ପୁରୀ: କରୋନା ସଂକ୍ରମଣ ଦୃଷ୍ଟିରୁ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲାଗିଛି । ମେ’ ୧୫ ତାରିଖ ଯାଏଁ ସାଧାରଣ ଦର୍ଶନ ବନ୍ଦ କରାଯାଇଛି । ନୀତିକାନ୍ତି ପାଇଁ ଶ୍ରୀମନ୍ଦିର ଖୋଲା ରହିବ, ମାତ୍ର ସାଧାରଣ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ । ଆଜି ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଭକ୍ତଙ୍କ ଲାଗି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରଖିବାକୁ ବୈଠକରେ ବହୁ ସଦସ୍ୟ ମତ ରଖିଥିଲେ । ସେବାୟତ ଓ ସେମାନଙ୍କ ପରିବାରର ସୁରକ୍ଷା ଦୃଷ୍ଟିରୁ ସେମାନେ ସାଧାରଣ ଦର୍ଶନ ସପକ୍ଷରେ ନ ଥିଲେ । ଏହା ଉପରେ ବିଚାର ବିମର୍ଷ ପରେ ସାଧାରଣ ଦର୍ଶନ ବନ୍ଦ ପାଇଁ ନିଷ୍ପତ୍ତି ହୋଇଥିଲା ।
ନିଷ୍ପତ୍ତି ଅନୁଯାୟୀ, ସେବାୟତ ଓ ପରିବାର ସଦସ୍ୟଙ୍କ ନିୟମିତ କୋଭିଡ୍ ଟେଷ୍ଟ ହେବ । ଆକ୍ରାନ୍ତଙ୍କୁ ନିଳାଦ୍ରୀ ଭକ୍ତ କେନ୍ଦ୍ର ନିବାସରେ ରଖି ଚିକିତ୍ସା କରାଯିବ । ଶ୍ରୀମନ୍ଦିର ପ୍ରଶାସନ ଏହାର ତଦାରଖ କରିବେ ।
ମେ’ ୧୫ ତାରିଖ ଯାଏଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିଲେ ମଧ୍ୟ ନୀତିକାନ୍ତି ସହ ପ୍ରଥା ଅନୁସାରେ ରଥ ନିର୍ମାଣ କାମ ଜାରି ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ ଗତ ୧୬ ତାରିଖରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ୨୪ ତାରିଖ(ଆଜିଠାରୁ)ରୁ ପ୍ରତି ଶନିବାର ଓ ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିଲା । ମାତ୍ର ଇତିମଧ୍ୟରେ ସଂକ୍ରମଣ ହୁ ହୁୁ ହୋଇ ବଢ଼ି ଚାଲିଥିବାରୁ ଛତିଶା ନିଯୋଗ ସଦସ୍ୟଙ୍କ ମତାମତ ଆଧାରରେ ଶ୍ରୀମନ୍ଦିର ପ୍ରଶାସନ କଠୋର ନିଷ୍ପତ୍ତି ନେଇଛନ୍ତି ।