ଭୁବନେଶ୍ୱର: ଗତକାଲି ଅମିତ୍ ଶାହାଙ୍କ ବୁଦ୍ଧିଜୀବୀ ସମ୍ମିଳନୀକୁ ଫିକ୍ସିଂ କରିଥିଲେ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପ୍ । ବିଜେପି ଓ ଧର୍ମେନ୍ଦ୍ରଙ୍କ ପ୍ରତି ଲୟାଲ୍ ଥିବା ବୁଦ୍ଧିଜୀବୀଙ୍କୁ ସ୍କ୍ରିନ୍ ଟେଷ୍ଟ ଭଳି ଚୟନ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ନିମନ୍ତ୍ରଣ ନାଁରେ ଦଳୀୟ ହୁକୁମ୍ କୁ ସ୍ୱାଭିମାନୀ ବୁଦ୍ଧିଜୀବୀ ଏଡାଇ ଦେଇଥିଲେ । କାଁ ଭାଁ ସେଠାକୁ ଯାଇଥିଲେ । ଜଣେ ବୁଦ୍ଧିଜୀବୀଙ୍କ କହିବାନୁଯାୟୀ, ୪ ଦିନ ତଳେ ବିଜେପି ଅଫିସରୁ ତାଙ୍କ ପାଖକୁ ଇଂରାଜୀରେ ଏକ ମେସେଞ୍ଜ ଆସିଥିଲା । ଲେଖାଥିଲା- ଅମିତ୍ ଶାହା ୬ ସେପ୍ଟେମ୍ବର ସଂଧ୍ୟା ୫.୩୦ରେ ହୋଟେଲ ପାଲହାଇଟସ୍ ରେ ବୁଦ୍ଧିଜୀବୀଙ୍କୁ ଭେଟିବେ । ଆପଣ ପାର୍ଟି ଇଣ୍ଟେଲେକ୍ଚୁଆଲ୍ ସେଲ୍ ର ପ୍ରଫେସର ପାଣିଙ୍କଠାରୁ ଇନଭିଟେସନ୍ କାର୍ଡ କଲେକ୍ଟ କରିବାକୁ ଅନୁରୋଧ । ଏଭଳି ଅବାଂଛିତ ଅନୁରୋଧ ଭଦ୍ରବ୍ୟକ୍ତିଙ୍କୁ ବ୍ୟଥିତ କରିଥିଲେ ମଧ୍ୟ ଆଗ୍ରହବଶତଃ ପାର୍ଟି ଅଫିସ୍ ଆସି ପ୍ରଫେସର ପାଣିଙ୍କୁ ଭେଟିଲେ । ପ୍ରଫେସର ପାଣି ତାଙ୍କର ପରିଚୟ ଯାଞ୍ଚ କଲା ପରେ ଧର୍ମେନ୍ଦ୍ରଙ୍କ ସିନିୟର୍ ଓ ଜୁନିୟର୍ ଗୁମାସ୍ତା(ପିପି)ଙ୍କୁ ଯୋଗାଯୋଗ କଲେ । କ’ଣ କଥା ହେଲେ କେଜାଣି ଅନ୍ୟ ଆଳ ଦେଖାଇ ସଂପୃକ୍ତ ଭଦ୍ରବ୍ୟକ୍ତିଙ୍କୁ ଇନଭିଟେସନ୍ କାର୍ଡ ଦେବାକୁ ମନା କରିଦେଲେ । ବିଚରା ଭଦ୍ରବ୍ୟକ୍ତି ସେଠାରୁ ଅପମାନିତ ହୋଇ ଫେରିଥିବା ଆମକୁ କହିଛନ୍ତି ।
ଆଜି ହୋଟେଲ ମାରିଅନ୍ ରେ ଅମିତ୍ ଶାହାଙ୍କ ସାମ୍ବାଦିକ ସମ୍ମିଳନୀରେ ବି ସେମିତିକା ଘଟଣା ଦେଖିବାକୁ ମିଳିଲା । ଶାହାଙ୍କ ଆସିବା ପୂର୍ବରୁ ଦଳର ମୁଣ୍ଡିଆଳ ମୁଖପାତ୍ର ସଜ୍ଜନ ଶର୍ମା ସାମ୍ବାଦିକଙ୍କୁ ଟିଉସନ୍ କଲେ । କମାଣ୍ଡ ଦେଲେ, ଯାହାର ନାଁ ଡକାଯିବ ସେ କେବଳ ପ୍ରଶ୍ନ ପଚାରିବେ । ଉପରେ ପଡ଼ି କେହି ପ୍ରଶ୍ନ କରିପାରିବେନି । ମଞ୍ଚ ଉପରୁ ଯାହା ନିର୍ଦ୍ଦେଶ ଯିବ ତାହା ସାମ୍ବାଦିକମାନେ ମାନିବାକୁ ଏକପ୍ରକାର ଚେତାବନୀ ଶୁଣାଇଥିଲେ । ନିର୍ଦ୍ଧାରିତ ସମୟର ଅଧଘଣ୍ଟା ବିଳମ୍ବରେ ଅମିତ୍ ଶାହା ଆସିଲେ । ସାଙ୍ଗରେ ଥିଲେ ଧର୍ମେନ୍ଦ୍ର, ଜୁଏଲ୍, କନକ ବର୍ଦ୍ଧନ, ସମ୍ବିତ ପାତ୍ର ଓ ଅରୁଣ ସିଂ । ଆରମ୍ଭ ହେଲା ସାମ୍ବାଦିକ ସମ୍ମିଳନୀ । ମୋଦି ସରକାରଙ୍କ ସଫଳତା ଗାନ କରିବା ସହ ଶାହା ଓଡ଼ିଶାକୁ ମୋଦି ସରକାରଙ୍କ ମୋଟା ଆର୍ଥିକ ଅନୁଦାନର ପରିସଂଖ୍ୟାନ ଦେଇଥିଲେ । ସେଠୁଁ ଆରମ୍ଭ ହେଲା ସାମ୍ବାଦିକଙ୍କ ପ୍ରଶ୍ନ । ସଜ୍ଜନ ଶର୍ମା ଜଣଙ୍କ ପରେ ଜଣେ ପ୍ରାୟ ୧୦ ଜଣ ସାମ୍ବାଦିକଙ୍କ ନାଁ ଡାକି ପ୍ରଶ୍ନ କରିବାକୁ କହିଲେ । ଯେଉଁ ସାମ୍ବାଦିକ ନିଜ ଆଡୁ ପ୍ରଶ୍ନ କରିବାକୁ ଚାହିଁଲେ ତାଙ୍କୁ ସୁଯୋଗ ଦିଆଗଲାନି । ସଜ୍ଜନଙ୍କ ବାରଣସତ୍ତ୍ୱେ ଶାହାଙ୍କ ଇସାରାରେ ଦୁଇ ତିନି ଜଣ ଅଣତାଲିକାଭୁକ୍ତ ସାମ୍ବାଦିକ ପ୍ରଶ୍ନ ପଚାରିବାକୁ ସୁଯୋଗ ପାଇଲେ ।
ଧର୍ମେନ୍ଦ୍ର ଶିଶୁପାଳ
ଓଡ଼ିଶାରେ ବିଜେପିର ୧୨୦ ମିଶନ୍ + ନିଶ୍ଚିତ ସଫଳ ହେବ ବୋଲି ଶାହା ଦମ୍ଭ ଦେଖାଇଥିଲେ । ତେବେ କାହାରି ନେତୃତ୍ୱରେ ଦଳ ଲଢ଼ିବ ତାହା ନିର୍ଣ୍ଣୟ ହୋଇନାହିଁ । ସାମ୍ବାଦିକଙ୍କ ଦୋହରା ପ୍ରଶ୍ନରେ ଶାହା ଏହି ଉତ୍ତର ଦୋହରାଇଥିଲେ । ବିଜେପି ଭିତିର ସୂତ୍ରର ଖବର ଅନୁଯାୟୀ ସାମ୍ବାଦିକଙ୍କ ମୁହଁରେ ଏହି ପ୍ରଶ୍ନ ପଚାରି ଧର୍ମେନ୍ଦ୍ରଙ୍କ ଲୋକେ ଶାହାଙ୍କ ପାଟିରୁ ଧର୍ମେନ୍ଦ୍ରଙ୍କ ନାଁ ଶୁଣିବାକୁ ଅନାଇଥିଲେ । ମାତ୍ର ଶାହା ସେମାନଙ୍କୁ ନିରାଶ କରିଥିଲେ । ଅନ୍ୟ ଏକ ପ୍ରଶ୍ନରେ ବିଜେଡ଼ି ସହ ମେଣ୍ଟର ପ୍ରଶ୍ନ ଉଠୁନାହିଁ ବୋଲି ଶାହା କହିଥିଲେ ।