ଝାରସୁଗୁଡ଼ା: ଓଡ଼ିଶାର ସାମ୍ବାଦିକ ଜଗତରୁ ଆଉ ଜଣେ ଉଜ୍ଜଳ ପ୍ରତିଭାଙ୍କୁ ଛଡ଼ାଇ ନେଇଛି କରୋନା । ପଶ୍ଚିମ ଓଡ଼ିଶାର ଜଣାଶୁଣା ସାମ୍ବାଦିକ ଅମଜାଦ ବାଦଶାହା କରୋନାରେ ଆଖି ବୁଜି ଦେଇଛନ୍ତି । ହସ୍ପିଟାଲ୍ ବେଡ୍ ରେ ଦୀର୍ଘ ଦୁଇ ସପ୍ତାହ କାଳ କରୋନା ସହିତ ସଂଗ୍ରାମ କରି ହାରିଯାଇଛନ୍ତି ଏହି ଯୁବ ପ୍ରତିଭା । ଅମଜାଦଙ୍କ ମୃତ୍ୟୁରେ ସାରା ଓଡ଼ିଶାର ସାମ୍ବାଦିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।
ଗତ ୭ ତାରିଖରେ ଅମଜାଦ କୋଭିଡ୍ ରେ ଆକ୍ରାନ୍ତ ହୋଇଥିଲେ । ପରଦିନ ଝାରସୁଗୁଡ଼ା କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ତେବେ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ରାଉରକେଲା ଜୟପ୍ରକାଶ କୋଭିଡ୍ ହସ୍ପିଟାଲ୍ କୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ନ ସାଢ଼େ ୪ଟାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଝାରସୁଗୁଡ଼ାରେ ଜନ୍ମିତ ଅମଜାଦ ଢ଼େଙ୍କାନାଳ ଆଇଆଇଏମସିରୁ ସାମ୍ବାଦିକତା ପାସ୍ କଲା ପରେ ଇଟିଭି, ନକ୍ଷତ୍ର ଆଦି ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ଦୀର୍ଘ ବର୍ଷ କାମ କରିଥିଲେ । କିଛି ବର୍ଷ ତଳେ ସେ ନ୍ୟୁଜ୍ ଫାଷ୍ଟ୍ ଟିଭି ନାମରେ ଏକ ଡିଜିଟାଲ୍ ନ୍ୟୁଜ୍ ପ୍ଲାଟଫର୍ମ ଆରମ୍ଭ କରିଥିଲେ । ଖାଲି ଜଣେ ଦକ୍ଷ ସାମ୍ବାଦିକ ନ ଥିଲେ, ତାଙ୍କର ମିଷ୍ଟଭାଷୀ ଓ ବନ୍ଧୁବତ୍ସଳ ସ୍ୱଭାବ ପାଇଁ ସେ ସମସ୍ତଙ୍କର ଆଦର ଲାଭ କରିଥିଲେ ।
ପଶ୍ଚିମ ଓଡ଼ିଶାରେ ଅମଜାଦଙ୍କ ପରିବାରର ମଧ୍ୟ ସୁଖ୍ୟାତି ରହିଛି । ତାଙ୍କ ବାପା ମହମ୍ମଦ ଜମିଉଲ୍ଲା ଜଣେ ଜଣାଶୁଣା କବି । ସ୍ଥାନୀୟ ରଥଯାତ୍ରାରେ ପୁରୁଷାନୁକ୍ରମିକ ଅମଜାଦଙ୍କ ପରିବାର ଛେରାପହଁରା କରି ସାମ୍ପ୍ରଦାୟିକ ସଦଭାବନାର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ।
ଅମଜାଦଙ୍କ ଘରେ ତାଙ୍କ ବାପା, ମାଆ, ପତ୍ନୀ, ୪ ବର୍ଷର ଝିଅ ଓ ୨ ମାସର କୁନିପୁଅ ଅଛନ୍ତି ।
ସୂଚନାଥାଉକି, କରୋନାର ଭୟଙ୍କର ଦ୍ୱିତୀୟ ଲହରରେ ଅମଜାଦଙ୍କୁ ମିଶାଇ ୫ ଜଣ ସାମ୍ବାଦିକ ପ୍ରାଣ ହରାଇଲେଣି । ଗଞ୍ଜାମ ଜିଲ୍ଲା ଶେରଗଡ଼ର କରୁଣାକର ସାହୁ, କୁକୁଡ଼ାଖଣ୍ଡିର ଗୋବିନ୍ଦ ବେହେରା, ଚିକିଟିର ମନୋଜ ବହେରା ଏବଂ ପାଟଣାଗଡ଼ର ଯତୀଶ ଖମାରୀଙ୍କର ନିକଟରେ ମୃତ୍ୟୁ ହୋଇଥିଲା ।