ଶ୍ରମିକଙ୍କୁ ମାସକର ଘରଭଡ଼ା ଛାଡ଼
ଘର ମାଲିକମାନେ ଶ୍ରମିକଙ୍କ ମାସକର ଘରଭଡ଼ା ଛାଡ଼ କରିବାକୁ ଅପିଲ୍ କରିଛନ୍ତି କେନ୍ଦ୍ର ସରକାର । ଅନ୍ୟପକ୍ଷରେ ଭଡ଼ାରେ ରହୁଥିବା ଶ୍ରମିକ ଓ ଛାତ୍ରଙ୍କୁ ସଂପୃକ୍ତ ମାଲିକ ଘର ଖାଲି କରିବାକୁ କହିଲେ ଦଣ୍ଡିତ ହେବେ । ଏହାକୁ କଡ଼ାକଡ଼ି ପାଳନ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଜି ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଫସି ରହିଥିବା ଗରିବ ଲୋକଙ୍କ ରହିବା, ଖାଇବାର ଅସ୍ଥାୟୀ ବନ୍ଦୋବସ୍ତ କରିବାକୁ ବି କୁହାଯାଇଛି । ଘରକୁ ଫେରୁଥିବା ଶ୍ରମିକଙ୍କୁ ଅତିକମ୍ ରେ ୧୪ ଦିନ ପର୍ଯ୍ୟନ୍ତ ରଖିବାର ବନ୍ଦୋବସ୍ତ ରାଜ୍ୟ ସରକାର କରିବେ । ଶ୍ରମିକମାନେ କାମ କରୁଥିବା କମ୍ପାନୀ ଓ ଦୋକାନୀମାନେ ସଂପୃକ୍ତ ଶ୍ରମିକଙ୍କ ମାସକର ପାଉଣା ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଜିଲ୍ଲାଗୁଡ଼ିକର ସୀମାକୁ ସିଲ୍ କରିବା ପାଇଁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି । ସହର ଭିତରେ ଯାଇଥିବା ରାଜପଥରେ ଗମନାଗମନ ବନ୍ଦ କରିବାକୁ କୁହାଯାଇଛି । ଲକ୍ ଡାଉନ୍ କଟକଣାକୁ କଡ଼ାକଡ଼ି ପାଳନ କରିବା ପାଇଁ ଜିଲ୍ଲାପାଳ ଓ ଏସପିଙ୍କୁ ଦାୟିତ୍ୱ ଦେବା ସହ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରବାସୀଙ୍କୁ ସୀମାନ୍ତରେ ଅଟକାଅ: ହାଇକୋର୍ଟ
ବର୍ତ୍ତମାନର ପରିସ୍ଥିତିରେ ବାହାରୁ ରାଜ୍ୟକୁ ଫେରୁଥିବା ଲୋକଙ୍କୁ ସୀମାନ୍ତରେ ଅଟକାଇବାକୁ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ଜିଲ୍ଲାଗୁଡ଼ିକ ଭିତରେ ମଧ୍ୟ ଏହି ନିୟମ ପାଳନ ହେବ । ଅଟକ ଜାଗାରେ ସେମାନଙ୍କ ରହିବା, ଖାଇବା ପିଇବା ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା ଚରିବାକୁ କୁହାଯାଇଛି । ସୀମାନ୍ତବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଚିନ୍ତା ବଢ଼ାଇଲେ ୨୮୫୬ ପ୍ରବାସୀ
୧୪ ଦିନ ତଳେ ପ୍ରବାସରୁ ଫେରିଥିବା ୨୮୫୬ ଲୋକ ଏଯାଏଁ ଚିହ୍ନଟ ହୋଇନାହାନ୍ତି । ଜିଲ୍ଲାସ୍ତରୀୟ ସର୍ଭେଲାଇନ୍ ଟିମ୍ ର ନଜରକୁ ମଧ୍ୟ ଆସିନାହାନ୍ତି । ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଆଜି ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଏଥିପାଇଁ ଉଦବେଗ ପ୍ରକାଶ କରିଛନ୍ତି । ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ ରେ ରଖା ନଗଲେ ଅନ୍ୟମାନଙ୍କୁ ସଂକ୍ରମଣର ଭୟ ଥିବାରୁ ତୁରନ୍ତ ଚିହ୍ନଟ କରିବାକୁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସଂକ୍ରମିତ ଅଞ୍ଚଳରୁ ଆସିଥିବା ବ୍ୟକ୍ତିଙ୍କ ଲକ୍ଷଣ ଥାଉ କି ନ ଥାଉ ତୁରନ୍ତ ଚିହ୍ନଟ କରି ହୋମ୍ କ୍ୱାରେଣ୍ଟାଇନ୍ ରେ ରଖିବାକୁ କୁହାଯାଇଛି ।
ପ୍ରବାସୀଙ୍କ ପାଇଁ ନୋଡାଲ୍ ଅଫିସର
ଲକ୍ ଡାଉନ୍ ଯୋଗୁଁ ଅସୁବିଧାରେ ଥିବା ପ୍ରବାସୀଙ୍କ ଲାଗି ରାଜ୍ୟ ସରକାର ନୋଡାଲ୍ ଅଫିସର ନିଯୁକ୍ତ କରିଛନ୍ତି । ବରିଷ୍ଠ ଅଧିକାରୀମାନଙ୍କୁ ଭିନ୍ନ ଭିନ୍ନ ରାଜ୍ୟର ଦାୟିତ୍ୱ ଦିଆଯାଇଛି । ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ କଥା ସେମାନେ ବୁଝିବେ । ରାଜ୍ୟ ଓ ଦାୟିତ୍ୱରେ ଥିବା ଅଧିକାରୀମାନେ ହେଲେ: ତେଲେଙ୍ଗାନା-ୟେଦୁଲା ବିଜୟ, ଆନ୍ଧ୍ରପ୍ରଦେଶ- ବି.ପରମେଶ୍ୱରନ୍, ପଶ୍ଚିମବଙ୍ଗ- ଭାସ୍କରଜ୍ୟୋତି ଶର୍ମା, ଗୁଜରାଟ- ଜେ.ନୀତିନ୍ ଭାନୁଦାସ, ମହାରାଷ୍ଟ୍ର- ରାଜେ ପ୍ରଭାକର ପାଟଇଲ, ତାମିଲନାଡୁ- ଚିତ୍ରା ଅରୁମୁଗମ୍, ବିହାର ଓ ଝାଡ଼ଖଣ୍ଡ- ମହମ୍ମଦ ସିଦ୍ଦିକ୍ ଆଲାମ୍, କେରଳ- ଏମ୍.ମୁଥୁକୁମାର, ନୂଆଦିଲ୍ଲୀ- ସଞ୍ଜୀବ ମିଶ୍ର । ଅନ୍ୟ ସବୁ ରାଜ୍ୟ ଦାୟିତ୍ୱ ଅମିତାଭ ଠାକୁରଙ୍କ ଉପରେ ନ୍ୟସ୍ତ କରାଯାଇଛି ।
ପୁଲିସ କର୍ମଚାରୀଙ୍କୁ ୮ ଘଣ୍ଟା ଡ୍ୟୁଟି, ସପ୍ତାହରେ ଦିନେ ଛୁଟି
ଷ୍ଟ୍ରିଟ୍ ରେ ଡ୍ୟୁଟି କରୁଥିବା ପୁଲିସ କର୍ମଚାରୀଙ୍କୁ ଅତ୍ୟଧିକ ଚାପରୁ ମୁକ୍ତି ଦିଆଯାଇଛି । ଦୈନିକ ସେମାନେ ୮ ଘଣ୍ଟାରୁ ଅଧିକ ସମୟ ଡ୍ୟୁଟି କରିବେ ନାହିଁ । ସପ୍ତାହରେ ଗୋଟିଏ ଦିନ ଛୁଟି ପାଇବେ । ଏ ନେଇ ପୁଲିସ ମୁଖ୍ୟାଳୟ ପକ୍ଷରୁ ଆଡଭାଇଜରି ଜାରି ହୋଇଛି । ଆଜି ପୁଲିସ ଡିଜି ଅଭୟ ଭିଡ଼ିଓ କନଫରେନ୍ସିଂ ଯୋଗେ ସବୁ ଜିଲ୍ଲାର ଏସପି ଏବଂ ଟ୍ୱିନ୍ ସିଟି ଡିଏସପିଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।
ଓଡ଼ିଶାରେ ଫସିଛନ୍ତି ୧୫,୬୦୦ ଶ୍ରମିକ
ଲକ୍ ଡାଉନ୍ ଯୋଗୁଁ ବିଭିନ୍ନ ରାଜ୍ୟର ୧୫,୬୦୦ ଶ୍ରମିକ ଓଡ଼ିଶାରେ ଅଟକି ରହିଛନ୍ତି । ଅଧିକାଂଶ ଶ୍ରମିକ ହେଉଛନ୍ତି ପଶ୍ଚିମବଙ୍ଗ, ରାଜସ୍ଥାନ, ହରିୟାଣା, ଉତ୍ତର ପ୍ରଦେଶ, ବିହାର, ଆନ୍ଧ୍ର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶର । ଏହି ଶ୍ରମିକଙ୍କ ରହିବା, ଖାଇବାପିଇବା ବୁଝିବା ପାଇଁ ୧୦୪ ଟି କ୍ୟାମ୍ପ୍ କାମ କରୁଛି ବୋଲି ରାଜ୍ୟ ଶ୍ରମ ନିୟୋଜନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମନରେଗା କର୍ମଜୀବୀଙ୍କ ପାଇଁ ନବୀନ ମାଗିଲେ ୩୮୦.୩୯ କୋଟି
ରାଜ୍ୟରେ ମନରେଗା କର୍ମୀଜୀବୀମାନଙ୍କୁ ୨୧ ଦିନର ପାରିଶ୍ରମିକ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଚଳିତବର୍ଷ ରାଜ୍ୟରେ ୩୬,୧୦,୭୯୭ ମନରେଗା କର୍ମଜୀବୀ ଅଛନ୍ତି । ଲକଡାଉନ୍ ପାଇଁ ମନରେଗା ଏହି କର୍ମଜୀବୀମାନେ ଜୀବିକା ହରାଇଥିବାରୁ ବଞ୍ଚିବା କଷ୍ଟକର ହୋଇପଡ଼ିଛି । ସେମାନଙ୍କ ସଂସାର ଚଳିବା ପାଇଁ ୩୮୦.୩୯ କୋଟି ମଂଜୁର କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।