ଭୁବନେଶ୍ୱର: କରୋନାର ତୃତୀୟ ଲହର ଆରମ୍ଭରୁ ସ୍ଥିତି ଅସମ୍ଭାଳ ହେବାକୁ ବସିଲାଣି । ସଂକ୍ରମଣର ବେଗ ଉଦବେଗଜନକ ଭାବେ ବଢ଼ି ଚାଲିଛି । ଦେଶରେ ଗତକାଲି ଦୈନିକ ସଂକ୍ରମଣ ଥିଲା ୫୮, ୦୯୭ । ଆଜି ତାହା ୯୦, ୯୨୮ ରେ ପହଞ୍ଚିଛି । ଅର୍ଥାତ୍ ୨୪ ଘଣ୍ଟାରେ ୩୨ ହଜାର ନୂଆ ରୋଗୀ ଯୋଡି ହୋଇଛନ୍ତି । ଆମ ରାଜ୍ୟରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଲାଣି । ଲଗାତର ଦୁଇଦିନ ଧରି ଦୈନିକ ସଂକ୍ରମଣ ୪୨୪ ଥିଲା । ପରବର୍ତ୍ତୀ ଦିନ ୬୮୦ କୁ ବୃଦ୍ଧି ପାଇଲା । ତା’ ପରଦିନ ଅର୍ଥାତ ଗତକାଲି ତାହା ୧୨୧୬ ହୋଇଗଲା । ଆଉ ଆଜି ସଂକ୍ରମଣ ୧୮୯୭ କୁ ବଢ଼ିଯାଇଛି ।
ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ୭୨, ୩୭୦ ଜଣଙ୍କର ନମୁନା ପରୀକ୍ଷଣ ହୋଇଥିଲା । ସେଥି ମଧ୍ୟରୁ ୧୮୯୭ ପଜିଟିଭ୍ ବାହାରିଛନ୍ତି । ଦୈନିକ ଟେଷ୍ଟ ପଜିଟିଭିଟି ହାର(ଟିପିଆର) ୨.୬% କୁ ବୃଦ୍ଧି ପାଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟିନ୍ ରୁ ୧୧୦୬ ଥିଲା ବେଳେ ୭୯୧ ଲୋକାଲ୍ କେସ୍ ରହିଛି । ୧୮ ବର୍ଷରୁ କମ୍ ବର୍ଗରେ ୨୫୮ ଜଣ ଆକ୍ରାନ୍ତ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୯ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୨୬୨, କଟକରୁ ୧୪୮, ସମ୍ବଲପୁରରୁ ୧୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ତେବେ ରାଜ୍ୟରେ ନୂଆ ଓମିକ୍ରନ୍ କେସ୍ ର ସୂଚନା ନାହିଁ । ଓଡ଼ିଶାରେ ଏବେ ସୁଦ୍ଧା ୬୧ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଦେଶରେ କରୋନା ସ୍ଥିତି ଦେଖିଲେ, ଗତ ୨୪ ଘଣ୍ଟାରେ ୧୪ ଲକ୍ଷ ୧୩ ହଜାର ୩୦ ଜଣଙ୍କର ନମୁନା ପରୀକ୍ଷଣ ହୋଇଥିଲା । ସେଥିରୁ ୯୦, ୯୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ଟେଷ୍ଟ ପଜିଟିଭିଟି ହାର(ଟିପିଆର) ୬.୪୩% ହୋଇଛି । ଦିନକରେ ମହାରାଷ୍ଟ୍ରରୁ ସର୍ବାଧିକ ୨୫, ୫୩୮ ଚିହ୍ନଟ ହୋଇଥିବା ବେଳେ ପଶ୍ଚିମବଙ୍ଗରୁ ୧୪,୦୨୨, ଦିଲ୍ଲୀରୁ ୧୦, ୬୬୫, ତାମିଲନାଡୁରୁ ୪୮୬୨, କେରଳରୁ ୪୮୦୧ ଏବଂ କର୍ଣ୍ଣାଟକରୁ ୪୨୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏଥିସହ ଦେଶରେ ଗତ ୨୪ ଘଣ୍ଟାରେ ୩୨୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏ ପର୍ଯ୍ୟନ୍ତ ସମଗ୍ର ଦେଶରେ ୨୬୩୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରୁ ସର୍ବାଧିକ ୭୯୭, ଦିଲ୍ଲୀ ୪୮୫, ରାଜସ୍ଥାନ ୨୩୬, କେରଳ ୨୩୪, କର୍ଣ୍ଣାଟକ ୨୨୬ ଏବଂ ଗୁଜୁରାଟରେ ୨୦୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।