ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ସଂକ୍ରମଣ ୨୭୦୩ କୁ ବୃଦ୍ଧି ପାଇଛି । ଗତକାଲି ତାହା ୧୮୯୭ ଥିଲା । ଅର୍ଥାତ୍ ଦିନକରେ ୪୨% ବୃଦ୍ଧି ପାଇଛି ସଂକ୍ରମଣ । ଦୈନିକ ସଂକ୍ରମଣରେ ଏଭଳି ବିସ୍ଫୋରଣ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ରାଜ୍ୟ ସରକାରଙ୍କ ପୂର୍ବ ଘୋଷିତ କଟକଣା ଆଜିଠାରୁ ଲାଗୁ ହୋଇଥିବା ବେଳେ ଏସଆରସିଙ୍କ ପକ୍ଷରୁ ଏକ ଅତିରିକ୍ତ ନିର୍ଦ୍ଦେଶାବଳୀ ଆସିଛି । ଆସନ୍ତା ୧୦ ତାରିଖରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟକୁ ବନ୍ଦ ଘୋଷଣା କରାଯାଇଛି ।
ନିର୍ଦ୍ଦେଶାବଳୀ ଅନୁଯାୟୀ ଜାନୁଆରୀ ୧୦ ତାରିଖରୁ ରାଜ୍ୟର ସବୁ କଲେଜ, ବିଶ୍ୱବିଦ୍ୟାଳୟ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସଂପୃକ୍ତ ହଷ୍ଟେଲଗୁଡ଼ିକ ମଧ୍ୟ ବନ୍ଦ ରହିବ । ନିହାତି ହଷ୍ଟେଲ୍ ଆବଶ୍ୟକ କରୁଥିବା ଛାତ୍ରଛାତ୍ରୀମାନେ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ରହିପାରିବେ । କଲେଜ, ବିଶ୍ୱବିଦ୍ୟାଳୟ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଅନଲାଇନ୍ କ୍ଲାସ୍ କିନ୍ତୁ ଜାରି ରଖିବେ । ମେଡ଼ିକାଲ ଏବଂ ନର୍ସିଂ କଲେଜଗୁଡ଼ିକୁ ଏହି କଟକଣାରୁ ବାଦ ଦିଆଯାଇଛି ।
ତେବେ ଅଫଲାଇନ୍ ରେ ଚାଲୁଥିବା ପରୀକ୍ଷାଗୁଡ଼ିକ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କଡ଼ା କୋଭିଡ୍ କଟକଣା ଭିତରେ ଚାଲୁ ରହିବ ।
କଲେଜ, ବିଶ୍ୱବିଦ୍ୟାଳୟ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଶିକ୍ଷକ ଏବଂ କର୍ମଚାରୀମାନେ ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡଲାଇନ୍ ଭିତରେ ରହି କାମ କରିବେ । ଅନଲାଇନ୍ କ୍ଲାସ୍ ଠାରୁ ଆରମ୍ଭ କରି ଏକାଡେମିକ ଏବଂ ପ୍ରଶାସନିକ କାର୍ଯ୍ୟ ସେମାନେ ଯଥାରୀତି କରିବାକୁ କୁହାଯାଇଛି ।
ସେହିଭଳି କୋଚିଂ ଅନୁଷ୍ଠାନଗୁଡ଼ିକ ଉପରେ ମଧ୍ୟ କଟକଣା ଲଗାଯାଇଛି । ସେମାନେ ଅଫଲାଇନ୍ କ୍ଲାସ୍ କରିପାରିବେ ନାହିଁ । କେବଳ ଅନଲାଇନ୍ ରେ ପିଲାଙ୍କୁ ପାଠ ପଢ଼ାଇପାରିବେ ।