ଭୁବନେଶ୍ୱର: ଦୈନିକ ‘ପ୍ରମେୟ’ ଖବରକାଗଜର ଢ଼େଙ୍କାନାଳ ଜିଲ୍ଲା ପ୍ରତିନିଧି ଆଦିତ୍ୟ ପଣ୍ଡାଙ୍କର ଦୁଇଟି ଯାକ କିଡ଼ନୀ ଅକାମୀ ହୋଇଯାଇଛି । ଭାଇର ଜୀବନ ବଞ୍ଚାଇବାକୁ ତାଙ୍କ ଭଉଣୀ ତାଙ୍କ କିଡ଼ନୀ ଦେବାକୁ ଆଗେଇ ଆସିଛନ୍ତି । କିଡ଼ନୀ ପ୍ରତିରୋପଣ ପାଇଁ ଆବଶ୍ୟକ ଖର୍ଚ୍ଚ ପଣ୍ଡା ପରିବାରକୁ ଅସହାୟ କରିଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରୁ ଆସିଛି ସହାୟତାର ହାତ । କିଡ଼ନୀ ପ୍ରତିରୋପଣ ପାଇଁ ପ୍ରାରମ୍ଭିକ ଖର୍ଚ୍ଚ ବାବଦକୁ ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ।
ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ସହାୟତା ପ୍ରଦାନ କରୁଛନ୍ତି । ‘ପ୍ରମେୟ’ ସାମ୍ବାଦିକ ଆଦିତ୍ୟ ପଣ୍ଡାଙ୍କ କିଡ଼ନୀ ରୋଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାନକୁ ଆସିବା ପରେ ତୁରନ୍ତ ୨ ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଇ ମାନସ ଅବିଳମ୍ବେ ଏହି ପ୍ରାରମ୍ଭିକ ସହାୟତା ରାଶି ପ୍ରଦାନ କରିଥିଲେ । । ଜଣେ ସାମ୍ବାଦିକ ଭାବେ ମାନସଙ୍କର ସାମ୍ବାଦିକଙ୍କ ପ୍ରତି ସହୃଦୟତାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ସହାୟତା ପାଇଥିବା ସାମ୍ବାଦିକ ଶ୍ରୀ ପଣ୍ଡା ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।