ଭୁବନେଶ୍ୱର: ଦିଲ୍ଲୀ, ମୁମ୍ବାଇ ସମେତ ଦେଶର ବିଭିନ୍ନ ହସ୍ପିଟାଲ୍ ରେ ଅକ୍ସିଜେନ୍ ଅଭାବରୁ ହାହାକାର ପଡ଼ିଛି । କରୋନା ରୋଗୀମାନେ ଛଟପଟ ହୋଇ ମରୁଥିବାର ତୁହାକୁ ତୁହା ଦୃଶ୍ୟ ସମସ୍ତଙ୍କ ହୃଦୟ ଥରାଇ ଦେଉଛି । ଦେଶର ଏହି ସଙ୍କଟ ବେଳେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟେଲିଫୋନ୍ କରି ସହଯୋଗ ଯାଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ତାହାକୁ କାର୍ଯ୍ୟରେ କରି ଦେଖାଇଛନ୍ତି । ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ୧୫ ଟି ଟ୍ୟାଙ୍କର ଯୋଗେ ପଠାଗଲାଣି ୨୫୦ ଟନ୍ ରୁ ଅଧିକ ଅକ୍ସିଜେନ୍ ।
ଖାଲି ସେତିକି ନୁହେଁ, ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କରଗୁଡ଼ିକର ସହଜ ଯାତାୟତ ପାଇଁ ଏକ ସ୍ୱତନ୍ତ୍ର ଗ୍ରୀନ୍ କରିଡର ପ୍ରସ୍ତୁତ କରାଯାଇଛି । କୌଣସି ଅସୁବିଧା ଏଡାଇବା ପାଇଁ ରାଜ୍ୟ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଛି । ଆଇନଶୃଙ୍ଖଳା ଏଡିଜି ଯଶୋୱନ୍ତ ଜେଠୱାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି । ପୁଲିସ ଏସକର୍ଟରେ ସବୁ ଗାଡ଼ି ଛଡ଼ାଯାଉଛି ।
ଅକ୍ସିଜେନ୍ ଯୋଗାଣ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନିଜେ ତଦାରଖ କରୁଥିଲା ବେଳେ ନିଜ କାର୍ଯ୍ୟାଳୟରେ ଏକ କଣ୍ଟ୍ରୋଲ୍ ରୁମ୍ ଖୋଲି ଜଣେ ବରିଷ୍ଠ ଅଧିକାରୀଙ୍କୁ ୨୪ ଘଣ୍ଟିଆ ଦାୟିତ୍ୱ ଦେଇଛନ୍ତି । ଅକ୍ସିଜେନ୍ ଅଭାବ ଥିବା ଅନ୍ୟ ରାଜ୍ୟଗୁଡ଼ିକରେ ନିର୍ବିଘ୍ନରେ ଅକ୍ସିଜେନ୍ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଇତିମଧ୍ୟରେ ଦିଲ୍ଲୀକୁ ୪୦ ଟନ୍, ମହାରାଷ୍ଟ୍ରକୁ ୪୦ ଟନ୍, ଆନ୍ଧ୍ରପ୍ରଦେଶକୁ ୪୦ ଟନ୍ ଅକ୍ସିଜେନ୍ ପଠାଗଲାଣି । ତେଲେଙ୍ଗାନାକୁ କାଲି ୪୦ ଟନ୍ ଅକ୍ସିଜେନ୍ ଯାଇଥିଲା । ଆଜି ସଂଧ୍ୟାରେ ଆଉ ୨୦ ଟନ୍ ପଠାଯାଇଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ନବୀନ କଥା ହେଲା ପରେ ଆଜି ବିହାରକୁ ଦୁଇଟି କିସ୍ତିରେ ୪୦ ଟନ୍ ଅକ୍ସିଜେନ୍ ପଠାଯାଇଛି ।
ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ମହଜୁଦ ଅଛି । ଆବଶ୍ୟକତାଠାରୁ ୧୦ ଗୁଣା ଅଧିକ ଅକ୍ସିଜେନ୍ ମହଜୁଦ୍ ଥିବା କୁହାଯାଉଛି । ଆଜିର ଦିନରେ ଜେଏସପିଏଲରେ ୫୦୦ ଟନ୍, ଟାଟା ଷ୍ଟିଲ୍ ଭୂଷଣରେ ୫୦୦ ଟନ୍, ଟାଟା ଷ୍ଟିଲ୍ କଳିଙ୍ଗନଗରରେ ୫୦୦ ଟନ୍, ଜେଏସଏଲ କଳିଙ୍ଗନଗରରେ ୨୫୦ ଟନ୍ ଅକ୍ସିଜେନ୍ ମହଜୁଦ ଅଛି । ସବୁ ଜାଗାରେ ଉତ୍ପାଦନ ଜାରି ରହିଛି ।
ସୂଚନାଥାଉକି, ନବୀନଙ୍କ ଏହି ପଦକ୍ଷେପକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକୁର ଭୂୟସୀ ପ୍ରଶଂସା କରିଛନ୍ତି । ଦିଲ୍ଲୀ ଆପଣଙ୍କ ପାଖରେ ଋଣୀ ବୋଲି କେଜ୍ରିୱାଲ୍ ଟ୍ୱିଟ୍ କରିଥିଲା ବେଳେ ଉଦ୍ଧବ ନବୀନଙ୍କୁ ଫୋନ୍ କରି ଧନ୍ୟବାଦ ଜଣାଇଥିଲେ । ଦିଲ୍ଲୀ ହାଇକୋର୍ଟ ମଧ୍ୟ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । କରୋନା ମହାମାରୀ ସଙ୍କଟ ବେଳେ ନବୀନଙ୍କ ଏହି ପଦକ୍ଷେପକୁ ଜାତୀୟସ୍ତରରେ ଭୂୟସୀ ପ୍ରଶଂସା କରାଯାଇଛି । ରାଜ୍ୟର ବିରୋଧୀ ଦଳ ଗୁଡ଼ିକ ମଧ୍ୟ ତାଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।