ଭୁବନେଶ୍ୱର: ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ବିରୋଧୀ ଦଳ ଅଭିଯୋଗ ଆଣି ତମ୍ବିତୋଫାନ ଆରମ୍ଭ କରିଥିବା ବେଳେ ଜିଲ୍ଲା ଏସପିଙ୍କ ବୟାନ ମାମଲାକୁ ଭିନ୍ନ ମୋଡ଼ ଦେଇଛି । ଯାଜପୁର ଏସପି ଚରଣ ସିଂ ମୀନା ତଦନ୍ତ ରିପୋର୍ଟ ଆଧାରରେ କହିଛନ୍ତି ଯେ ସ୍ମିତା ଆତ୍ମହତ୍ୟା କରିଛନ୍ତି । ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା ଏବଂ ସେହିଦିନ ଉଭୟଙ୍କ ମଧ୍ୟରେ ଝଗଡ଼ାକୁ କେନ୍ଦ୍ର କରି ସ୍ମିତା ଆତ୍ମହତ୍ୟା କରିଥିଲେ । ସୁତରାଂ ଗଣଦୁଷ୍କର୍ମ ଏବଂ ହତ୍ୟା ଅଭିଯୋଗକୁ ଏସପି ଅସ୍ୱୀକାର କରିଛନ୍ତି ।
ଅଭିଯୁକ୍ତ ରୂପେଶକୁ ପୁଲିସ ଗିରଫ କରିବା ସହ ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କର ଖୁଲାସାକୁ ଉଭୟ ବିଜେପି ଓ କଂଗ୍ରେସ ଗ୍ରହଣ କରିନାହାନ୍ତି । ଗତକାଲି ଉଭୟ ଦଳର ପ୍ରତିନିଧି ଦଳ ଘଟଣାସ୍ଥଳକୁ ଯାଇ ସ୍ମିତାରାଣୀଙ୍କ ମୃତ୍ୟୁର ରହସ୍ୟ ଖୋଜିଥିଲେ । ରାଜନୈତିକ ଚାପରେ ମାମଲାର ସତ୍ୟତାକୁ ଚାପି ଦେବାକୁ ପୁଲିସ ଉଦ୍ୟମ କରିଥିବା ସେମାନେ ଆଜି ଅଭିଯୋଗ ଆଣିଛନ୍ତି । ମାମଲାର ସିବିଆଇ ତଦନ୍ତ ଦାବିରେ ସେମାନେ ଆନ୍ଦୋଳନର ଧମକ ଦେଇଛନ୍ତି । ଆସନ୍ତା ୨୧ ତାରିଖରେ ଯାଜପୁର ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି । ସେପଟେ ମୃତ ସ୍ମିତାରାଣୀଙ୍କ ବାପା ସଦାନନ୍ଦ ବିଶ୍ୱାଳ ମଧ୍ୟ ପୁଲିସ ଥିଓରିକୁ ଗ୍ରହଣ କରିନାହାନ୍ତି । ତାଙ୍କ ଝିଅ ବହୁତ ହେଡଷ୍ଟ୍ରଙ୍ଗ୍ ଏବଂ କେବେ ଆତ୍ମହତ୍ୟା କରି ନ ପାରେ ବୋଲି କହି ସିବିଆଇ ତଦନ୍ତ ଦାବି କରିଛନ୍ତି ।
ଏଭଳି ଅତ୍ୟନ୍ତ ସ୍ପର୍ଶକାତର ଓ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି ନ କରିବାକୁ ବିଜେଡ଼ି ପରାମର୍ଶ ଦେଇଛି । ତଦନ୍ତରେ ପୁଲିସକୁ ସହଯୋଗ କରିବା ବଦଳରେ ବିରୋଧୀ ରାଜନୈତିକ ପକ୍ଷ ମାମଲା ସହ ଆଗୁଆ ଅନ୍ୟମାନଙ୍କୁ ଯୋଡିବା ଦ୍ୱାରା ତଦନ୍ତ ବାଟବଣା ହେବା ସହ ମୃତକଙ୍କ ପରିବାର ନ୍ୟାୟ ପାଇବାରେ ବିଳମ୍ବ ହେବାର ଆଶଙ୍କା ରହିଛି । ମାମଲାର ସିବିଆଇ ତଦନ୍ତ ଦାବିକୁ ଦଳ ପକ୍ଷରୁ ଅଗ୍ରାହ୍ୟ କରାଯିବା ସହ ଓଡ଼ିଶା ପୁଲିସର ପାରିବାରପଣିଆ ଉପରେ ଆସ୍ଥା ଜୁଟାଇଛନ୍ତି । ମାମଲାକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି ଏବଂ ଦୋଷୀ ଯିଏ ହୋଇଥାଆନ୍ତୁ ନା କାହିଁକି ଦଣ୍ଡ ମିଳିବ ବୋଲି କୁହାଯାଇଛି ।
ଉକ୍ତ ସ୍ପର୍ଶକାତର ପ୍ରସଙ୍ଗରେ ପୁଲିସର ଅନୁସନ୍ଧାନ ଠିକ୍ ନା ବିରୋଧୀ ଦଳଙ୍କ ତଥ୍ୟ ଅନୁସନ୍ଧାନ ଓ ରାଜନୈତିକ ବୟାନବାଜି ଠିକ ତାହା ଦ୍ୱନ୍ଦ ସୃଷ୍ଟି କଲାଣି । ଏହି ଜଘନ୍ୟ ମାମଲାରେ ରାଜନୈତିକ ପୃଷ୍ଠଭୂମି ରହିଛି ନା ରାଜନୈତିକ ରଙ୍ଗ ବୋଳାଯାଉଛି ତାହା ବି ହଜାରେ ପ୍ରଶ୍ନ ଛିଡ଼ା କରିଛି । ସ୍ମିତାରାଣୀ ଆତ୍ମହତ୍ୟା କରିଥିବା ଅଭିଯୁକ୍ତ ରୂପେଶ ଭଦ୍ରର ଗେଷ୍ଟ ହାଉସ୍ ରେ ଲାଗିଥିବା ସିସିଟିଭି ଗାଏବ ହୋଇଯିବା ବି ସନ୍ଦେହର କୁହେଳିକା ସୃଷ୍ଟି କରିଛି ।
ମିଳୁଥିବା ସୂଚନା ଅନୁଯାୟୀ, ଚା ଦୋକାନରୁ କୋଟିପତି ହୋଇଥିବା ନାଣ୍ଡୁ ଓରଫ ରୂପେଶ ଭଦ୍ର ବେଶ ଚାଲାକ ଓ ଧ୍ରୁତ । କାହାକୁ ଧରି କେଉଁଠୁ କାମ କେମିତି ଆଦାୟ କରାଯାଇପାରେ ସେଥିରେ ପାରଙ୍ଗମ । ବିନା ରାଜନୈତିକ ଆଶିର୍ବାଦରେ ଏହା ଯେ ସମ୍ଭବ ତାହା ବିଶ୍ୱାସଯୋଗ୍ୟ ନୁହେଁ । ଉଭୟ ଶାସକ ଓ ବିରୋଧୀ ଦଳର ନେତାଙ୍କ ସହ ତାର ଉତ୍ତମ ସମ୍ପର୍କ ଥିବା କୁହାଯାଉଛି ।
ଏସବୁ ବାଦ୍ କୋଟିପତି ରୂପେଶ ଜଣେ ଖରାପ ଚରିତ୍ରର ବ୍ୟକ୍ତି ବୋଲି ସମସ୍ତେ ଜାଣନ୍ତି । ଏକାଧିକ ମହିଳାଙ୍କ ସହ ତାର ଖରାପ ସମ୍ପର୍କ ଥିବା କୁହାଯାଉଛି । ଧନ ଓ ନାରୀ ପାଇଁ ସେ ପାଗଳ । ତେବେ ସ୍ମିତାରାଣୀଙ୍କ ସହ ତାର ସମ୍ପର୍କକୁ ନେଇ ଏସପିଙ୍କ ବୟାନରେ କେତେ ସତ୍ୟତା ରହିଛି ତାହା ଭବିଷ୍ୟତ କହିବ ।