ଭୁବନେଶ୍ୱର: ଭୁବନେଶ୍ୱରରର ଜଣେ କରୋନା ସଂକ୍ରମିତଙ୍କୁ ଛାଡ଼ିଦେଲେ ରାଜ୍ୟର ଆଉ କାହାରିକୁ କରୋନା ସଂକ୍ରମଣ ହୋଇନାହିଁ । ଅଦ୍ୟାବଧି ପରୀକ୍ଷା ପାଇଁ ଆସିଥିବା ୪୭ଟି ନମୁନା ମଧ୍ୟରୁ ୪୬ଟି କରୋନା ନେଗେଟିଭ୍ ରିପୋର୍ଟ ଆସିଛି । ଗତକାଲି ୧୨ଟି ନମୁନା ପରୀକ୍ଷା କରାଯାଇଥିଲା ବେଳେ ଆଜି ୬ଟି ନମୁନା ପରୀକ୍ଷା କରାଯାଇଥିଲା । କରୋନା ପଜିଟିଭ୍ ଚିହ୍ନଟ ହୋଇ ଚିକିତ୍ସାରେ ଥିବା ଯୁବକ ଜଣଙ୍କ ଭଲ ହୋଇ ଆସୁଛନ୍ତି । ଆଜି ଠିକ୍ ରେ ବ୍ରେକଫାଷ୍ଟ ଏବଂ ଲଞ୍ଚ ଖାଇଛନ୍ତି । ଲଞ୍ଚ୍ ରେ ଭାତ, ଡାଲମା, ମିକ୍ସଭେଜ୍, ଏବଂ ଦୁଇ ଖଣ୍ଡ ରୁଟି ଖାଇଛନ୍ତି ।
କୋଭିଡ୍-୧୯ ସଂକ୍ରମିତ ଏହି କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୧୮ ଜଣ ବ୍ୟକ୍ତିଙ୍କୁ ବିଭିନ୍ନ ଡାକ୍ତରଖାନାରେ ଆଇସୋଲେସନ୍ ରେ ରଖାଯାଇଥିବା ବେଳେ ଅନ୍ୟମାନଙ୍କ ସହ ଯୋଗାଯୋଗ କରାଯାଇ ଆଇସୋଲେସନ୍ ରେ ରହିବାକୁ ପରାମର୍ଶ ଦିଆଯାଇଛି । ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।
ସେ କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ୧୦୪ ହେଲ୍ପ ଲାଇନ୍ କୁ ୧୩,୬୨୭ କଲ୍ ଆସିଛି । ଆଜି ଦିନ ଦୁଇଟା ସୁଦ୍ଧା ବିଦେଶରୁ ଫେରିଥିବା ୨୧୨୧ ଜଣଙ୍କ ନାମ ପଞ୍ଜିକରଣ କରାଯାଇଛି । ଗତକାଲି ଏହି ସଂଖ୍ୟା ଥିଲା ୧୨୩୯ । ୮୦ଟି ଦେଶରୁ ଏମାନେ ଫେରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଫେରିଛନ୍ତି ।
କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଶ୍ରୀ ବାଗଚୀ କହିଛନ୍ତି, ସମସ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ମେଡ଼ିକାଲ୍ କଲେଜ ହସ୍ପିଟାଲ୍ ଗୁଡ଼ିକରେ ଆଇସୋଲେସନ୍ ସୁବିଧା ଉପଲବ୍ଧ ଅଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡ଼ିକରେ ୫୪୦ଟି ଆଇସୋଲେସନ୍ ବେଡ୍ ପ୍ରସ୍ତୁତ ଅଛି । ରାଜ୍ୟର ବ୍ଲକ୍ ସ୍ତର ପର୍ଯ୍ୟନ୍ତ କ୍ୱାରାଣ୍ଟାଇନ୍ ସୁବିଧା କେନ୍ଦ୍ର ଚିହ୍ନଟ କରାଯାଇଛି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଦ୍ୟାବଧି ୬୩୨୩ଟି କୋଠାଗୁଡ଼ିକୁ ସାମୟିକ ଚିକିତ୍ସା ଶିବିର ପାଇଁ ଚିହ୍ନଟ କରାଯାଇଛି । ସେହିପରି ସହରାଞ୍ଚଳରେ ୨୬୧ଟି କୋଠାଘରକୁ ମଧ୍ୟ ଏହି ଉଦେ୍ଦଶ୍ୟରେ ଚିହ୍ନଟ କରାଯାଇଛି । ରାଜ୍ୟରେ ୯୭ଟି ସହରାଞ୍ଚଳ ଓ ୬୭୯୭ଟି ଗ୍ରାମ ପଞ୍ଚାୟତରେ ଏସବୁ ରହିଛି ।
ସମସ୍ତ ଧର୍ମାନୁଷ୍ଠାନ ଓ ଅଧିକ ଜନଗହଳି ହେଉଥିବା ସ୍ଥାନମାନଙ୍କରେ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ଆଡଭାଇଜାରୀ ଜାରି କରାଯାଇଛି । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି । ଆଧାର କେନ୍ଦ୍ରଗୁଡ଼ିକୁ ବନ୍ଦ କରାଯାଇଛି ।
ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ଅସୁସ୍ଥ ବ୍ୟକ୍ତି ଏବଂ ଯାହାର ସଂକ୍ରମଣର ସନେ୍ଦହ ରହିଛି ସେମାନେ କେବଳ ମାସ୍କ ବ୍ୟବହାର କରନ୍ତୁ । ଅନ୍ୟମାନେ ମାସ୍କ ବ୍ୟବହାର କରିବାର ଆବଶ୍ୟକତା ନାହିଁ ବୋଲି ଶ୍ରୀ ବାଗଚୀ ପରାମର୍ଶ ଦେଇଛନ୍ତି । ଔଷଧ ସମେତ ଅତ୍ୟାବଶ୍ୟକ ସାମଗ୍ରୀ ହୋଡିଂ କରି ନ ରଖିବା ପାଇଁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।
ବିଶ୍ୱରେ କରୋନା ସ୍ଥିତି ସମ୍ପର୍କରେ ସୂଚନା ଦେଇ ବାଗଚୀ କହିଛନ୍ତି, କାଲି ୧୬୨ ଦେଶରେ କରୋନା ବ୍ୟାପିଥିବା ବେଳେ ଆଜି ୧୬୭ ଦେଶକୁ ବ୍ୟାପିଛି । ଗତକାଲି ୧,୮୩,୧୧୬ ଜଣଙ୍କୁ କରୋନା ସଂକ୍ରମିତ କରିଥିଲା । ଆଜି ସେହି ସଂଖ୍ୟା ୧,୯୯,୧୯୩ ରେ ପହଞ୍ଚିଛି । ଭାରତରେ ୧୪୮ କରୋନା ଆକ୍ରାନ୍ତ ଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି ।
ସାମ୍ବାଦିକ ସମ୍ମିଳନୀରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଶାସନ ସଚିବ ସଞ୍ଜୟ କୁମାର ସିଂ ଏବଂ ଆଇଟି ସଚିବ ମନୋଜ ମିଶ୍ର ଉପସ୍ଥିତ ଥିଲେ ।