ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ସ୍କିମ୍ ସମ୍ପର୍କରେ ଲୋକଙ୍କୁ ଭଲଭାବେ ଅବଗତ କରାଇ ସେଗୁଡ଼ିକର ସଫଳ ରୂପାୟନ ଓ ଅଧିକ ସ୍ୱଚ୍ଛତା ଆଣିବା ପାଇଁ ସରକାର ଆଉ ପାଦେ ଆଗକୁ ବଢ଼ିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ନୂଆ ଯୋଜନା ‘ପିଠା’ ଘୋଷଣା କରିଛନ୍ତି । ଏହି ଯୋଜନାରେ ରାଜ୍ୟର ପ୍ରତି ପଞ୍ଚାୟତରେ ପ୍ରତି ମାସର ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଶିବିର ଆୟୋଜିତ ହେବ । ଚଳିତ ମାସଠାରୁ ଏହା ଆରମ୍ଭ ହେବ । ଉକ୍ତ ଶିବିରରେ ଆମ ଏଲଇଡି, ମିଶନ୍ ଶକ୍ତି ସହାୟତା, ମଧୁବାବୁ ପେନସନ୍ ଯୋଜନା ଓ କଳାକାର ପେନସନ୍ ଭଳି ସାମାଜିକ ସୁରକ୍ଷା ସହାୟତା, ନିର୍ମାଣ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ସହାୟତା ଆଦି ବଣ୍ଟନ କରାଯିବ । ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ଓ ଆବଶ୍ୟକତାକୁ ମଧ୍ୟ ବିଚାର କରାଯିବ । ସେହି ଶିବିରରେ ବିଭିନ୍ନ ଜନହିତକର ସରକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ ।
ବ୍ଲକ୍ ସ୍ତରୀୟ ପର୍ଯ୍ୟବେକ୍ଷକମାନେ ଏହି ଶିବିରର ତଦାରଖ କରିବେ । ସ୍ୱେଚ୍ଛାସେବୀ ସାମାଜିକ କର୍ମୀମାନେ ତାଙ୍କୁ ସହଯୋଗ କରିବେ । ପ୍ରତିମାସରେ ପ୍ରତି ବ୍ଲକ୍ ରେ ‘ପିଠା’ କାର୍ଯ୍ୟକ୍ରମକୁ ସଫଳ କରାଇଥିବା ସର୍ବଶ୍ରେଷ୍ଠ ପଞ୍ଚାୟତକୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ । ସେହିଭଳି ଜିଲ୍ଲାସ୍ତରରେ ସର୍ବଶ୍ରେଷ୍ଠ ପଞ୍ଚାୟତ ଓ ରାଜ୍ୟସ୍ତରରେ ସର୍ବଶ୍ରେଷ୍ଠ ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲାଗୁଡ଼ିକୁ ସମ୍ବର୍ଦ୍ଧିତ କରାଯାଇ ସ୍ୱତନ୍ତ୍ର ପାଣ୍ଠି ପ୍ରଦାନ କରାଯିବ ।
ରାଜ୍ୟ ସରକାରଙ୍କ ଥ୍ରୀ-ଟି( ଟେକ୍ନୋଲୋଜି, ଟ୍ରନସପରେନ୍ସି,ଟିମ୍ ୱାର୍କ) ମଡ଼େଲର ଏହା ଅଂଶବିଶେଷ । ‘ ପିଠା’ କାର୍ଯ୍ୟକ୍ରମ ଜରିଆରେ ସରକାରୀ ଯୋଜନାର ବଣ୍ଟନ ଓ କାର୍ଯ୍ୟକାରିତାରେ ଲୋକଙ୍କୁ ସଚେତନ କରାଇବା ସହ ଅଧିକ ସ୍ୱଚ୍ଛତା ଅଣାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ‘ଆମ ଗାଁ ଆମ ବିକାଶ’ ଯୋଜନା ଅଧୀନରେ କାର୍ଯ୍ୟ କରିବ ‘ପିଠା’ ।