ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ିବା ସହ ତୃତୀୟ ଲହରର ସଙ୍କେତ ଆସିଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କରୋନା କଟକଣାକୁ ଅଧିକ କଡ଼ାକଡ଼ି କରିଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଆଜି ସଂଧ୍ୟାରେ ଏହି କଟକଣା ଘୋଷଣା କରିଛନ୍ତି । ଏଥିରେ ଜାନୁଆରୀ ମାସ ପାଇଁ ଜାରି ହୋଇଥିବା ପୂର୍ବ କଟକଣାକୁ ଆହୁରି କଠୋର କରାଯାଇଛି । ନାଇଟ୍ କର୍ଫ୍ୟୁ ସମୟ ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରୁ ଆରମ୍ଭ ହେବ । ଅର୍ଥାତ୍ ସବୁ ଦୋକାନବଜାର ରାତି ୯ଟା ଯାଏଁ ଖୋଲା ରହିବ । ସେହିଭଳି ରାଜ୍ୟରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ । କେବଳ ଅନଲାଇନ୍ ରେ କ୍ଲାସ୍ ଚାଲିବ । ତେବେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ୮ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ଆସେସମେଣ୍ଟ ପରୀକ୍ଷା ଚାଲିବ । ସମସ୍ତ ସରକାରୀ ଅଫିସ୍ ୫୦% କର୍ମଚାରୀରେ ଚାଲିବ ।
ନୂଆ କୋଭିଡ୍ କଟକଣା
– ରାତି ୯ଟାରୁ ସକାଳ ୫ଟା ନାଇଟ୍ କର୍ଫ୍ୟୁ
– ଦ୍ୱାଦଶ ପର୍ଯ୍ୟନ୍ତ କ୍ଲାସ୍ ବନ୍ଦ, ଅନଲାଇନ୍ କ୍ଲାସ୍ ଚାଲିବ
– ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ଡାଉଟ୍ କ୍ଲିୟରିଂ କ୍ଲାସ୍ ହୋଇପାରିବ
– ହାଟ, ବଜାର, ମଲ୍ ରେ ଭିଡ଼ ହୋଇପାରିବ ନାହିଁ । କଟକଣା ଭାଙ୍ଗିଲେ ୭ ଦିନ ପାଇଁ ଦୋକାନ ସିଲ୍
– ସାମାଜିକ, ଧାର୍ମିକ ସମାବେଶ ବନ୍ଦ
– ରାଜନୈତିକ, ଖେଳକୁଦ ଓ ଶୈକ୍ଷିକ କାର୍ଯ୍ୟକ୍ରମରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି
– ଇନଡୋର୍ କାର୍ଯ୍ୟକ୍ରମରେ ୫୦% କ୍ଷମତାରୁ ଅଧିକ ଲୋକଙ୍କୁ ମନା
– ବାହାଘର/ବ୍ରତଘରରେ ସର୍ବାଧିକ ୧୦୦ ଏବଂ ଶୁଦ୍ଧିକ୍ରିୟାରେ ୫୦ ଲୋକଙ୍କୁ ଅନୁମତି
– ବାହାଘର ଶୋଭାଯାତ୍ରାରେ ୩୦ ରୁ ଅଧିକ ଯୋଗ ଦେଇପାରିବେ ନାହିଁ ।
– ବାହାଘର, ରିସେପସନ୍ ଛଡ଼ା ଅନ୍ୟ (ହଳଦୀ, ମେହେନ୍ଦି) କାର୍ଯ୍ୟକ୍ରମକୁ ମନା
– ସମସ୍ତ ସରକାରୀ ଅଫିସ ୫୦% କର୍ମଚାରୀରେ ଚାଲିବ
– କେନ୍ଦ୍ର ସରକାର ଏବଂ ଘରୋଇ ଅଫିସ୍ କମ୍ ସଂଖ୍ୟକ କର୍ମଚାରୀରେ ଚାଲିବ
– ସରକାରୀ ମିଟିଂ, ଟ୍ରେନିଂ କାର୍ଯ୍ୟକ୍ରମରେ ସର୍ବାଧିକ ୧୦୦ ଜଣଙ୍କୁ ଅନୁମତି
– ପର୍ଯ୍ୟଟନସ୍ଥଳୀରେ ବଣଭୋଜି ମନା
– ସ୍କୁଲ କଲେଜ ପିକନିକ୍, ଏସକର୍ସନ ମନା
– ହୋଟେଲ, ପାର୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ ବାରଣ
– ସିନେମା ହଲ୍ ୫୦% ଦର୍ଶକରେ ଚାଲିବ
– ଯାତ୍ରାରେ ୧୦୦୦ ଦର୍ଶକଙ୍କୁ ଅନୁମତି
– ୫୦ ଲୋକଙ୍କୁ ନେଇ ଇନଡୋର, ଆଉଟଡୋର ଫିଲ୍ମ ସୁଟିଂ
ଜାନୁଆରୀ ୭ରୁ ଏହି କଟକଣା ଲାଗୁ ହୋଇ ଫେବୃଆରୀ ୧ ଯାଏଁ ରହିବ ।
୨୪ ଘଣ୍ଟାରେ ଡବଲ୍, ଆଉ ୨୪ ଓମିକ୍ରନ୍
ଗତ ୨୪ ଘଣ୍ଟାରେ ଡବଲ୍ ହୋଇଯାଇଛି ସଂକ୍ରମଣ । ଦୁଇ ଦିନ ତଳେ ଲଗାତର ଦୁଇ ଦିନ ଧରି ଦୈନିକ ସଂକ୍ରମଣ ୪୨୪ ଥିଲା । ଗତକାଲି ଏହା ୬୮୦ ରେ ପହଞ୍ଚିଥିଲା । ଆଜି ଏହା ଡବଲ୍ ହୋଇଛି କହିଲେ ଚଳେ । ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୨୧୬ କୁ ବୃଦ୍ଧି ପାଇଛି । ଯେଉଁଥିରେ ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତି ସର୍ବାଧିକ ୪୫୬ ଆକ୍ରାନ୍ତ । ଏଥିସହ କରୋନା ପଜିଟିଭିଟି ରେଟ୍ ୧% କୁ ଟପିଯାଇଛି ।
ସେହିଭଳି ରାଜ୍ୟରେ ଆଉ ୨୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗରେ ରିପୋର୍ଟ ହୋଇଛି । ଜୀବ ବିଜ୍ଞାନ ପ୍ରତିଷ୍ଠାନକୁ ଜେନମ୍ ସିକ୍ୱେନସିଂ ପାଇଁ ୨୧୮ ସାମ୍ପଲ୍ ଆସିଥିଲା । ସେଥିରୁ ୨୪ ଓମିକ୍ରନ୍ ଭାରିଏଣ୍ଟ ଚିହ୍ନଟ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ନୂଆ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣଙ୍କର ବିଦେଶ ଟ୍ରାଭେଲ୍ ହିଷ୍ଟ୍ରି ଥିବା ବେଳେ ୧୯ ଜଣ ସ୍ଥାନୀୟ ଅଞ୍ଚଳର । ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ରେ ପହଞ୍ଚିଛି ।
ଦେଶରେ କରୋନା ସଂକ୍ରମଣ ମଧ୍ୟ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୫୮,୦୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବଦିନ ୩୭, ୩୭୯ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।