ଜୁଲାଇ ମାସର ଗାଇଡଲାଇନ ଘୋଷଣା
ଭୁୁବନେଶ୍ୱର: କରୋନା ପାଇଁ ଅଗଷ୍ଟ ମାସରେ ବି ଖୋଲିବ ନାହିଁ ଶିକ୍ଷାନୁଷ୍ଠାନ । ରାଜ୍ୟର ସବୁ ସ୍କୁଲ, କଲେଜ, କୋଚିଂ ସେଣ୍ଟରକୁ ଅଗଷ୍ଟ ୩୧ ଯାଏଁ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଏଗୁଡ଼ିକୁ ବନ୍ଦ ରଖାଯାଇଥିଲା । ତେବେ ସ୍କୁଲ, କଲେଜରେ ଶିକ୍ଷାଦାନ ବନ୍ଦ ରହିଲେ ମଧ୍ୟ ଅଫିସ୍ ଖୋଲା ରହିବ । ପରୀକ୍ଷା ଓ ମୂଲ୍ୟାୟନ କାର୍ଯ୍ୟ ଅନୁମତି ନେଇ କରାଯାଇପାରିବ ।
ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଜୁଲାଇ ମାସ ପାଇଁ କରୋନା ଗାଇଡଲାଇନ୍ ଜାରି କରାଯାଇଛି । ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ କଟକଣା ଘୋଷଣା କରିଛନ୍ତି । ଏଥିରେ ଜୁନ୍ ମାସର କଟକଣା ବଳବତ୍ତର ରହିଛି । କେବଳ ରାତ୍ରିକାଳୀନ କର୍ଫ୍ୟୁରେ ଦୁଇ ଘଣ୍ଟା କୋହଳ କରାଯାଇଛି । ସାରା ରାଜ୍ୟରେ ସଂଧ୍ୟା ୭ଟା ପରିବର୍ତ୍ତେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ରହିବ । ପୂର୍ବଭଳି ଜରୁରୀସେବା ପ୍ରଦାନକାରୀ କର୍ମଚାରୀ, ଶିଳ୍ପସଂସ୍ଥାରେ କାର୍ଯ୍ୟରତ କର୍ମଚାରୀ, ଗଣମାଧ୍ୟମ କର୍ମଚାରୀ କଟକଣାମୁକ୍ତ ରହିବେ । ପେଟ୍ରୋଲ୍ ପମ୍ପ ଖୋଲା ରହିବ ।
୫୦ ରୁ ଅଧିକ ଆକ୍ଟିଭ୍ କରୋନା ଆକ୍ରାନ୍ତ ଥିବା ୧୦ ଟି ଜିଲ୍ଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ମୟୁରଭଂଜ, କେନ୍ଦୁଝର, ଝାରସୁଗୁଡ଼ା ଜିଲ୍ଲାରେ ସପ୍ତାହର ଶନି ଓ ରବିବାର ସଟ୍ ଡାଉନ୍ ଜାରି ରହିବ । ସ୍ଥାନୀୟ ପ୍ରଶାସନ ଚାହିଁଲେ ଆନ୍ତଃରାଜ୍ୟ ଗାଡ଼ି ଚଳାଚଳକୁ ଅନୁମତି ଦେଇପାରିବେ ।
ଜୁଲାଇ ମାସ ପାଇଁ ବଳବତ୍ତର କଟକଣା
– ରାତି ୯ଟାରୁ ସକାଳ ୫ଟା କର୍ଫ୍ୟୁ
– ଧର୍ମୀୟ ଅନୁଷ୍ଠାନ ସାଧାରଣ ଲୋକଙ୍କ ପାଇଁ ମନା
– ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଂଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ
– ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ
– ସିନେମା, ଥିଏଟର ବନ୍ଦ
ରେଷ୍ଟୁରାଣ୍ଟ ଖୋଲିବାକୁ ପୂର୍ବ ଅନୁମତି ଜାରି ରହିଛି । ତେବେ ସେଠାରେ ଲୋକ ଖାଇପାରିବେ ନାହିଁ । ଘରକୁ ପାର୍ସଲ୍ ରେ ଖାଦ୍ୟ ନେଇପାରିବେ । ବିିବାହ ଓ ଶୁଦ୍ଧିକ୍ରିୟା ପାଇଁ ମଧ୍ୟ ପୂର୍ବ କଟକଣା ବଳବତ୍ତର ରହିଛି । ସ୍ଥାନୀୟ ପ୍ରଶାସନର ଅନୁମତିକ୍ରମେ ବିବାହ ପାଇଁ ସର୍ବାଧିକ ୫୦ ଓ ଶୁଦ୍ଧିକ୍ରିୟା ପାଇଁ ସର୍ବାଧିକ ୨୦ ଜଣ ବ୍ୟକ୍ତି ଯୋଗ ଦେଇପାରିବେ । ସପିଂ ମଲ୍ ଖୋଲିବ ନା ନାହିଁ ତାହା ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ ।
ଦେଶର କରୋନା ହଟସ୍ପଟ୍ ରାଜ୍ୟଗୁଡ଼ିକରୁ ଯେଭଳି ସୀମିତ ସଂଖ୍ୟକ ବିମାନ ଓ ରେଳ ଓଡ଼ିଶାକୁ ଆସିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି । ସଂପୃକ୍ତ ରାଜ୍ୟ ସରକାରମାନଙ୍କୁ ଏଥିପାଇଁ ଅନୁରୋଧ କରାଯାଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।
କରୋନା ସଂକ୍ରମଣ ଦୃଷ୍ଟିରୁ ଜୁଲାଇ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ କରିବା ଆଦି କୋଭିଡ୍ କଟକଣା ପାଳନକୁ ଆହୁରି କଡ଼ାକଡ଼ି କରାଯିବ ଏବଂ ଧରପଗଡ଼କୁ ଜୋରଦାର କରାଯିବ । ନିୟମ ଉଲ୍ଲଂଘନକାରୀଙ୍କ ପ୍ରତି ଜିରୋ ଟଲେରାନ୍ସ ନୀତି ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।
୫୦% କର୍ମଚାରୀରେ ଚାଲିବ ଅଫିସ୍
ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ସରକାରୀ କାର୍ଯ୍ୟାଳୟ ଉପରେ କଟକଣା ଲଗାଯାଇଛି । ଜୁଲାଇ ମାସରେ ୫୦% କର୍ମଚାରୀ(ଗ୍ରୁପ୍-ଏ ଅଫିସରଙ୍କ ସମେତ)ଙ୍କୁ ନେଇ ସବୁ ଅଫିସ୍ ଚାଲିବ । କେଉଁ କର୍ମଚାରୀ ଆସିବେ, ତାହା ସଂପୃକ୍ତ ବିଭାଗ ସ୍ଥିର କରିବେ । ଯେଉଁମାନେ ଅଫିସ୍ ଆସିବେନି ଘରେ ରହି କାମ କରିବେ । ଆବଶ୍ୟକ ପଡ଼ିଲା ମାତ୍ରେ ସେମାନଙ୍କୁ ଅଫିସ୍ ରେ ହାଜର ହେବାକୁ ପଡ଼ିବ । ଘରେ ରହୁଥିବା କର୍ମଚାରୀମାନେ ବାହାରକୁ ନ ଯିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି ।