ଭୁବନେଶ୍ୱର: ଯାହା ଅନୁମାନ କରାଯାଉଥିଲା ସେୟା ହେଲା । ରାଜ୍ୟ ବିଜେପିର ମଙ୍ଗୁଆଳ ଭାବେ ସମୀର ମହାନ୍ତିଙ୍କୁ ଚୟନ କରାଯାଇଛି । ସହମତି ଭିତିରେ ଦଳର ରାଜ୍ୟ ସଭାପତି ଭାବେ ତାଙ୍କ ନାଁରେ ଲାଗିଛି ମୋହର । କେବଳ ମାତ୍ର ସାମ୍ବିଧାନିକ ପ୍ରକ୍ରିୟା ପୂରଣ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୫.୩୦ ମିନିଟ୍ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟସୀମା ପୂରିଗଲା ପରେ ସମୀରଙ୍କୁ ବିଧିବଦ୍ଧ ଭାବେ ରାଜ୍ୟ ସଭାପତି ଭାବେ ଘୋଷଣା କରାଯିବ । ବସନ୍ତ ପଣ୍ଡାଙ୍କଠାରୁ ସେ ଦାୟିତ୍ୱ ନେବେ ।
ବିଜେପି ସାଂଗଠନିକ ନିର୍ବାଚନର ଶେଷ ପର୍ବରେ ଆସନ୍ତାକାଲି ହେବାକୁ ଥିବା ସଭାପତି ନିର୍ବାଚନ ପାଇଁ ଆଜି ଥିଲା ପ୍ରାର୍ଥୀପତ୍ର ଦାଖଲର ଦିନ । ସମୟ ଥିଲା ଅପରାହ୍ନ ୩ଟାରୁ ୫.୩୦ । ତେବେ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ସହମତି ଭିତ୍ତିରେ ସଭାପତି ଚୟନର ଔପଚାରିକ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ବସିଥିଲା ।
ମତଦାତାମଣ୍ଡଳୀର ୩୪ ଜିଲ୍ଲା ସଭାପତି, ୧୭୭ ରାଜ୍ୟ ପରିଷଦ ସଦସ୍ୟ, ବିଧାୟକ ଓ ସାଂସଦମାନଙ୍କର ବୈଠକ ନେଇଥିଲେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶା ପ୍ରଭାରୀ ଅରୁଣ ସିଂ । ସମୀର ମହାନ୍ତିଙ୍କ ନାଁ ଦିଲ୍ଲୀରୁ ଚୂଡ଼ାନ୍ତ ହୋଇସାରିଥିଲା ବେଳେ କେବଳ ଔପଚାରିକତା ରକ୍ଷା କରାଯାଇଥିଲା । ସମୀରଙ୍କ ନାଁକୁ ହାତଟେକି ସମସ୍ତେ ସମର୍ଥନ କରିଥିଲେ ।
ଏହାପରେ ସମୀର ମହାନ୍ତି ଦଳର ରାଜ୍ୟ ରିଟର୍ଣ୍ଣିଂ ଅଧିକାରଙ୍କ ପାଖରେ ୫ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରଥମ ସେଟ୍ ପ୍ରାର୍ଥୀପତ୍ରରେ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ୧୮ ଜଣ ପ୍ରସ୍ତାବକ ଅଛନ୍ତି ।
ସଭାପତି ପଦରେ ସମୀର ମହାନ୍ତିଙ୍କ ଚୟନ ସହ ରାଜ୍ୟ ବିଜେପିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଖଣ୍ଡ ପ୍ରଭାବ ପୁଣିଥରେ ପ୍ରମାଣିତ ହୋଇଛି । କାରଣ ଧର୍ମେନ୍ଦ୍ରଙ୍କ ପ୍ରଥମ ପସନ୍ଦ ଥିଲେ ସମୀର । ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ତାଙ୍କ ପସନ୍ଦ ତାଲିକାରେ ଥିଲେ । ଏପରିକି ଶେଷ ମୁହୁର୍ତ୍ତରେ ପୃଥ୍ୱୀରାଜ ହରିଚନ୍ଦନଙ୍କ ନାଁ ଚର୍ଚ୍ଚା ହୋଇଥିଲା । ଅନ୍ୟପକ୍ଷରେ କନକ ବର୍ଦ୍ଧନ ସିଂହଦେଓଙ୍କୁ ପୁଣି ଥରେ ସଭାପତି କରିବା ପାଇଁ କିଛି କେନ୍ଦ୍ରୀୟ ନେତା ଲବି କରିଥିଲେ ମଧ୍ୟ କାମ ଦେଲାନାହିଁ ।
ରାଜ୍ୟ ବିଜେପିରେ ସମୀର ମହାନ୍ତି ଜଣେ ଟାଣୁଆ ନେତା ଭାବେ ପରିଚିତ । ତୃଣମୂଳସ୍ତରର ନେତା ଭାବେ ରାଜ୍ୟ ସଂଗଠନ ଉପରେ ତାଙ୍କର ଭଲ ଦଖଲ ରହିଛି । ୧୯୭୭ ମସିହାରେ ଏବିଭିପିରୁ କ୍ୟାରିୟର୍ ଆରମ୍ଭ କରିଥିବା ସମୀର ୧୯୮୦ ମସିହାରେ ଏବିଭିପି ରାଜ୍ୟ ଉପସଭାପତି ଦାୟିତ୍ୱ ପାଇଥିଲେ । ୧୯୮୪ ମସିହାରେ ବିଜେପି ଯୁବମୋର୍ଚ୍ଚାର ଉପସଭାପତି ହୋଇଥିଲେ ।
ପରବର୍ତ୍ତୀ ସମୟରେ ସେ ବିଡ଼ିଏରେ ସରକାରୀ ଚାକିରି କରିଥିଲେ । ୧୯୯୫ ମସିହାରେ ଚାକିରି ଛାଡ଼ି ବିଜେପିର ଭୁବନେଶ୍ୱର ଜିଲ୍ଲା ସଂଗଠନ ଦାୟିତ୍ୱ ନେଇଥିଲେ । ଭୁବନେଶ୍ୱର ମହାନଗର ନିଗମରେ ସେ ଦୁଇ ଦୁଇ ଥର କର୍ପୋରେଟର ହେବା ପରେ ୨୦୦୯ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଏକାମ୍ର ବିଧାନସଭା ଆସନରୁ ବିଜେପି ଟିକେଟରେ ଲଢ଼ିଥିଲେ । ବିଜେଡ଼ିର ଅଶୋକ ପଣ୍ଡାଙ୍କଠାରୁ ପରାଜିତ ହେବା ପରେ ଆଉ ନିର୍ବାଚନ ଲଢ଼ିନାହାନ୍ତି । ଦୀର୍ଘ ବର୍ଷ ଧରି ରାଜ୍ୟ ବିଜେପିର ମୁଖପାତ୍ର ଭାବେ କାର୍ଯ୍ୟ କରିଥିବା ସମୀର ୨୦୧୬ ମସିହାରୁ ରାଜ୍ୟ ଉପସଭାପତି ପଦରେ କାର୍ଯ୍ୟ କରୁଛନ୍ତି ।