ଭୁବନେଶ୍ୱର: ଗତକାଲି ଅମିତ୍ ଶାହାଙ୍କ ଡିନର୍ ପାର୍ଟିରେ ଯୋଗଦେଇଥିଲେ ସୌମ୍ୟରଂଜନ ପଟ୍ଟନାୟକ । ହୋଟେଲ ମେ ଫେୟାରରେ ଏକାଠି ବସି ଖାଇଥିଲେ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ୍ ଙ୍କ ଗହଣରେ ପାର୍ଟି ବେଶ୍ ଜମିଥିଲା । ଶାହାଙ୍କ ମିଶନ୍ ୧୨୦ ପ୍ଲସ୍ ଅଭିଯାନ ଅବସରରେ ଆୟୋଜିତ ହୋଇଥିଲା ଏହି ଡିନର୍ ପାର୍ଟି । ବରିଷ୍ଠ ସମ୍ପାଦକ ଓ ମିଡ଼ିଆ ମାଲିକଙ୍କୁ ଆମନ୍ତ୍ରିତ କରାଯାଇଥିଲା । ସେହି ଆମନ୍ତ୍ରଣ ରକ୍ଷା କରି ଅନ୍ୟମାନଙ୍କ ଭଳି ସୌମ୍ୟ ବି ଯାଇଥିଲେ ।
ଶାହାଙ୍କ ଡିନର୍ ପାର୍ଟିରେ ‘ସମ୍ବାଦ’ ଓ ‘କନକ’ ଟିଭି ମାଲିକ ସୌମ୍ୟଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା କାହିଁକି ? ଅନ୍ୟ ସମ୍ପାଦକ କି ମାଲିକଙ୍କ ଭଳି ସେ ଯିବାରେ ଅସୁବିଧା କେଉଁଠି ? ହୁଏତ ଏହି ପ୍ରଶ୍ନ ଉଠିପାରେ । ମାତ୍ର ଅନ୍ୟ ସମ୍ପାଦକ ଓ ମାଲିକଙ୍କ ସହ ସୌମ୍ୟଙ୍କୁ ତୁଳନା କରାଯାଇପାରିବ ନାହିଁ । ଯେମିତି ତଥାଗତ ଶତପଥୀ କି ବୈଜୟନ୍ତ ପଣ୍ଡା । ଏହି କାଟାଗୋରିର ସୌମ୍ୟ ବି ଜଣେ । ଅଣବିଜେପି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସହ ସେମାନେ ସିଧାସଳଖ ଜଡ଼ିତ । ମିଡ଼ିଆ ଭିନ୍ନ ସୌମ୍ୟଙ୍କର ବିବିଧ ପରିଚୟ ମଧ୍ୟରେ ରହିଛି ‘ଆମ ଓଡ଼ିଶା ପାର୍ଟି’ ସଭାପତି ପରିଚୟ । ସୌମ୍ୟ ନିଜେ ଏହି ଦଳ ଗଢ଼ି ନିର୍ବାଚନରେ ନିଜେ ଲଢ଼ୁଛନ୍ତି ଏବଂ ପ୍ରାର୍ଥୀ ଛିଡ଼ା କରାଉଛନ୍ତି । ବିଜେଡ଼ି ଓ ବିଜେପି ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦୀ । ସୁତରାଂ ନିଜେ ଏକ ଅଣବିଜେପି ରାଜନୈତିକ ଦଳର ମୁଖିଆ ହୋଇ ବିଜେପି ଜାତୀୟ ମୁଖିଆଙ୍କ ଏଜେଣ୍ଡାଭରା ଡିନର୍ ପାର୍ଟିରେ ଯୋଗଦେବାକୁ ବୁଦ୍ଧିଜୀବୀ ମହଲ ଠିକ୍ ମନେକରୁନାହାନ୍ତି ।
କିଛି ବୁଦ୍ଧିଜୀବୀଙ୍କ ମତରେ ସୌମ୍ୟ ନିଜକୁ ଅତି ସିଆଣିଆ ଭାବୁଛନ୍ତି । ଖବରକାଗଜ, ଟିଭି, ରେଡ଼ିଓ କି ଯାତ୍ରାପାର୍ଟି ମାଲିକଭାବେ ସେ ନିଜକୁ ସୀମିତ ରଖିନାହାନ୍ତି । ଭାଷା ଆନ୍ଦୋଳନ, ରକ୍ତଦାନ, ଚାଷୀ ଆନ୍ଦୋଳନ, ଚିଟଫଣ୍ଡ ଜମାକାରୀଙ୍କ ସ୍ୱାର୍ଥରକ୍ଷା ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି । ସାମାଜିକ ଆନ୍ଦୋଳନ ଛଡ଼ା ପ୍ରତ୍ୟକ୍ଷ ରାଜନୀତିରେ ନିଜକୁ ଓତଃପ୍ରୋତଃ ଜଡ଼ିତ କରିଛନ୍ତି । କଂଗ୍ରେସରୁ ତଡ଼ାଖାଇଲା ପରେ ‘ଆମ ଓଡ଼ିଶା ପାର୍ଟି’ ଗଢ଼ି ନିର୍ବାଚନ ମୈଦାନରେ । ଏକା ସମୟରେ ସବୁ କାନ୍ଧରେ ଗାମୁଛା ପକାଇ ସ୍ୱାଦ ଚାଖିବା ଉଦ୍ୟମକୁ ସେମାନେ ପସନ୍ଦ କରିନାହାନ୍ତି । ଅମିତ୍ ଶାହାଙ୍କ ଡିନର୍ ପାର୍ଟିରେ ତାଙ୍କର ଯୋଗଦାନକୁ ସେମାନେ ସେହି ଦୃଷ୍ଟିରେ ଦେଖିଛନ୍ତି । ଉଲ୍ଲେଖଯୋଗ୍ୟ, କିଛିମାସ ତଳେ ସୌମ୍ୟ-ଧର୍ମେନ୍ଦ୍ରଙ୍କ ନିବିଡ଼ ସମ୍ପର୍କ ନେଇ ଆଲୋଚନା ହୋଇଥିଲା । ତେବେ ପରେ ସେ ବିଜେଡ଼ିରେ ମିଶୁଥିବା ଚର୍ଚ୍ଚା ହେଲା । ହଠାତ୍ ତାଙ୍କୁ ନବୀନ ନିବାସରେ ବି ଦେଖିବାକୁ ମିଳିଲା । ସେହି ଚର୍ଚ୍ଚାରେ ଅନ୍ତ ଘଟି ନ ଥିବା ବେଳେ ତାଙ୍କୁ ଦେଖିବାକୁ ମିଳିଛି ଅମିତ୍ ଶାହାଙ୍କ ଡିନର୍ ପାର୍ଟିରେ ।
ସୂଚନାଯୋଗ୍ୟ, ଓଡ଼ିଶାରେ ମିଶନ୍ ୧୨୦ ପ୍ଲସ୍ ରେ ବିଜେପିର ମୁଖ୍ୟ ଟାର୍ଗେଟ୍ ରହିଛି ମିଡ଼ିଆ । ମିଡ଼ିଆକୁ ହାତରେ ରଖିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି କାର୍ଯ୍ୟକାରୀ କଲାଣି । ଏଥିପାଇଁ ଦଳ ପକ୍ଷରୁ ଆଖିବୁଜା ଟଙ୍କା ଖର୍ଚ୍ଚ ହେଉଛି । ଖାସ୍ କରି ଧର୍ମେନ୍ଦ୍ର ପ୍ରଧାନ ପଦୋନ୍ନତି ପାଇଲା ପରେ ମିଶନ୍ ଆହୁରି ଜୋରଦାର ହୋଇଛି ।