ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଖେଇ ଆସିଲା ବେଳକୁ ବିଜେପିକୁ ଶନିଦଶା ଆଣିଛନ୍ତି ଖୋଦ୍ ଅମିତ୍ ଶାହା । ନିଜକୁ ସ୍ୱଚ୍ଛ ଓ ଭ୍ରଷ୍ଟାଚାର ବିରୋଧୀ ନେତା ବୋଲାଉଥିବା ଶାହାଙ୍କ ପରିବାର ଉପରେ ଆସିଛି ଭ୍ରଷ୍ଟାଚାର ଆରୋପ । ଇଂରାଜୀ ୱେବସାଇଟ୍ ‘ଦ ଓୟାର୍’ ର ଖୁଲାସା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶାହାଙ୍କ ଭାବମୂର୍ତ୍ତିରେ କଳଙ୍କ ବୋଳିଛି । ଅମିତ୍ ଶାହାଙ୍କ ପୁଅ ଜୟ ଙ୍କ କମ୍ପାନୀ ସମ୍ପତ୍ତି ବର୍ଷକରେ ୧୬ ହଜାର ଗୁଣା ବୃଦ୍ଧି ପାଇଛି । ଏହା ଛନଛନି ଖବର ନୁହେଁ, ରେଜିଷ୍ଟ୍ରାର ଅଫ୍ କମ୍ପାନିଜ୍ (ଆରଓସି) କାଗଜପତ୍ର ତଥ୍ୟ ଦେଇ ଖବର କରିଛି ‘ଦ ଓୟାର’ । ଏହି ଖବର ବିରୋଧରେ ଜୟ ଆଜି ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମା କରିଥିଲେ ମଧ୍ୟ ବଦନାମ ଫାସରେ ଫସିଛନ୍ତି ଶାହା ବାପ-ପୁଅ । ସାରା ଦେଶରେ ଖବରଟି ହଇଚଇ ସୃଷ୍ଟି କରିଛି ।
‘ଦ ଓୟାର୍’ ଲେଖିଛି, ୨୦୧୪-୧୫ ରେ ଜୟଙ୍କ କମ୍ପାନୀ ଟେମ୍ପଲ୍ ଏଣ୍ଟରପ୍ରାଇଜ୍ ପ୍ରାଇଭେଟ୍ ଲିମିଟେଡ଼ ମାତ୍ର ୫୦ ହଜାର ଟଙ୍କାର କାରବାର କରିଥିଲା । ୨୦୧୫-୧୬ ରେ ଏହା ୮୦ କୋଟି ୫୦ ଲକ୍ଷରେ ପହଞ୍ଚିଛି । ଅର୍ଥାତ୍ ବର୍ଷକରେ କମ୍ପାନୀ ଟର୍ଣ୍ଣଓଭର୍ ୧୬ ହଜାର ଗୁଣା ବୃଦ୍ଧି ପାଇଛି । ପୁଣି କେତେବେଳେ ? ଯେତେବେଳେ କି ଜୟଙ୍କ କମ୍ପାନୀ ଏକ ଫାଇନାନସିଆଲ୍ ସର୍ଭିସେସ୍ ଫାର୍ମଠାରୁ ୧୫.୭୮ କୋଟି ଟଙ୍କାର ଅନସିକୋରଡ୍ ଲୋନ୍ ଆଣିଛି । ପୁଣି ଲୋନ୍ ଦାତା ଏହି ଫାର୍ମର ମାଲିକ ରାଜେଶ ଖାୱାଲା ହେଉଛନ୍ତି ରାଜ୍ୟସଭା ସାଂସଦ ତଥା ରିଲାଏନସ୍ କମ୍ପାନୀର ଟପ୍ ଏକଜ୍ୟୁଟିଭ୍ ପରିମଲ ନାଥୱାନିଙ୍କ ସମୁଦି । ସେଥିରେ ଆହୁରି ଅନେକ ରୋଚକ ତଥ୍ୟ ବି ରହିଛି । ମୋଟାମୋଟି ଭାବେ ନରେନ୍ଦ୍ର ମୋଦି ଓ ଅମିତ୍ ଶାହା କ୍ଷମତାକୁ ଆସିଲା ପରେ ଜୟ ଶାହାଙ୍କ କମ୍ପାନୀ ସମ୍ପତ୍ତି ବର୍ଷକେ କଳ୍ପନାତୀତ ୧୬ ହଜାର ଗୁଣା ବୃଦ୍ଧି ପାଇଥିବା ଓୟାର ଦର୍ଶାଇଛି । ଉପା ସରକାର ଅମଳରେ ସୋନିଆ ଗାନ୍ଧୀଙ୍କ ଜୋଇଁ ରବର୍ଟ ଭଦ୍ରଙ୍କ ରିୟଲ୍ ଇଷ୍ଟେଟ୍ ବେପାର ମାଲେମାଲକୁ ନେଇ ତୁମ୍ବିତୋଫାନ କରିଥିବା ବିଜେପିକୁ ଓୟାର ରିପୋର୍ଟ ଖାଲି ଚଟକଣି ହୋଇନି ବରଂ ରାଜନୈତିକ ସ୍ଥିତିକୁ ଦୋହଲାଇ ଦେଇଛି ।
ମୋଦିଙ୍କ ବିମୁଦ୍ରାକରଣ ନୀତି ଖୋଦ୍ ଦଳ ଭିତରୁ ସମାଲୋଚନାର ଶରବ୍ୟ ହୋଇଥିଲା ବେଳେ ଅମିତ୍ ଶାହାଙ୍କ ପୁତ୍ରଙ୍କ କମ୍ପାନୀ ସମ୍ପତ୍ତି ଏଥିରେ ନିଆଁ ଲଗାଇଛି । ଅମିତ ଓ ତାଙ୍କ ପୁଅ ହିଁ ବିମୁଦ୍ରାକରଣର ଠିକ୍ ଲାଭ ଉଠାଇଛନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଏଠି ଓଡ଼ିଶାରେ ମଧ୍ୟ ଜୟ ଶାହାଙ୍କ ସମ୍ପତ୍ତି ରାଜନୀତି ଜୋର୍ ହୋଇଛି । ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଜୟଙ୍କ ସମ୍ପତ୍ତି ବୃଦ୍ଧିକୁ ତାତ୍ସଲ୍ୟ କରିଛନ୍ତି । ଏହାକୁ ମୋଦି ସରକାରଙ୍କ ‘ଜୟ କା ବିକାଶ’ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କଟାକ୍ଷ କରିଛନ୍ତି । ବିଜେପିକୁ ମାଡ଼ ପାଇଁ ବିଜେଡ଼ିକୁ ମଧ୍ୟ ଏହା ବଢ଼ିଆ ଅସ୍ତ୍ର ହୋଇଛି । ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କଠାରୁ ଆରମ୍ଭ କରି ଦଳର ମୁଖପାତ୍ରମାନେ ମୋଦି ଓ ଅମିତଙ୍କୁ ଆକ୍ରମଣ ଆରମ୍ଭ କରିଛନ୍ତି । ସୋସିଆଲ୍ ମିଡ଼ିଆରେ ଆକ୍ରମଣ ତୀବ୍ର ହୋଇଛି । କଂଗ୍ରେସ ଓ ବିଜେଡ଼ିର ଆକ୍ରମଣରେ ବିଜେପିର ବଡ଼ମୁଣ୍ଡଙ୍କ ପାଟି ଚୁପ୍ ରହିଥିବା ବେଳେ ମୁଖପାତ୍ର ସଜ୍ଜନ ଶର୍ମା ଚିରାଚରିତ ଢ଼ଙ୍ଗରେ କାଉଣ୍ଟର କରିଛନ୍ତି । ଖବରର ସତ୍ୟତା ନାହିଁ ବୋଲି କହିଛନ୍ତି ।