ଭୁବନେଶ୍ୱର: ସୋହେଲା ଆକ୍ରମଣ ଘଟଣାରେ ଗୁରୁତର ଆହତ ଦିଲେଶ୍ୱର ସାହୁ ଓରଫ୍ ମାଗି ଆଖି ବୁଜିଛନ୍ତି । ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତଙ୍କ ଗାଡ଼ିର ଡ୍ରାଇଭର ଥିଲେ ମାଗି । ଦୁର୍ବୃତ୍ତଙ୍କ ଆକ୍ରମଣରେ ମାଗିଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇ ବୁର୍ଲାରେ ଭର୍ତ୍ତି ହୋଇଥିଲେ । ମାଗିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ରାତିରେ ତାଙ୍କୁ କଟକ ଏସସିବି ମେଡ଼ିକାଲକୁ ଅଣାଯାଇଥିଲା । ମାତ୍ର ଶତଚେଷ୍ଟା ସତ୍ତ୍ୱେ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିନାହାନ୍ତି । ରାଜନୈତିକ ଆକ୍ରୋଶର ଶିକାର ହୋଇଥିବା ଏହି ନିରୀହ ଜୀବନଟି ଦୁନିଆରୁ ସବୁଦିନ ପାଇଁ ଚାଲିଯାଇଛି । ଏକୁଟିଆ ହୋଇଗଲେ ପତ୍ନୀ ଓ ଛୋଟଛୁଆ ।
ରାଜନୈତିକ ଶତ୍ରୁତାରୁ ଘଟଣା ଘଟିଥିବା ପୁଲିସ ସ୍ପଷ୍ଟ କରିସାରିଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ନାଁ କହିନାହିଁ । ତେବେ ପୁଲିସର ଇଙ୍ଗିତ ବିଜେପି ଆଡକୁ ଯାଇଛି । ଗିରଫ ବାସୁଦେବ ନାୟକ ଗତ ପଞ୍ଚାୟତ ନିର୍ବାଚନରେ ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ ଥିଲେ । ଏତଲାରେ ପୂର୍ବତନ ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁ ମଧ୍ୟ ରହିଛି । ମୋଟାମୋଟି ଭାବେ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ଓ ବିଜେଡ଼ି ସମର୍ଥକଙ୍କୁ ବିଜେପି ପକ୍ଷରୁ ଆକ୍ରମଣ ହୋଇଥିବା ପୁଲିସ ପରୋକ୍ଷରେ ସ୍ପଷ୍ଟ କରିଛି । ଆଉ ଏହି ରାଜନୈତିକ ବିଭତ୍ସ କଳିରେ ବିଚାରା ଡ୍ରାଇଭର ମାଗି ବଳି ପଡ଼ିଗଲେ । ବିଡ଼ମ୍ବନାର ବିଷୟ, ଏହି ଘଟଣାରେ ବିଜେପିର ସଂପୃକ୍ତି ନ ଥିବା ଦଳୀୟ ନେତାମାନେ ତୁମ୍ବିତୋଫାନ କରୁଛନ୍ତି । ଏପରିକି ଆକ୍ରମଣ ନାଁ ନେଇ ବିଜେଡ଼ି ନାଟକବାଜି କରୁଛି ବୋଲି କଟାକ୍ଷ କରିଥିଲେ । ଏବେ ମାଗିଙ୍କ ମୃତ୍ୟୁ ପରେ ସେହି ରାଜନୈତିକ ଚରିତ୍ରମାନଙ୍କ ଅସଲ ଚେହେରା ପଦାକୁ ଆସିଛି ।
ଉଲ୍ଲେଖଯୋଗ୍ୟ, ଆକ୍ରମଣ ଘଟଣାକୁ ନେଇ ସୋହେଲା ଥାନାରେ ବିମଳ ଭୋଇ ଏତଲା ଦେଇଛନ୍ତି । ଏତଲା ଅନୁଯାୟୀ, ବନାବିରା କ୍ରିୟା ଯୋଗ ଆଶ୍ରମରେ ବିଜେପୁର ଉପିର୍ବାଚନ ପାଇଁ ବିଜେପି ଟଙ୍କା ବାଣ୍ଟୁଥିବା ଖବର ପାଇ ଏତଲାକାରୀ ସୋହେଲାର ବିମଳ ଭୋଇ, ହରେକୃଷ୍ଣ ବାରିକ, ସନ୍ତୋଷ ସୁନା, ସିରିସ ପ୍ରାଧାନି ଓ ରଂଜିତ ଭୋଇ ଏକ ବୋଲେରୋ ଯୋଗେ ସେଠାକୁ ଯାଇଥିଲେ । ମାତ୍ର ଆଶ୍ରମ ପାଖରେ ପହଞ୍ଚିବା କ୍ଷଣି ଭିତରୁ କିଛି ଦୁର୍ବୃତ୍ତ ଅତର୍କିତ ଭାବେ ସେମାନଙ୍କ ଗାଡ଼ି ଉପରକୁ ଗୁଳି ଚଳାଇଥିଲେ । ଗୋଟେ ଗୁଳି ବୋଲେରୋର ଆଗ ଚକରେ ବାଜିଥିଲା । ଭୟରେ ସେମାନେ ସ୍ଥାନ ଛାଡ଼ି ପଳାଇ ଆସିଥିଲେ ।
ଏ ଖବର ଶୁଣି କାର୍ତ୍ତକ ନାଗ, ସୁବ୍ରତ ସିଂ, ମାଗି ସାହୁ ଓ ଖଗେଶ୍ୱର ମହାମଲ୍ଲିକ କାର୍ତ୍ତିକର ଭିଟାରା ବ୍ରିଜ୍ ଗାଡ଼ିରେ ସେହି ଆଶ୍ରମକୁ ଯାଇଥିଲେ । ସେଠାରେ ପହଞ୍ଚିବ କ୍ଷଣି ସୋହେଲାର ବାବୁ ଓରଫ ବାବୁଲୁ ନାୟକ, ଗୁଡ୍ଡୁ ଓରଫ ଦିଗ୍ମିଜୟ ଦାସ, ବନାବିରାର ଜୟପ୍ରକାଶ ଅଗ୍ରୱାଲ୍, ସମ୍ବଲପୁରର ପୂର୍ବତନ ବିଧାୟକ ଜୟନାରାୟଣ ମିଶ୍ରଙ୍କ ସମେତ ୨୦ରୁ ୨୫ ଜଣ ଲୋକ ସଂଘବଦ୍ଧ ଭାବେ ବନ୍ଧୁକ, ଲାଠି ଏବଂ ଇଟାପଥରରେ ସେମାନଙ୍କୁ ଆକ୍ରମଣ କରି ଗାଡ଼ି ଭଙ୍ଗାରୁଜା କରିଥିଲେ । ସମସ୍ତେ ମରିଗଲେ ଭାବି ଦୁର୍ବୃତ୍ତମାନେ ଘଟଣାସ୍ଥଳ ଛାଡ଼ି ପଳାଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହତମାନଙ୍କୁ ବୁର୍ଲା ଡାକ୍ତରଖାନା ଅଣାଯାଇଥିଲା । ଏତଲା ଆଧାରରେ ପୁଲିସ କେସ୍ ନଂ ୩୪/୧୮/୨୩.୦୨.୨୦୧୮ ଏବଂ ଆଇପିସି ଧାରା ୧୪୭, ୧୪୮, ୩୪୧, ୨୯୪, ୩୨୩, ୩୨୫, ୩୩୬, ୩୦୭, ୪୨୭, ୫୦୬, ୧୪୯ ଏବଂ ୨୫/୨୭ ଆର୍ମସ୍ ଆକ୍ଟ ରୁଜୁ କରିଛି । ପୁଲିସ ଏ ପର୍ଯ୍ୟନ୍ତ ୩ ଜଣଙ୍କୁ ଗିରଫ କରିଛି ।