯୋଗ୍ୟ, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ୩ ଥର ଆସି ଦଳୀୟ କର୍ମୀ ସମାବେଶରେ ଭାଷଣ ଦେଇଥିଲେ ମଧ୍ୟ ବିଜେଡ଼ି ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ ନ ଥିଲେ କି ଟାଣ କଥା କହି ନ ଥିଲେ । ଆଜି ଓଡ଼ିଶା ଆସିଥିବା ଶାହା ସାଲେପୁରରେ ମୋଦିଙ୍କ ରାସ୍ତାରେ ନ ଯାଇ ନବୀନ ସରକାରଙ୍କ ଉପରେ ଶୂଖିଲା ବର୍ଷିଥିଲେ ମଧ୍ୟ ପ୍ରସଙ୍ଗ ଦୃଷ୍ଟିରୁ କର୍ମୀଙ୍କୁ ତାହା ପ୍ରଭାବିତ କରିପାରିନାହିଁ । ବିଜେଡ଼ି ସରକାର ବିରୋଧରେ ଦୁର୍ନୀତି, ଭ୍ରଷ୍ଟାଚାର, ମହିଳା ନିର୍ଯାତନା ଆଦି ପ୍ରସଙ୍ଗ ଧରି ରାଜ୍ୟର ବିଜେପି ନେତାମାନେ ନିତି ବର୍ଷୁଛନ୍ତି । ହେଲେ ଶାହାଙ୍କ ଭାଷଣରେ ଏସବୁ ପ୍ରସଙ୍ଗ ନ ଥିଲା । ତେଣୁ ଦଳୀୟ କର୍ମକର୍ତ୍ତାଙ୍କୁ ତାଙ୍କ ଭାଷଣ ଉତ୍ସାହିତ କରିପାରିନାହିଁ ।
ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ଓଡ଼ିଶାରେ ମିଶନ୍ ୧୨୦ର ସ୍ରଷ୍ଟା ଅମିତ୍ ଶାହା ଆଜି ନିଜ ଭାଷଣରେ ତାହାକୁ ସମ୍ପୂର୍ଣ୍ଣ ଭୁଲିଯାଇଥିଲେ । ପଦୁଟିଏ ବି ସେ ସମ୍ପର୍କରେ କହିଲେନି । ଗତ ସେପ୍ଟେମ୍ବର ମାସରେ ସେ ଓଡ଼ିଶା ଆସି ଦଳୀୟ କର୍ମକର୍ତ୍ତାଙ୍କୁ ମିଶନ୍ ୧୨୦ ର ଟାକ୍ସ ଦେଇ ଯାଇଥିଲେ । ଆଜି ୪ ଟି ଯାକ ଜିଲ୍ଲାର କର୍ମକର୍ତ୍ତାଙ୍କୁ ଡକାଯାଇଥିଲେ ମଧ୍ୟ ସେ ସମ୍ପର୍କରେ ଶାହା ପଦୁଟିଏ ଆଲୋଚନା କଲେନି କି ମିଶନ୍ ୧୨୦ ର ଦମ୍ଭ ଦେଖାଇଲେନି ।
ଧର୍ମେନ୍ଦ୍ର ଡରିଲେ !
ଶାହାଙ୍କ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାଷଣ ଦେଇ ରାଜ୍ୟ ସରକାରଙ୍କ ବିରୋଧରେ ବହୁତ ବର୍ଷିଥିଲେ ମଧ୍ୟ ଆଗାମୀ ଦିନରେ ଓଡ଼ିଶାରେ ବିଜେପି ସରକାର ହେବ ବୋଲି ଦମ୍ଭ ଦେଖାଇ ନ ଥିଲେ । ନରେନ୍ଦ୍ର ମୋଦିଙ୍କୁ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ସେ ଉପସ୍ଥିତ କର୍ମକର୍ତ୍ତାଙ୍କ ସହଯୋଗ ମାଗି ମାଗି ଭାଷଣ ସାରିଥିଲେ । ତେବେ ଶାହା ତାଙ୍କ ଭାଷଣରେ ଧର୍ମେନ୍ଦ୍ରଙ୍କ ଏହି କମଜୋରିକୁ ଖୋଲିଦେଇଥିଲେ । ଧର୍ମେନ୍ଦ୍ର ଛାଡ଼ି ଯାଇଥିବା ଭାଷଣରେ ଶାହା ଓଡ଼ିଶାରେ ବିଜେଡ଼ି ସରକାରର ମଧ୍ୟ ପରିବର୍ତ୍ତନ କଥା ଯୋଡି ଦେଇଥିଲେ ।