ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ପୁଣି ବଢ଼ିବା ଆରମ୍ଭ ହୋଇଛି । ୪ ଦିନ ତଳେ ପଜିଟିଭ୍ ସଂଖ୍ୟା ୨୦୦ ଭିତରେ ସୀମିତ ଥିଲା ବେଳେ ଆଜି ୬୮୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଓମିକ୍ରନ୍ ମାମଲା ବି ବଢ଼ିଗଲାଣି । ଦିଲ୍ଲୀ, ମୁମ୍ବାଇ, କୋଲକତା ଭଳି ଦେଶରେ ବଡ଼ ବଡ଼ ସହରରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ଓଡ଼ିଶାରେ ସେହି ସ୍ଥିତି ଆସନ୍ନ ବୋଲି କୁହାଯାଉଛି । ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ମଧ୍ୟ ଜୋରଦାର ହୋଇଛି । ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଏକ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଥିଲେ । ଆଜି ଦ୍ୱିତୀୟ ବୈଠକରେ ମୁଖ୍ୟମନ୍ତ୍ରୀ କୋଭିଡ୍ ସ୍ଥିତି ସମୀକ୍ଷା କରି ପ୍ରସ୍ତୁତି ତ୍ୱରାନ୍ୱିତ ଉପରେ ଗୁରୁତ୍ୱ ଦେଇଥିଲେ । ଆସନ୍ତା ୧୦ ଦିନ ମଧ୍ୟରେ ରାଜ୍ୟର ସମସ୍ତ ସରକାରୀ ତଥା ବେସରକାରୀ କୋଭିଡ୍ ହସ୍ପିଟାଲ୍ ଗୁଡ଼ିକୁ ପ୍ରସ୍ତୁତ କରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଦ୍ୱିତୀୟ ଲହରର ସର୍ବୋଚ୍ଚ ସ୍ତରରେ ଆବଶ୍ୟକ ହୋଇଥିବା ଶଯ୍ୟା ଓ ଆଇସିୟୁ ଅନୁରୂପ ସଂଖ୍ୟାରେ ପ୍ରସ୍ତୁତ କରି ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାରା ଦେଶରେ ଓମିକ୍ରନ୍ ଭାରିଆଣ୍ଟ ଦ୍ରୁତ ଗତିରେ ସଂକ୍ରମଣ କରୁଛି । ଅଳ୍ପ ଦିନ ମଧ୍ୟରେ ରୋଗୀଙ୍କ ସଂଖ୍ୟା ଦୁଇ ଗୁଣ ହୋଇଯାଉଛି । ଦେଶରେ ଖୁବ ଶୀଘ୍ର ଲକ୍ଷ ଲକ୍ଷ ସଂଖ୍ୟାରେ କୋଭିଡ ରୋଗୀ ସଂକ୍ରମଣ ଦେଖା ଦେଇପାରେ। ଓଡିଶାରେ ମଧ୍ୟ ଓମିକ୍ରନ ରୋଗୀଙ୍କ ସଂଖ୍ୟା ବଢିବା ଆରମ୍ଭ ହୋଇଛି। ତେଣୁ ଜନସାଧାରଣଙ୍କୁ ବିଶେଷ ଅସୁବିଧାରେ ନ ପକାଇ କୋଭିଡର ଉତ୍ତମ ପରିଚାଳନା ପାଇଁ ଆମକୁ ତୁରନ୍ତ ପଦକ୍ଷେପ ନେବାକୁ ପଡିବ ।
ଭୂତାଣୁ ସଂକ୍ରମଣକୁ କମ୍ କରିବା ପାଇଁ ଆମକୁ ଉଚିତ ମାତ୍ରାରେ କଟକଣା ଜାରି କରିବାକୁ ପଡିବ। ତେବେ ଏଥିରେ ଯେପରି ଜନସାଧାରଣଙ୍କର ଜୀବିକା ଉପରେ କୌଣସି ପ୍ରଭାବ ନ ପଡେ, ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଜନସାଧାରଣଙ୍କ ଟୀକାକରଣ ଲକ୍ଷ୍ୟ ପୂରଣ ପାଇଁ କ୍ୟାମ୍ପେନ ମୋଡ୍ରେ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇ ୧୫ ରୁ ୧୮ ବର୍ଷ ବର୍ଗର ପିଲାମାନଙ୍କ ଟୀକାକରଣ ଉପରେ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଗତ ସପ୍ତାହ ସମୀକ୍ଷା ବୈଠକରେ କେତେକ ପ୍ରସ୍ତୁତିକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏଗୁଡିକର କାର୍ଯ୍ୟାନ୍ୱୟନ ପାଇଁ ମୁଖ୍ୟ ଶାସନ ସଚିବ ପ୍ରତିଦିନ ସମୀକ୍ଷା ବୈଠକ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଗତ ଲହରୀ ସମୟରେ ଅକ୍ସିଜେନ ପରିଚାଳନା, ସୂଚନା ଅଭିଯାନ, ଟ୍ରେନିଂ ମଡ୍ୟୁଲ ଆଦି ବ୍ୟବସ୍ଥା କରିବା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ବ ଦିଆଯାଇଥିଲା। ବର୍ତ୍ତମାନ ପୁଣି ଅଧିକାରୀ ମାନଙ୍କର ବିଭିନ୍ନ ମନିଟରିଂ ଗ୍ରୁପ ଓ ଜିଲ୍ଲାସ୍ତରୀୟ ଅବ୍ଜରଭର ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ସତର୍କ ରହିବା ସହିତ ସମସ୍ତ କୋଭିଡ ନିୟମକୁ ପାଳନ କରିବା ଏବଂ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣ ଙ୍କୁ ନିବେଦନ କରିଥିଲେ ।
ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନେବା ପାଇଁ ସମସ୍ତ ସଂପୃକ୍ତ ପଦାଧିକାରୀ ଓ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯିବ। ବରିଷ୍ଠ ଅଧିକାରୀମାନେ ଜିଲ୍ଲାକୁ ଗସ୍ତ କରି ଜିଲ୍ଲାସ୍ତରରେ ପରିସ୍ଥିତିର ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ବ୍ୟବସ୍ଥା କରିବେ ।
ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍.କେ. ଶର୍ମା ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ । ସେ କହିଥିଲେ ଯେ ଓଡିଶାରେ ଓମିକ୍ରନର ସଂକ୍ରମଣ ସଂପର୍କରେ ସତର୍କ ଦୃଷ୍ଟି ରଖାଯାଇଛି ଏବଂ ବିଦେଶାଗତ ଲୋକମାନଙ୍କର ନିୟମିତ ପରୀକ୍ଷା କରାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ଚିକିତ୍ସା ପ୍ରୋଟୋକଲ ପ୍ରସ୍ତୁତ କରାଯିବ ବୋଲି ସେ ସୂଚନା ଦେଇଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାଗୁଡିକରେ ଆବଶ୍ୟକ ପରିମାଣର ଔଷଧ, ଶଯ୍ୟା ଓ ଅକ୍ସିଜେନ ମହଜୁଦ ରହିଛି ବୋଲି ସେ କହିଥିଲେ।
ପୋଲିସ ଡିଜି ସୁନୀଲ ବଂଶଲ ରାଜ୍ୟରେ ଲୋକଙ୍କ ସହଯୋଗରେ କଟକଣା ଗୁଡିକର ଅନୁପାଳନ କରାଯାଉଛି ଓ ଆଗାମୀ ଦିନରେ ଏହାକୁ ଆହୁରି ଜୋରଦାର କରାଯିବ ବୋଲି କହିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଆଲୋଚନାରେ ଅଂଶଗ୍ରହଣ କରି କୋଭିଡ କଟକଣା ପାଳନ ସମୟରେ ଘର ଭିତର ଓ ବାହାରେ ଲୋକଙ୍କ ଭିଡ ଉପରେ ନଜର ରଖିବା ପାଇଁ ମତ ଦେଇଥିଲେ। ଯେଉଁ ପଦକ୍ଷପ ଦ୍ୱାରା କୋଭିଡ ସଂକ୍ରମଣର ନିୟନ୍ତ୍ରଣ ହୋଇପାରିବ, ତା ଉପରେ ଧ୍ୟାନ ଦେବାକୁ ସେ କହିଥିଲେ ।
ବୈଠକରେ ସୁନ୍ଦରଗଡ, ବଲାଙ୍ଗୀର, ଗଞ୍ଜାମ ଓ ବାଲେଶ୍ବର ଜିଲ୍ଲାର ଜିଲ୍ଲାପାଳ ତଥା ବିଏମସି ଓ ସିଏମସିର କମିଶନର ମାନେ ସେମାନଙ୍କ ଅଞ୍ଚଳରେ ନିଆଯାଉଥିବା ବିଭିନ୍ନ ପଦକ୍ଷପ ଓ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ ।
ବୈଠକରେ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଯୋଗ ଦେଇଥିଲେ ।