ଭୁବନେଶ୍ୱର: ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଶିଷ୍ଟାଚାର ଓ ସୌଜନ୍ୟତା ଭୁଲିଗଲେ । ଆଜି ଭୁବନେଶ୍ୱର ଆସି ସାମ୍ବାଦିକ ସମ୍ମିଳନୀ କରିବା ପରିପ୍ରେକ୍ଷୀରେ ବୁଦ୍ଧିଜୀବୀ ମହଲରେ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରାଜ୍ୟକୁ ଯାଇଥିବା ବେଳେ ଅଚାନକ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସି ନବୀନଙ୍କୁ କଟାକ୍ଷ କରିବା ରାଜନୈତିକ ଶିଷ୍ଟାଚାରର ପରିପନ୍ଥୀ ବୋଲି ଅନେକ ମତ ଦେଇଛନ୍ତି ।
ନବୀନ ପଟ୍ଟନାୟକଙ୍କ ସୁରଟ ଗସ୍ତ ପୂର୍ବ ନିର୍ଦ୍ଧାରିତ । ପ୍ରାୟ ଦୁଇ ସପ୍ତାହ ତଳୁ ଏହି କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିଲା । ମାତ୍ର ବିଜୟ ରୁପାନୀଙ୍କ ଭୁବନେଶ୍ୱର ଗସ୍ତ କାର୍ଯ୍ୟକ୍ରମ କାଲି ସଂଧ୍ୟାରେ ହିଁ ଜଣାପଡ଼ିଲା । କୁହାଗଲା, ରାଫେଲ୍ ପ୍ରସଙ୍ଗରେ କଂଗ୍ରେସ କହିଥିବା ମିଛ ଲୋକଙ୍କୁ ଜଣାଇବା ପାଇଁ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରିବେ । ସବୁ ରାଜ୍ୟରେ ବିଜେପି ଏଭଳି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରୁଛି । ସେହି କ୍ରମରେ ରୁପାନୀ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରିବେ । ତେବେ ରୁପାନୀ ଯେଉଁ ରାଫେଲ୍ ପ୍ରସଙ୍ଗରେ କହିବାକୁ ଭୁବନେଶ୍ୱର ଆସିଥିଲେ ତାହା ଗୌଣ ହୋଇଗଲା । ମୁଖ୍ୟ ହେଲା, ନବୀନ ପଟ୍ଟନାୟକଙ୍କ ଶାସନକୁ ଗାଳି ।
ଗୋଟେ ରାଜ୍ୟର ମୁଖ୍ୟମନ୍ତ୍ରୀ ତାଙ୍କ ରାଜ୍ୟକୁ ଯାଇଥିବା ବେଳେ ସେହି ରାଜ୍ୟକୁ ସେହିଦିନ ଆସି ସେହି ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କି ଗାଳି କରିବା ଜଣେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷେ ଅତ୍ୟନ୍ତ ଅଶୋଭନୀୟ ବୋଲି କୁହାଯାଉଛି । ରାଜନୀତିରେ ଯିଏ ଯୋଉ ଦଳରେ ଥାଆନ୍ତୁ ନା କାହିଁକି ଏଭଳି ଆଚରଣ ଜଣେ ରାଜ୍ୟ ମୁଖ୍ୟଙ୍କୁ ଛୋଟ କରିଦେଉଛି । ରାଜନୀତିର ଉପରେ ରୁପାନୀଙ୍କର ସାଧାରଣ ସୌଜନ୍ୟତା ଥିଲେ, ସେ ସମାନ ଦିନରେ ଓଡ଼ିଶା ଆସିବାକୁ ବିଲକୁଲ୍ ରାଜି ହୋଇ ନ ଥାଆନ୍ତେ । ଆଜି ନ ଆସି କାଲି କି ପଅରଦିନ ଆସିଥିଲେ ଦୁନିଆ ଭାସି ଯାଇ ନ ଥାଆନ୍ତା । ନିଜ ରାଜ୍ୟରେ ଥାଇ ଅନ୍ୟ ରାଜ୍ୟର ଜଣେ ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ ସ୍ୱାଗତ କରିଥିଲେ ତାଙ୍କ ସମ୍ମାନ ବୃଦ୍ଧି ପାଇଥାଆନ୍ତା ।
ନବୀନ ପଟ୍ଟନାୟକଙ୍କଠାରୁ ବିଜୟ ରୁପାନୀ ଶିଷ୍ଟାଚାର ଶିଖିବା ଦରକାର ବୋଲି କିଛି ବରିଷ୍ଠ ସାମ୍ବାଦିକ ମତ ଦେଇଛନ୍ତି । ରାଜନୀତି ଯାହା ହୋଇଯାଉ ପଛେ ନବୀନ ନିଜ ଆଚରଣ ଓ ଭାଷାରେ ଶାଳିନତା, ସୌଜନ୍ୟତା ଜାଣିଛନ୍ତି । କାହାକୁ କିଭଳି ସମ୍ମାନ ଦିଆଯାଏ ତାହା ନବୀନଙ୍କଠାରୁ ଶିଖିବା ଦରକାର । ନବୀନଙ୍କ ଏହି ଶିଷ୍ଟାଚାର ଗୁଣ ତାଙ୍କୁ ଜନମାନସରେ ଅଧିକ ଲୋକପ୍ରିୟ କରିଛି । ଅପରପକ୍ଷେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପାଇଁ ସ୍ୱପ୍ନ ଦେଖୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥାବାର୍ତ୍ତା ଓ ଠାଣିବାଣି ହିଁ ତାଙ୍କ ପାଇଁ କାଳ ହୋଇଛି । ଏଥିରୁ ତାଙ୍କ ଦଳର ମୁଷ୍ଟିମେୟ ନେତାମାନେ ଶିକ୍ଷା ଲାଭ କରିବା ଦରକାର । ବିଜୟ ରୁପାନୀ ଯାହା କଥାରେ ଭଳି ଏଭଳି କରିଥାଆନ୍ତୁ ନା କାହିଁକି ଏହା ତାଙ୍କରି ସମ୍ମାନ ହାନି କରିଛି ବୋଲି ସେମାନେ କହିଛନ୍ତି ।
ବିଶ୍ୱସ୍ତ ସୂତ୍ରର ସୂଚନା ଅନୁଯାୟୀ, ରାଫେଲ ପ୍ରସଙ୍ଗରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ରୁପାନୀ ଭୁବନେଶ୍ୱରରେ ଆସି କହିବା ପାଇଁ କୌଣସି କାର୍ଯ୍ୟକ୍ରମ ନ ଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସୁରଟ୍ ଗସ୍ତକୁ ପାନେ ଦେବା ପାଇଁ ଶେଷ ମୁହୁର୍ତ୍ତରେ ଏଭଳି ଯୋଜନା ପ୍ରସ୍ତୁତ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବୀନଙ୍କ ସୁରଟ ଗସ୍ତ ଦିନ ହିଁ ରୁପାନୀଙ୍କୁ ଭୁବନେଶ୍ୱର ଆଣି ତାଙ୍କ ମୁହଁରେ ନବୀନଙ୍କୁ ଗାଳି କରିବାକୁ ଯୋଜନା କରିଥିଲେ । ଆଉ ତାଙ୍କ ଯୋଜନାକୁ ତଥାସ୍ତୁ କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା । କାଲି ଅପରାହ୍ନରେ ହିଁ ରୁପାନୀଙ୍କ ଭୁବନେଶ୍ୱର ଗସ୍ତ ଚୂଡ଼ାନ୍ତ ହୋଇଥିଲା । ରୁପାନୀ ଏଠାରେ ଆସି ରାଫେଲ ପ୍ରସଙ୍ଗରେ କହି ପାଳି ତୁଲେଇଥିଲେ ସତ ହେଲେ ମୂଳ ଟାର୍ଗେଟ୍ ଥିଲେ ନବୀନ ପଟ୍ଟନାୟକ । ଧର୍ମେନ୍ଦ୍ର ଓ ରାଜ୍ୟ ବିଜେପିର ଭାଷା ଶୁଣାଇଥିଲେ ସାମ୍ବାଦିକମାନଙ୍କୁ ।