ଭୁବନେଶ୍ୱର: ଓଡ଼ିଶା ପାଇଁ ଖୁସି ଖବର । ଭାରତର ପ୍ରଥମ କରୋନା ଟୀକା ‘କୋଭାକ୍ସିନ୍’ Covaxin ର ମାନବ ପରୀକ୍ଷଣ ଭୁବନେଶ୍ୱରର ସମ୍ ହସ୍ପିଟାଲ୍ ରେ ଆରମ୍ଭ ହୋଇଛି । ଏହି ଟୀକାର ମାନବ ପରୀକ୍ଷଣ ପାଇଁ ଦିଲ୍ଲୀ ଏମସ୍ ସମେତ ଦେଶର ୧୨ଟି ବଛା ବଛା ହସ୍ପିଟାଲ୍ କୁ ଚୟନ କରାଯାଇଛି । ସମ ହସ୍ପିଟାଲରେ ପରୀକ୍ଷଣ ନିମନ୍ତେ ଗତ ୨୦ ତାରିଖରେ ଆରମ୍ଭ ହୋଇଥିବା ପ୍ରିଭେନଟିଭ ଆଣ୍ଡ ଥେରାପିଉଟିକ କ୍ଲିନିକାଲ ୟୁନିଟରେ ସ୍ବେଛାସେବୀ ମାନଙ୍କ ଶରୀରରେ ଏହି ଭ୍ୟାକସିନର ପ୍ରୟୋଗ କରାଯାଇଛି |
ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରାଯାଇଥିବ। ‘କୋଭାକ୍ସିନ୍’ ଭ୍ୟାକସିନର ପରୀକ୍ଷଣ ନିମନ୍ତେ ଅନେକ ସ୍ବେଛାସେବୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ପାଉଥିବା ସୂଚନା ଦେଇଛନ୍ତି ଏହି ପରୀକ୍ଷଣ ପ୍ରକ୍ରିୟାର ମୁଖ୍ୟ ପରୀକ୍ଷକ ଡ଼ଃ ଇ. ଭେଙ୍କଟ ରାଓ । ବିଭିନ୍ନ ପର୍ଯ୍ୟାୟରେ ସ୍କ୍ରିନିଂ କରାଯିବା ପରେ ସ୍ବେଛାସେବୀ ମାନଙ୍କ ଶରୀରରେ ଭ୍ୟାକସିନ ପ୍ରୟୋଗ କରାଯାଇଥିବା ସମ ହସ୍ପିଟାଲର କମ୍ୟୁନିଟି ମେଡ଼ିସିନ ବିଭାଗର ପ୍ରଫେସର ଡ଼ଃ ରାଓ ସୂଚନା ଦେଇଛନ୍ତି | ପରୀକ୍ଷଣ ପରେ ସ୍ବେଛାସେବୀ ମାନଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି ଓ ସମସ୍ତେ ସୁସ୍ଥ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି |
ଇଛୁକ ସ୍ବେଛାସେବୀ ମାନେ ptctu.soa.ac.in ୱେବସାଇଟ ରେ ରେଜିଷ୍ଟ୍ରସନ କରିପାରିବେ। ଏହି ବ୍ୟକ୍ତି ରୋଗମୁକ୍ତ ହୋଇଥିବା ସହ ସ୍କ୍ରିନିଂ ପ୍ରକ୍ରିୟା ମାଧ୍ୟମରେ କେତେକ ପ୍ରଶ୍ନର ଉତ୍ତର ଦେଇ ୱେବସାଇଟରେ ନିଜ ନାମ ପଂଜିକୃତ କରି ପାରିବେ ବୋଲି ସମ୍ ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି ।
ଭାରତ ବାୟୋଟେକକୁ ଏହି ଭ୍ୟାକସିନ ପରୀକ୍ଷଣରେ ସହଯୋଗ କରୁଥିବା ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର ) ପରୀକ୍ଷଣ ନିମନ୍ତେ ଦେଶର ୧୨ ଟି ଅନୁଷ୍ଠାନକୁ ବାଛିଥିବା ବେଳେ ଓଡିଶାର ଏକମାତ୍ର ଅନୁଷ୍ଠାନ ଭାବେ ସମ ହସ୍ପିଟାଲକୁ ମନୋନୀତ କରାଯାଇଛି |