ଭୁୁବନେଶ୍ୱର: କରୋନା ଟିକାକରଣରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାହାର ଅବସାନ ଘଟାଇଛନ୍ତି । ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ୧୮ ବର୍ଷରୁ ଉର୍ଦ୍ଧ ବୟସ୍କଙ୍କ ଟିକାକରଣର ଭାର ରାଜ୍ୟ ସରକାର ନିଜ ଉପରକୁ ନେଇଛନ୍ତି । ସମସ୍ତଙ୍କୁ ମାଗଣା କରୋନା ଟିକା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହାଦ୍ୱାରା ୧୮-୪୪ ବୟସ ବର୍ଗର ୨ କୋଟି ଲୋକ ଉପକୃତ ହେବେ । ରାଜ୍ୟ ସରକାର ଏଥିପାଇଁ ଦୁଇ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ।
ଆଜି ସଂଧ୍ୟାରେ ରାଜ୍ୟବାସୀଙ୍କୁ ସମ୍ବୋଦନ କରି ମୁଖ୍ୟମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି । କରୋନା ମହାମାରୀ ସଙ୍କଟ ବେଳେ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ଦାୟିତ୍ୱ ନିଜ ଉପରକୁ ନେଇଥିଲା ବେଳେ ଲୋକଙ୍କୁ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ସଚେତନ କରାଇଛନ୍ତି । ସମସ୍ତେ କୋଭିଡ୍ ନିୟମ ଠିକ୍ ଭାବରେ ପାଳନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ହାତଯୋଡି ନିବେଦନ କରିଛନ୍ତି ।
ଟିକା ଅର୍ଡର କଲେ ସରକାର
ସମସ୍ତଙ୍କୁ ମାଗଣାରେ ଟିକା ଦେବାର ବଡ଼ ଘୋଷଣା ମୁଖ୍ୟମନ୍ତ୍ରୀଙ୍କ ପାଟିରୁ ଆସିବାର କିଛି ସମୟ ମଧ୍ୟରେ ରାଜ୍ୟ ସରକାର ଉତ୍ପାଦନକାରୀ ସଂସ୍ଥାକୁ ଟିକା ଅର୍ଡର ଦେଇଛନ୍ତି । ୧୦.୩୪ ଲକ୍ଷ ଡୋଜ୍ କୋଭାକ୍ସିନ୍ ଏବଂ ୩୭୭ ଲକ୍ଷ ଡୋଜ୍ କୋଭିସିଲଡ୍ ଟିକା ପାଇଁ ଅର୍ଡର ଦିଆଯାଇଥିବା ଜଣାପଡ଼ିଛି ।
ସମସ୍ତଙ୍କୁ ମାଗଣା ଟିକା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସବୁଆଡୁ ସ୍ୱାଗତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ ଦର୍ଶାଇ ଦଳୀୟ ନେତାମାନେ କୃତଜ୍ଞତା ଜଣାଇଛନ୍ତି ।
କ’ଣ କହିଲେ ମୁଖ୍ୟମନ୍ତ୍ରୀ
ଆଜି ସାରା ଭାରତ ଏକ କଠିନ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି । ଏହାକୁ ଏକ ଯୁଦ୍ଧକାଳୀନ ପରିସ୍ଥିତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । କୋଭିଡ୍ ସଂକ୍ରମଣରେ ଭାରତ ଆଜି ସାରା ଦେଶରେ ସବୁଠାରୁ ଉପରେ ଅଛି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି । ବହୁତ ଦୁଃଖର କଥା ପ୍ରତିଦିନ ହଜାର ହଜାର ଲୋକ ମଧ୍ୟ ମୃତ୍ୟୁ ମୁଖରେ ପଡୁଛନ୍ତି ।
ଆପଣମାନେ ଟିଭି ଓ ମିଡ଼ିଆରୁ ଜାଣୁଥିବେ । ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଗୁଜୁରାଟ, ମହାରାଷ୍ଟ୍ର, ଛତିଶଗଡ଼ ଆଦି ରାଜ୍ୟମାନଙ୍କରେ ପରିସ୍ଥିତି ଆଜି ଭୟଙ୍କର ହୋଇଛି । ଏସବୁ ରାଜ୍ୟରେ ମେଡିସିନ୍, ଅକ୍ସିଜେନ୍, ବ୍ଲଡ୍ ଆଦି ହେଲଥ୍ କେୟାର ସିଷ୍ଟମ୍ ଉପରେ ବହୁତ ପ୍ରେସର୍ ପଡୁଛି । ସବୁଠାରୁ ଦୁଃଖର କଥା, ଶ୍ମଶାନ ଘାଟମାନଙ୍କରେ ମଧ୍ୟ ଶବଦାହ ପାଇଁ ଜାଗା ମିଳୁନାହିଁ । ଏଭଳି ଭୟଙ୍କର ପରିସ୍ଥିତି, ଏଭଳି କଠିନ ପରିସ୍ଥିତି ଭାରତ ଇତିହାସରେ କେବେ ବି ଆସି ନ ଥିଲା ।
କିଛି ଦିନ ତଳେ ମୁଁ ଏ ପରିସ୍ଥିତି ବିଷୟରେ ମାନନୀୟ ପ୍ରଧାନମନ୍ତ୍ରୀ ଓ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲି ଏବଂ ସେମାନଙ୍କ ଏ ଦୁଃଖ ସମୟରେ ସହଯୋଗର ହାତ ବଢ଼ାଇଥିଲି । ଓଡ଼ିଶା ଆଜି ୭ଟି ରାଜ୍ୟକୁ ଅକ୍ସିଜେନ୍ ଯୋଗାଉଛି । ପରିସ୍ଥିତି ଅତି ଭୟଙ୍କର । ଆମ ରାଜ୍ୟର ସବୁ ସୀମାନ୍ତ ଜିଲ୍ଲାମାନଙ୍କରେ ମଧ୍ୟ ସଂକ୍ରମଣର ଗଭୀର ପ୍ରଭାବ ପଡ଼ିଛି ।
ଗତବର୍ଷ ଆମେ ସମସ୍ତେ ମିଶି କୋଭିଡ୍ ମୁକାବିଲା କରିଥିଲେ । ବାତ୍ୟା ହେଉ ବା ବନ୍ୟା ବା କୋଭିଡ୍ ମ୍ୟାନେଜମେଣ୍ଟ ସବୁବେଳେ ଆପଣମାନେ ସହଯୋଗ କରିଥିବାରୁ ଆମେ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରିପାରୁଛୁ । ଗତବର୍ଷଠାରୁ କିନ୍ତୁ ଏବର୍ଷର ପରିସ୍ଥିତି ଅତ୍ୟନ୍ତ ଭୟଙ୍କର । ସରକାରଙ୍କ ତରଫରୁ ଶଯ୍ୟାଠାରୁ ଆରମ୍ଭ କରି ଅକ୍ସିଜେନ୍, ମେଡ଼ିସିନ୍, ଆମ୍ବୁଲାନ୍ସ ଆଦି ସବୁ ବ୍ୟବସ୍ଥାକୁ ମଜବୁତ କରିଛୁ ।
ମୁଁ ବାରମ୍ବାର କହି ଆସିଛି ଯେ ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ତେଣୁ ଯଦି ଆମେ ସତର୍କ ନ ରହିବା, ନିଜେ ନିଜର ଦାୟିତ୍ୱ ପ୍ରତି ସଚେତନ ନ ହେବା ତେବେ ସରକାର ଏକାକୀ କେବେ ବି ଏ ପରିସ୍ଥିତିର ମୁକାବିଲା କରିପାରିବେ ନାହିଁ ।
ମୁଁ ଆପଣମାନଙ୍କୁ ବିନମ୍ର ଅନୁରୋଧ କରୁଛି ଯେ ଆପଣମାନେ ପରିସ୍ଥିତିର ଭୟାବହତାକୁ ବୁଝନ୍ତୁ । ପ୍ରତ୍ୟେକଟି ସଂକ୍ରମଣ ପ୍ରତ୍ୟେକଟି ମୃତ୍ୟୁ ପଛରେ ରହିଛି ଗୋଟିଏ ଗୋଟିଏ ପରିବାରର ଦୁଃଖଭରା କାହାଣୀ । କିଏ ନିଜ ବାପା, ମା’ ଙ୍କୁ ହରାଇଛି । କିଏ ନିଜ ଭାଇ ଭଉଣୀକୁ, ପୁଣି କେଉଁଠି ନବ ବିବାହିତ ସ୍ତ୍ରୀ ସ୍ୱାମୀଙ୍କୁ ହରାଇଛି । କେଉଁଠି ବୁଢ଼ା ବାପା ମା’ଙ୍କ ଆଗରେ ରୋଜଗାରିଆ ପୁଅ ଚାଲିଯାଉଛି ତ କୋଉଠି ଛୋଟ ଛୋଟ ପିଲାମାନେ ଅନାଥ ହୋଇଯାଉଛନ୍ତି । ଆଉ କେଉଁଠି ପୂରା ପରିବାର ଶେଷ ହୋଇଯାଉଛି ।
ତେଣୁ ଏ ପରିସ୍ଥିତିରେ ମୁଁ ଆପଣମାନଙ୍କୁ ହାତଯୋଡି ଅନୁରୋଧ କରୁଛି ଯେ ଆପଣମାନେ କୋଭିଡ୍ ନିୟମକୁ ଠିକ୍ ଭାବରେ ପାଳନ କରନ୍ତୁ । ଅତି ଆବଶ୍ୟକ ନହେଲେ ବାହାରକୁ ଯାଆନ୍ତୁ ନାହିଁ । କିଏ ଜାଣେ ଫେରିବା ବେଳେ କରୋନା ଆପଣଙ୍କ ସାଥୀରେ ଘରକୁ ଆସି ନ ଥିବ? ତେଣୁ ସତର୍କ ରୁହନ୍ତୁ । ସବୁବେଳେ ମାସ୍କ ଠିକ୍ ଭାବରେ ପିନ୍ଧନ୍ତୁ । ସାମାଜିକ ଦୂରତା ରକ୍ଷା କରନ୍ତୁ ଏବଂ ଅନ୍ୟ କୋଭିଡ୍ ନିୟମ ବି ପାଳନ କରନ୍ତୁ ।
ଲକଡାଉନ୍, ସଟଡାଉନ୍ ମୁଁ କେବେ ବି ଚାହେଁ ନାହିଁ । କେହି ବି ଚାହିଁବି ନାହିଁ । ଏହା ଆମ ଅର୍ଥନୀତିକୁ ଦୁର୍ବଳ କରିଦେବ । କିନ୍ତୁ ଅର୍ଥନୀତି ସହ ଜୀବନରକ୍ଷା ମଧ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆମେ ଯଦି ନିୟମ ମାନିବା, ଆମେ ଯଦି ସାବଧାନ ରହିବା ତେବେ ବିନା ଲକଡାଉନ୍ ରେ କୋଭିଡ୍ ଯୁଦ୍ଧ ଜିତିପାରିବା ।
ସାଢ଼େ ଚାରିକୋଟି ଓଡ଼ିଶାବାସୀ ହେଉଛନ୍ତି ମୋର ପରିବାର । ମୁଁ ଚାହେଁ ମୋ ପରିବାର ନିରାପଦ ରହୁ । ମୋ ଓଡ଼ିଶା ନିରାପଦ ରହୁ । ମୋ ପରିବାରର ପ୍ରତି ଜୀବନ ମୋ ପାଇଁ ମୂଲ୍ୟବାନ ।
ରାଜ୍ୟ ସରକାର ଆମର ୧୮-୪୪ ବୟସ ଗ୍ରୁପ୍ ର ସବୁ ଲୋକଙ୍କୁ ଟିକା ଦେବା ପାଇଁ ଅର୍ଡର ଦେଇସାରିଛନ୍ତି । ଏଥିପାଇଁ ଆପଣମାନଙ୍କୁ ଗୋଟିଏ ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଏ ଦାୟିତ୍ୱ ଆପଣଙ୍କ ସରକାରର । ଏହାଦ୍ୱାରା ଏହି ବୟସ ଗ୍ରୁପ୍ ର ଦୁଇକୋଟି ଲୋକ ଉପକାର ପାଇବେ । ପ୍ରାୟ ଦୁଇହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।
ମୋର ଅନୁରୋଧ ଆପଣମାନେ ବି ଦାୟିତ୍ୱ ନିଅନ୍ତୁ । କୋଭିଡ୍ ନିୟମ ପାଳନ ଠିକ୍ ଭାବରେ ପାଳନ କରନ୍ତୁ । ମହାପ୍ରଭୁଙ୍କ ଆଶିର୍ବାଦରୁ ଆମେ ନିଶ୍ଚୟ ଖୁବ୍ ଶୀଘ୍ର ଏ ମହାସଙ୍କଟରୁ ଉଦ୍ଧାର ପାଇବା ।
ଜୟ ଜଗନ୍ନାଥ ।