ଭୋପାଳ: ମଧ୍ୟପ୍ରଦେଶ ବିଧାନସଭାରେ ଶକ୍ତି ପରୀକ୍ଷା ପୂର୍ବରୁ ହାତ ଟେକି ଦେଇଛନ୍ତି କମଲନାଥ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଆସ୍ଥା ଭୋଟରେ ପରାଜୟ ସୁନିଶ୍ଚିତ ଜାଣି ସେ ଆଗୁଆ ଇସ୍ତଫା ଦେଇଛନ୍ତି । କହିଛନ୍ତି, କଂଗ୍ରେସ ସରକାର ଗୃହରେ ସଂଖ୍ୟାଗରିଷ୍ଠତା ହରାଇଛି । ଜନସାଧାରଣଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ କ୍ଷମତା ଲୋଭୀ ‘ମହାରାଜା’ ଙ୍କୁ ବିଜେପି କ୍ଷମତାର ଥୋପ ଦେଇ ରାଜ୍ୟର ନିର୍ବାଚିତ ସରକାରକୁ ଭାଙ୍ଗିବାରେ ସଫଳ ହୋଇଛି । କ୍ଷମତା ଅକ୍ତିଆର ପାଇଁ ବିଜେପି କିଭଳି କୋଟି କୋଟି ଟଙ୍କା ଉଡ଼ାଇଲା ତାହା ଜନସାଧାରଣ ଦେଖିଲେ ବୋଲି କହିଛନ୍ତି କମଲନାଥ ।
ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେବା ପରେ ମଧ୍ୟପ୍ରଦେଶ ରାଜନୀତି ଓଲଟ ପାଲଟ ହେଲା । ସିନ୍ଧିଆଙ୍କ ସମର୍ଥକ ୨୨ ବିଧାୟକଙ୍କ ବିଦ୍ରୋହ ଏବଂ ଇସ୍ତଫା ପରେ କମଲନାଥ ସରକାର ପାଇଁ ବଡ଼ ସଙ୍କଟ ସୃଷ୍ଟି ହୋଇଥିଲା । ସରକାର ବଞ୍ଚାଇବାକୁ ୧୦୪ ବିଧାୟକଙ୍କ ସମର୍ଥନ ଦରକାର ଥିବା ବେଳେ ମେଣ୍ଟ ସହଯୋଗୀ ୭ ଜଣ ବିଧାୟକଙ୍କୁ ମିଶାଇ କଂଗ୍ରେସ ହାତରେ ରହିଲେ ୯୯ ବିଧାୟକ । ଅର୍ଥାତ୍ ସଂଖ୍ୟା ଗରିଷ୍ଠତାଠାରୁ ୫ ସଂଖ୍ୟା କମ୍ ଥିଲା । ସେପଟେ ୧୦୭ ବିଧାୟକ ସଂଖ୍ୟା ସହ ଶିବରାଜ ସିଂ ଚୌହାନ କ୍ଷମତାକୁ ଫେରିବାର ବାଟ ପରିଷ୍କାର ହୋଇଯାଇଥିଲା । ଅବଶ୍ୟ ଆଜି ନାଟକୀୟ ଘଟଣାକ୍ରମରେ ଜଣେ ବିଜେପି ବିଧାୟକ ଇସ୍ତଫା ଦେଇଥିଲେ । ତେବେ ସରକାର ଗଠନ ପାଇଁ ୧୦୬ ବିଧାୟକଙ୍କ ସମର୍ଥନ ଦରକାର ଥିବାରୁ ବିଜେପି ଉପରେ ତାହାର ପ୍ରଭାବ ପଡ଼ିନାହିଁ ।
ଜ୍ୟୋତିରାଦିତ୍ୟଙ୍କ କ୍ୟାମ୍ପ୍ ର ୨୨ କଂଗ୍ରେସ ବିଧାୟକଙ୍କ ବିଦ୍ରୋହ ଓ ଇସ୍ତଫା ପରେ ସରକାର ସଙ୍କଟରେ ପଡ଼ିଥିବା ବେଳେ ବିଜେପି ସେମାନଙ୍କୁ ବେଙ୍ଗାଲୁରୁ ନେଇଯାଇ ଏକ ହୋଟେଲ୍ ରେ ରଖିଥିଲା । ସରକାର ବଞ୍ଚାଇବାକୁ କମଲନାଥ ଗୋଟିଚାଳନା କରି ସମୟ ଗଡ଼ାଇବାକୁ ଚାହୁଁଥିଲା ବେଳେ ଆଜି(ଶୁକ୍ରବାର) ୫ଟା ସୁଦ୍ଧା ବିଧାନସଭାରେ ସରକାରଙ୍କୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ତେବେ ଗୃହରେ ଆଜି ସଂଖ୍ୟା ଗରିଷ୍ଠତା ବା ଫ୍ଲୋର୍ ଟେଷ୍ଟ୍ ର ପ୍ରମାଣ ଦେବା ପୂର୍ବରୁ କମଲନାଥ ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ଇସ୍ତଫା ଘୋଷଣା କରିଛନ୍ତି ।