ଭୁବନେଶ୍ୱର: ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା, ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ୍ ଘୋଷଣା କରିଛନ୍ତି । ‘ମୋ ସରକାର’ କାର୍ଯ୍ୟକ୍ରମରେ ଏହିସବୁ ଜିଲ୍ଲାକୁ ବରିଷ୍ଠ ଅଧିକାରୀମାନଙ୍କ ଗସ୍ତ ରିପୋର୍ଟକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି ।
ନିଷ୍ପତ୍ତି ଅନୁଯାୟୀ ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା ଓ ସୋନପୁର ଜିଲ୍ଲାର ସଦର ମହକୁମା ଡାକ୍ତରଖାନା ଓ ବଲାଙ୍ଗୀର ସନ୍ଥ ଭୀମଭୋଇ ମେଡ଼ିକାଲ କଲେଜର ୬ଟି ରୋଗୀ କଲ୍ୟାଣ ସମିତି ପ୍ରତ୍ୟେକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ସହାୟତା ଦିଆଯିବ । ଏସପିମାନଙ୍କୁ ରକ୍ତଦାନ କାର୍ଯ୍ୟର ପ୍ରୋତ୍ସାହନ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯିବ । ସଂପୃକ୍ତ ଜିଲ୍ଲା ହସ୍ପିଟାଲ୍ ମାନଙ୍କରେ ରୋଗୀମାନଙ୍କ ଆଟେଣ୍ଡାଣ୍ଟମାନଙ୍କ ପାଇଁ ରେଷ୍ଟ ସିଡ୍ ନିର୍ମାଣ କରାଯିବ ।
ସମ୍ବଲପୁର ଜିଲ୍ଲା ହସ୍ପିଟାଲ୍ ରେ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ୫୦ଟି ଅତିରିକ୍ତ ଶଯ୍ୟା ସହିତ କାଜୁଆଲିଟି ଓ ବର୍ହି ବିଭାଗ ଚିକିତ୍ସା ବିଲଡିଂ ନିର୍ମାଣ କରାଯିବ । ଜିଲ୍ଲା ସଦର ମହକୁମା ହସ୍ପିଟାଲ୍ ରେ ‘ମା ଗୃହ’ ପାଇଁ ନୂଆ ବିଲଡିଂ ଏବଂ ରୋଗ ପରୀକ୍ଷା ପାଇଁ ସମନ୍ୱିତ ଲାବରେଟୋରିର ଉନ୍ନତିକରଣ, ଡାଏଲିସିସ୍ ୟୁନିଟ୍ ଏବଂ ଆସିୟୁ ପ୍ରତିଷ୍ଠା କରାଯିବ । ସମ୍ବଲପୁର ଜିଲ୍ଲା ହସ୍ପିଟାଲ୍ କୁ ସ୍ୱତନ୍ତ୍ର ଚିକିତ୍ସା ପାଇଁ ବୁର୍ଲାସ୍ଥିତ ଭିମସାରର ଏକ ସାଟେଲାଇଟ୍ ସେଣ୍ଟର ଭାବେ ବିକଶିତ କରାଯିବ । ଡିପିଏମୟୁ ବିଲଡିଂ ପାଇଁ ଅତିରିକ୍ତ ଭିତ୍ତିଭୂମି ନିର୍ମାଣ କରାଯିବ ।
ଦେବଗଡ଼ ଜିଲ୍ଲା ସଦର ମହକୁମା ହସ୍ପିଟାଲ୍ ର ଶଯ୍ୟା ସଂଖ୍ୟା ୬୦ରୁ ୨୦୦କୁ ବୃଦ୍ଧି କରାଯିବ ।
ଅନୁଗୁଳ ଜିଲ୍ଲା ସଦର ମହକୁମାର ହସ୍ପିଟାଲ୍ ର ଶଯ୍ୟା ସଂଖ୍ୟା ୧୯୨ ରୁ ୩୦୦ କୁ ବୃଦ୍ଧି କରାଯିବା ସହ କ୍ୟାମ୍ପସ୍ ମଧ୍ୟରେ ଏକ ନୂଆ ବିଲଡିଂ ନିର୍ମାଣ କରାଯିବ । ଆଇସିୟୁ ୟୁନିଟ୍ ର ସୁଦୃଢ଼ୀକରଣ ସହିତ ଅତ୍ୟାଧୁନିକ ମେସିନ୍ ଯୋଗାଇ ଦିଆଯିବ ।
କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମା ହସ୍ପିଟାଲ୍ ର ଶଯ୍ୟା ସଂଖ୍ୟା ୧୭୫ ରୁ ୨୦୦ କୁ ବୃଦ୍ଧି କରାଯିବା ସହିତ ନୂଆ କ୍ୟାମ୍ପସ୍ ରେ ଷ୍ଟାଫ୍ କ୍ୱାର୍ଟର୍ସ, ଆଧୁନିକ ଓପିଡ଼ି ଓ ଆଇସିୟୁ ସ୍ଥାପନ କରାଯିବ । ଡାଏଲିସିସ୍ ୟୁନିଟ୍ ର ସଂପ୍ରସାରଣ ସହିତ ଦୁଇଟି ଅତିରିକ୍ତ ଆମ୍ବୁଲାନ୍ସ ଓ ଗୋଟିଏ ଅତିରିକ୍ତ ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯିବ ।
ସୋନପୁର ଜିଲ୍ଲା ସଦର ମହକୁମା ହସ୍ପିଟାଲ୍ ର ୨୦୦ ଶଯ୍ୟା ବିଶିଷ୍ଟ ନୂଆ ୭ ମହଲା ବିଲଡିଂର ନିର୍ମାଣ କାର୍ଯ୍ୟ ଏକ ମାସ ମଧ୍ୟରେ ଆରମ୍ଭ କରାଯିବ । ହସ୍ପିଟାଲ୍ ରେ ସେବାର ମାନବୃଦ୍ଧି ପାଇଁ ଅତିରିକ୍ତ ଭାବେ ଅଲଟ୍ରାସାଉଣ୍ଡ ମେସିନ୍ ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ମେସିନ୍ ଦିଆଯିବ ।
ବଲାଙ୍ଗୀର ସନ୍ଥ ଭୀମଭୋଇ ମେଡ଼ିକାଲ କଲେଜର ଶିକ୍ଷାଦାନ ଓ ହସ୍ପିଟାଲ୍ ବିଲଡିଂ ନିର୍ମାଣ ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ । ଏମସିଏଚରେ ମର୍ଚୁଆରୀ ୟୁନିଟ୍ ପ୍ରତିଷ୍ଠା କରାଯିବ ।