ନୂଆଦିଲ୍ଲୀ: ଆଜି ଜାତୀୟ ପଞ୍ଚାୟତିରାଜ ଦିବସରେ ଭାରତର ବିଭିନ୍ନ ରାଜ୍ୟର ସରପଞ୍ଚଙ୍କ ସହ ଭିଡ଼ିଓ କନଫରେନ୍ସିଂ ଯୋଗେ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ମୁକାବିଲାରେ ସରପଞ୍ଚଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ସେମାନଙ୍କ ଅଞ୍ଚଳରେ ଲକ୍ ଡାଉନ୍ ନିୟମ କିଭଳି ପାଳନ ହେଉଛି ପ୍ରଧାନମନ୍ତ୍ରୀ ପଚାରିଥିଲେ । ଏଥିସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମର ରୂପାୟନ ସମ୍ପର୍କରେ ସରପଞ୍ଚଙ୍କଠାରୁ ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କରୋନା ମୁକାବିଲା ନେଇ ଗାଁ ଲୋକଙ୍କୁ ଭୁରି ପ୍ରଶଂସା କରିଥିଲେ । “ ଆପଣମାନେ ଦୁନିଆକୁ ଅତି ସରଳ ଶବ୍ଦରେ ‘ ଦୁଇ ଗଜ ଦୂର’ ମନ୍ତ୍ର ଦେଇଛନ୍ତି । ସୀମିତ ସମ୍ବଳ, ସାଧନା ସତ୍ତ୍ୱେ କେବଳ ସାମାଜିକ ଦୂରତ୍ୱ ରକ୍ଷା କରି କରୋନାକୁ କିଭଳି ମୁକାବିଲା କରିହେବ ତାହା ଦୁନିଆକୁ ଶିଖାଇଦେଲେ । ସଂକଳ୍ପ ଓ ସାମର୍ଥ୍ୟ ଥିଲେ କଠିନ ପରିସ୍ଥିତିରୁ ମୁକୁଳିବାର ରାସ୍ତା ଦେଖାଇଲେ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏବେ କରୋନା ଅନେକ ପ୍ରକାର ସମସ୍ୟା ସୃଷ୍ଟି କରିଛି । ଏହାର ମୁକାବିଲା କରିବା ପାଇଁ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ । ପଞ୍ଚାୟତ ବ୍ୟବସ୍ଥା ମଜବୁତ ହେଲେ ଯାଇ ଲୋକତନ୍ତ୍ର ମଜଭୂତ ହେବ ବୋଲି ସରପଞ୍ଚମାନଙ୍କୁ କହିଥିଲେ ମୋଦି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଇ-ଗ୍ରାମ ସ୍ୱରାଜ ପୋର୍ଟାଲ୍ ର ଶୁଭାରମ୍ଭ କରିଥିଲେ । ଏଥିରେ ପଞ୍ଚାୟର ସମ୍ପୂର୍ଣ୍ଣ ଡିଜିଟାଇଜେସନ ବ୍ୟବସ୍ଥା କରାଯାଇଛି । ଗାଁର ଯେ କୌଣସି ଲୋକ ଏହି ପୋର୍ଟାଲ୍ ରୁ ପଞ୍ଚାୟତ ବିଷୟରେ ସବୁ ଜାଣିପାରିବେ । ପଞ୍ଚାୟତକୁ କେତେ ପାଣ୍ଠି ଆସୁଛି, ବିକାଶ କିଭଳି ହେଉଛି ତାହାର ସମସ୍ତ ତଥ୍ୟ ପାଇବେ । ଏହାଦ୍ୱାରା ପଞ୍ଚାୟତର ସ୍ୱଚ୍ଛତା ଓ ଦକ୍ଷତା ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଏଥିସହ ‘ସ୍ୱାମୀତ୍ୱ’ ଯୋଜନା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ଏହି ଯୋଜନାରେ ଲୋକଙ୍କୁ ନିଜ ସମ୍ପତ୍ତିର ମାଲିକାନା ସତ୍ତ୍ୱ ମିଳିବ । ଡ୍ରୋନ୍ ଯୋଗେ ଗାଁ ଲୋକଙ୍କ ସମ୍ପତ୍ତିର ମ୍ୟାପିଂ କରାଯାଇ ସତ୍ତ୍ୱ ପ୍ରଦାନ କରାଯିବ । ଫଳରେ ଜମିବାଡ଼ିକୁ ନେଇ ନେଇ ଗାଁରେ ଲାଗୁଥିବା ଝଗଡ଼ାର ଅବସାନ ହେବ ଏବଂ ବ୍ୟାଙ୍କରୁ ଋଣ ମିଳିବା ସହଜ ହେବ । ପ୍ରାରମ୍ଭିକ ଭାବେ ୬ଟି ରାଜ୍ୟରେ ପରୀକ୍ଷାମୂଳକ ଭାବେ ଏହି ଯୋଜନା ଲାଗୁ କରାଯିବ । ଏହାର ସଫଳତା ଦେଖି ସବୁ ରାଜ୍ୟରେ ପ୍ରଚଳନ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।