ଭୁବନେଶ୍ୱର: କଟକ ସହର ପାଇଁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଆଜି ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହାର ଲୋକାର୍ପଣ କରିଛନ୍ତି । ଏହାଦ୍ୱାରା କଟକ ସହରର ସବୁ ପରିବାର ଅର୍ଥାତ୍ ୧ ଲକ୍ଷ ୪୦ ହଜାର ପରିବାରର ୭ ଲକ୍ଷ ଲୋକ ୨୪ ଘଣ୍ଟିଆ ପାଇପ ପାଣିର ସୁବିଧା ପାଇଛନ୍ତି । ଏଥିପାଇଁ ୭୯୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । କଟକକୁ ମିଶାଇ ଏ ପର୍ଯ୍ୟନ୍ତ ରାଜ୍ୟର ୬୦ ଟି ସହରର ସବୁ ପରିବାରକୁ ୧୪ ଘଣ୍ଟିଆ ପାଇପ ପାଣିର ସୁବିଧା ଦିଆଯାଇଛି । ଖୁବଶୀଘ୍ର ରାଜ୍ୟର ସମସ୍ତ ୧୧୪ ଟି ସହରର ସବୁ ପରିବାରକୁ ୨୪ ଘଣ୍ଟିଆ ପାଇପ ପାଣିର ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କଟକର ଦୁଇଟି ଜୋନ୍ରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକ୍ରମର ଉଦ୍ଘାଟନ କରିବା ସହିତ ସାରା ସହର ପାଇଁ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକ୍ରମ ପାଇଁ ଭିତ୍ତିସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ୩୬୦ କୋଟି ଟଙ୍କା ବିନିଯୋଗ କରାଯିବ। ଡିସେମ୍ବର ୨୦୨୩ ସୁଦ୍ଧା ପୁରା ସହରକୁ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକ୍ରମ ଜରିଆରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟ ସରକାରଙ୍କ ୫-ଟି ଆଭିମୁଖ୍ୟରେ ଆରମ୍ଭ ହୋଇଥିବା ଆମର ଏହି କାର୍ଯ୍ୟକ୍ରମ କେବଳ ସାରା ଦେଶ ନୁହେଁ, ସାରା ପୃଥିବୀର ବିକାଶଶୀଳ ରାଷ୍ଟ୍ରମାନଙ୍କ ପାଇଁ ଏକ ରୋଲ ମଡେଲ ହୋଇପାରିଛି । ଏହି କାର୍ଯ୍ୟକ୍ରମ ପାନୀୟ ଜଳ ଯୋଗାଣ ପାଇଁ ହୋଇଥିବା ଜାତୀୟ ନୀତିରେ ମଧ୍ୟ ଅନୁସୃତ ହୋଇଛି ଏବଂ ଅମୃତ ୨.୦ରେ ସାମିଲ ମଧ୍ୟ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏଥିସହ ମୁଖ୍ୟମନ୍ତ୍ରୀ ୪୩୦ କୋଟି ଟଙ୍କାରେ ନିର୍ମିତ ୩ ଟି ୱାଟର୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ର ମଧ୍ୟ ଉଦଘାଟନ କରିଥିଲେ ।
କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ସଂପର୍କରେ ସତର୍କ କରି ସେମାନଙ୍କୁ କୋଭିଡ ନିୟମ ମାନିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଭାଷଣ ଦେଇଥିଲେ । ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ କଟକ ମ୍ୟୁନିସପାଲ କମିଶନର ଅନନ୍ୟା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମରେ ସାଂସଦ ସୁବାସ ସିଂହ, ବିଧାୟକ ଚନ୍ଦ୍ରସାରଥୀ ବେହେରା, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।