ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ବିଜେପୁରର ବିଧାୟକ ସୁବଳ ସାହୁଙ୍କର ଆଜି ପରଲୋକ ଘଟିଛି । ଭୁବନେଶ୍ୱରର ଆମ୍ରି ହସ୍ପିଟାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଶ୍ରୀ ସାହୁ କ୍ୟାନସରରେ ପୀଡ଼ିତ ଥିଲେ । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୫୫ ବର୍ଷ ବୟସ ହୋଇଥିଲା । ସୁବଳଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି । ଓଡ଼ିଶା ଜଣେ ଦକ୍ଷ ସଂଗଠକ ଓ ଜନପ୍ରିୟ ନେତାଙ୍କୁ ହରାଇଲା ବୋଲି ସେମାନେ ନିଜ ଶୋକବାର୍ତ୍ତାରେ କହିଛନ୍ତି ।
ଅତ୍ୟନ୍ତ ଭଦ୍ର ଓ ଅମାୟିକ ସ୍ୱଭାବର ସୁବଳ ତାଙ୍କ ନିର୍ବାଚନମଣ୍ଡଳୀରେ ବେଶ୍ ଲୋକପ୍ରିୟ ଥିଲେ । ପଶ୍ଚିମ ଓଡ଼ିଶାରେ କଂଗ୍ରେସର ଜଣେ ଦକ୍ଷ ସଂଗଠକ ଥିଲେ । କଂଗ୍ରେସ ଟିକେଟରେ ୨୦୦୪ ରୁ ଲଗାତର ଭାବେ ସେ ବିଧାନସଭାକୁ ନିର୍ବାଚିିତ ହୋଇଥିଲେ । ଓକିଲାତିରୁ ରାଜନୀତିକୁ ଆସିଥିବା ସୁବଳ ନିଜର ଦୃଢ଼ ନେତୃତ୍ୱ ଓ ସାଂଗଠନିକ ଦକ୍ଷତା ଯୋଗୁଁ ଶୀର୍ଷକୁ ଉଠି ପାରିଥିଲେ । ଗତ ସାଧାରଣ ନିର୍ବାଚନରେ ସାରା ରାଜ୍ୟରେ ବିଜେଡ଼ି ହାୱା ଚାଲିଥିବା ବେଳେ ସେ ବିଜେଡ଼ିର ହେଭିୱେଟ୍ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପରାଜିତ କରିବା ତାଙ୍କ ଲୋକପ୍ରିୟତାକୁ ପ୍ରମାଣିତ କରିଥିଲା । ସୁବଳଙ୍କ ବିୟୋଗରେ କଂଗ୍ରେସ ଜଣେ ଦକ୍ଷ ସଂଗଠକକୁ ହରାଇଲା ବୋଲି ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ।
RIP