ଭୁବନେଶ୍ୱର: ବିଧାନସଭା ଅଧିବେସନ ପୂର୍ବରୁ ଆସିଛି କରୋନା ଟେଷ୍ଟ ରିପୋର୍ଟ । ଗତକାଲି ପରୀକ୍ଷା ହୋଇଥିବା ୭୫୭ ଜଣଙ୍କ ମଧ୍ୟରୁ ୧୩୬ ଜଣଙ୍କର ପଜିଟିଭ୍ ବାହାରିଛି । ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ଶ୍ରୀ ମିଶ୍ର ପୂର୍ବରୁ ଥରେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ ।
ଆସନ୍ତା ୨୯ ତାରିଖରୁ ବିଧାନସଭା ବସିବାକୁ ଯାଉଥିଲା ବେଳେ ବିଧାନସଭା ପରିସରରେ କରୋନା ପରୀକ୍ଷା(ଆରଟିପିସିଆର୍) କରାଯାଇଛି । ସବୁ ବିଧାୟକ, ବିଧାୟକଙ୍କ ଡ୍ରାଇଭର ଓ ପିଏସଓ, ବିଧାନସଭା କର୍ମଚାରୀ, ସୁରକ୍ଷାକର୍ମୀ ଏବଂ ବିଧାନସଭାରେ ରିପୋର୍ଟିଂ କରିବାକୁ ଥିବା ସାମ୍ବାଦିକମାନଙ୍କର ଗତକାଲି ଓ ଆଜି ନମୁନା ସଂଗ୍ରହ କରାଯାଇଥିଲା । ଗତକାଲି ଟେଷ୍ଟ ହୋଇଥିବା ୭୫୭ ଜଣଙ୍କର ରିପୋର୍ଟ ଆଜି ଆସିଥିବା ବେଳେ ଅନ୍ୟମାନଙ୍କର ଆସନ୍ତାକାଲି ଆସିବ । ଅଧିବେସନର ପଞ୍ଚମ ଦିନରେ ପୁଣି ଥରେ ସମସ୍ତଙ୍କର କୋଭିଡ୍ ଟେଷ୍ଟ କରିବାର ବ୍ୟବସ୍ଥା କରାଯାଇଛି ।
କରୋନା ମହାମାରୀ ସମୟରେ ବସୁଥିବା ବିଧାନସଭାର ମୌସୁମୀ ଅଧିବେସନ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ବିଧାୟକଙ୍କ ମଧ୍ୟରେ ସାମାଜିକ ଦୂରତା ଏବଂ ସଂକ୍ରମଣ ପ୍ରତିହତ ପାଇଁ ଗୃହ ମଧ୍ୟରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ସବୁ ଗଣମାଧ୍ୟମର ପ୍ରତିନିଧିଙ୍କୁ ବିଧାନସଭା ଭିତରକୁ ଅନୁମତି ଦିଆଯାଇନାହିଁ । ୨୮ ତାରିଖ ଅପରାହ୍ନରେ ବିଏମସି ଓ ଅଗ୍ନିଶମ ବିଭାଗ ପକ୍ଷରୁ ବିଧାନସଭା ପରିସରକୁ ବିଶୋଧନ କରାଯିବ ।